ପୁରୀରେ ବରଗଡ଼ ଧନୁଯାତ୍ରାର କଂସ

ପୁରୀ,୪ା୧: ପୁରୀରେ କଂସ ଚରିତ୍ରରେ ଅଭିନୟ କରିଥିବା ସୁଶୀଲ ମେହେର। ସେ  ଗୋବର୍ଦ୍ଧନ ମଠରେ ଶଙ୍କରାଚାର୍ଯ୍ୟଙ୍କୁ ଦର୍ଶନ କରିଛନ୍ତି। ଏହାପରେ ମହୋଦଧିରେ ବୁଡ଼ ପକାଇ ସେ ନିଜର ପାପକ୍ଷୟ କରିବେ। ଶେଷରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ବରଗଡ଼ ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଗତ ବର୍ଷ ଡିସେମ୍ବର ମାସ ୨୪ ତାରିଖରୁ ଆରମ୍ଭ ହୋଇ ଦୀର୍ଘ ୧୧ଦିନ ଚାଲିବା ପରେ  ୨୦୨୬ ଜାନୁଆରି ୩ ତାରିଖରେ ଉଦଘାଟିତ ହୋଇଥିଲା। ଏଥର ମହୋତ୍ସବରେ ଅଭିନୟ ପାଇଁ କଂସ ସମେତ ଅନ୍ୟ ପ୍ରମୁଖ ଚରିତ୍ର ପାଇଁ କଳାକାର ଚୟନ କରାଯାଇଥିଲା। ଏଥିରେ ବରଗଡ଼ ଭେଡେନ ବ୍ଲକ ଚିଚିଣ୍ଡା ଗ୍ରାମର ସୁଶୀଲ ମେହେର ବରଗଡ଼ କଂସ ଅଭିନେତା ଭାବେ ମନୋନୀତ ହୋଇଥିଲେ।କଂସ ବଦ୍ଧ ସହ ଶଷ ହୋଇଛି ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ତେବେ ଧନୁଯାତ୍ରା ଶେଷ ହୋଇଥିଲେ ମଧ୍ୟ ଧନୁଯାତ୍ରାର ପରମ୍ପରା ସରି ନାହିଁ । କାରଣ କଂସ ମହାରାଜ ଏବେ ଶ୍ରୀକ୍ଷେତ୍ର‌‌ରେ ନିଜ ପାପର ପ୍ରାୟଶ୍ଚିତ କରିବା ପାଇଁ ଆସିଛନ୍ତି ଶ୍ରୀଜିଉଙ୍କ ଉଦ୍ଦେଶ୍ୟରେ । ଯାତ୍ରା ସମୟରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ କଟୁ ବାକ୍ୟ ପ୍ରୟୋଗ କରିଥିବାରୁ ଏବେ ମହାପ୍ରଭୁଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି । ଏଥିପାଇଁ କଂସ ଭୂମିକାରେ ଅଭିନୟ କରିଥିବା ସୁଶୀଲ ମେହେର ପ୍ରଥମେ ପୁରୀ ଗୋବର୍ଦ୍ଧନ ପୀଠରେ ପହଞ୍ଚିଥିଲେ । ସେଠାରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରି କ୍ଷମାପ୍ରାର୍ଥନା କରିଥିଲେ । ପ୍ରଭୁ ଶ୍ରୀକୃଷ୍ଣଙ୍କ ପ୍ରତି ସମସ୍ତଙ୍କର ଭକ୍ତି ଏବଂ ଭଲପାଇବା ରହିବା ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ ଶଙ୍କରାଚାର୍ଯ୍ୟ । ପରେ ମହୋଦଧିରେ ସ୍ନାନ କରି ସୂର୍ଯ୍ୟପୂଜା କରିବା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା କରି ମହାପ୍ରଭୁଙ୍କ ଶରଣାପନ୍ନ ହୋଇଛନ୍ତି ।ବିଶ୍ୱାସ ରହିଛି ତୀର୍ଥରାଜ ମହୋଦଧିରେ ସ୍ନାନ କଲେ ସବୁ ପାପରୁ ମୋକ୍ଷ ମିଳିଥାଏ । ଅନ୍ୟପକ୍ଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ କୃଷ୍ଣଙ୍କର ଅବତାର ହୋଇଥିବାରୁ କଂସ ମହାରାଜ ପ୍ରତିବର୍ଷ ପୁରୀକୁ ଆସି ପ୍ରାୟଶ୍ଚିତ କରିବାର ପରମ୍ପରା ରହିଛି । ଏଣୁ କଂସ ମହାରାଜ ପୁରୀ ଆସି ମହାପ୍ରଭୁଙ୍କ ଶରଣାପନ୍ନ ହୋଇଥିଲେ । ଶ୍ରୀଜିଉଙ୍କୁ କ୍ଷମା ପ୍ରାର୍ଥନା କରିବା ସହ ଶ୍ରୀମନ୍ଦିରରେ ମହାପ୍ରସାଦ ସେବନ କରି ନିଜକୁ ଭାଗ୍ୟବାନ ମନେ କରିଛନ୍ତି ।‌ ତେବେ ଯୁବ ସମାଜ ନିଜ ପିତା-ମାତାଙ୍କୁ ସମ୍ମାନ ଦେବା ସହ ସେମାନଙ୍କୁ ବୃଦ୍ଧ ଅବସ୍ଥାରେ ଘରେ ରଖିବାକୁ ପରାମର୍ଶ ଦେଇଛନ୍ତି । ବୃଦ୍ଧ କାଳରେ ପିତାମାତାଙ୍କ ସେବା କରିବା ସହ ସେମାନଙ୍କୁ କୌଣସି ବୃଦ୍ଧାଶ୍ରମକୁ ଛାଡ଼ନ୍ତୁ ନାହିଁ ବୋଲି କଂସ ମହାରାଜ ବାର୍ତ୍ତା ଦେଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!