ପୁରୀ, ।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ ୧୭ ଇଞ୍ଚ୍) ର କୋର୍ ଡ୍ରିଲିଂ କାର୍ଯ୍ୟ କରାଯାଇଛି। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ASI) ପକ୍ଷରୁ ଏହି ଡ୍ରିଲିଂ କରାଯିବା ପରେ ଗର୍ଭଗୃହକୁ ବାଟ ଫିଟିଛି। ଡ୍ରିଲିଂ ପରେ ସଂଗୃହୀତ ହୋଇଥିବା ବାଲି ଓ ପଥରର ନମୂନା ପରୀକ୍ଷଣ କରାଯିବ। ଏହି ପରୀକ୍ଷଣ ରିପୋର୍ଟ ଆସିବା ପରେ ଜଗମୋହନ ଓ ଗର୍ଭଗୃହର ପ୍ରକୃତ ସ୍ଥିତି ଜଣାପଡ଼ିବ।ବାଲି ମୁକ୍ତ ହେବ ବ୍ଲାକ୍ ପାଗୋଡ଼ା । ୧୨୨ ବର୍ଷ ପରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭ ଗୃହରୁ କଢ଼ା ହେବ ବାଲି । ASIର ପୂଜାପାଠ ପରେ ଆରମ୍ଭ ହୋଇଛି କୋର୍ ଡ୍ରିଲ୍ । କାରଣ ଆଗେ ଗର୍ଭଗୃହକୁ ନିର୍ମାଣ ହେବ ଏକ ଟନେଲ। ଯେହେତୁ ଏହା ଏକ ଅତି ପୁରାତନ ଐତିହ୍ୟ ସଂପନ୍ନ ମନ୍ଦିର, ତେଣୁ କାନ୍ଥ ପଥରର ସ୍ଥିତି କେମିତି ଅଛି ? ବାଲି କେତେ ଉଚ୍ଚତା ପର୍ଯ୍ୟନ୍ତ ଭର୍ତ୍ତି ହୋଇଛି ? ତାର ଯାଞ୍ଚ ସହ ଗର୍ଭଗୃହ କାନ୍ଥ ଚଉଡା ମାପିବାକୁ ଉନ୍ନତ ଜ୍ଞାନକୌଶଳର ବ୍ୟବହାର କରିଛନ୍ତି ଏଏସଆଇ ବିଶେଷଜ୍ଞ ଟିମ୍। ୧୬ ସେଣ୍ଟିମିଟର ଗୋଲେଇରେ ସାତ ମିଟର ଲମ୍ବର ଏକ ଗାତ ଖୋଳା ଯାଇଛି। ଡ୍ରିଲିଂ ବେଳେ ଯେପରି ସୁକ୍ଷ୍ମ କାରୁକାର୍ଯ୍ୟ ସଂପନ୍ନ ପଥରକୁ ଆଞ୍ଚ ନଆସେ, ସେଥିପାଇଁ ଡାଇମଣ୍ଡ ଡ୍ରିଲ ମେସିନ୍ ସହ ଜିରୋ ଭାଇବ୍ରେସନ ମେସିନ ଲାଗିଛି। ଏଏସଆଇର ଆଞ୍ଚଳିକ ନିର୍ଦ୍ଦେଶକ ଓ ସୁପରିଟେଣ୍ଡେଣ୍ଟଙ୍କ ସହ ଆଇଆଇଟି ମାଡ୍ରାସ୍ ର ପ୍ରଫେସର ଅରୁଣ ମେନନଙ୍କ ଉପସ୍ଥିତିରେ ୧୦ଜଣିଆ ଇଞ୍ଜିନିୟରିଂ ଟିମ୍ ଖନନ କାର୍ଯ୍ୟ କରୁଛନ୍ତି।କାନ୍ଥ ପଥର ସ୍ଥିତି ଭଲ ଥିବା କହିଛି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ|
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |