ନୂଆଦିଲ୍ଲ,୧୮।୧: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ବଢ଼ିଛି। ବାୟୁ ପ୍ରଦୂଷଣ ବୃଦ୍ଧି ଯୋଗୁଁ ଦିଲ୍ଲୀ-ଏନସିଆରରେ ପୁଣି ଘରେ ଗ୍ରାପ୍-୪ର କଟକଣା ଲାଗୁ କରିଦିଆଯାଇଛି। ରାଜଧାନୀ ଘନ କୁହୁଡ଼ିରେ ଘୋଡ଼ାଇ ରହିଛି। ବିପଜ୍ଜନକ ସ୍ତରରେ ପହଞ୍ଚିଥିବା ବାୟୁ ପ୍ରଦୂଷଣ ଲୋକଙ୍କ ଶ୍ୱାସକ୍ରିୟାକୁ ପ୍ରଭାବିତ କରୁଛି। ପରିସ୍ଥିତି ଏତେ ଭୟଙ୍କର ଯେ ସକାଳ ୬ଟାରେ, ଦିଲ୍ଲୀର ଅନେକ ଅଞ୍ଚଳରେ ବାୟୁର ଗୁଣାବତ୍ତା ୪୦୦ ଅତିକ୍ରମ କରିଥିଲା। ଯାହା ଗମ୍ଭୀର ବର୍ଗରେ ପଡ଼ିଥାଏ। ଆନନ୍ଦ ବିହାରରେ ସର୍ବାଧିକ AQI ୪୮୯ ରେକର୍ଡ କରାଯାଇଛି। ଦିଲ୍ଲୀର ଏକ୍ୟୁଆଇ ଶନିବାର ଅପରାହ୍ଣ ୪ଟା ସୁଦ୍ଧା ୪୦୦ ରେକର୍ଡ କରାଯାଇଥିଲା। ଏଥିରେ ଲଗାତାର ବୃଦ୍ଧି ଦେଖିବାକୁ ମିଳୁଛି। ରାତି ୮ଟା ସୁଦ୍ଧା ଏହା ୪୨୮ ରେକର୍ଡ କରାଯାଇଛି। ବାୟୁ ଗୁଣବତ୍ତା ଓ ସମ୍ବନ୍ଧିତ କାରକକୁ ଧ୍ୟାନରେ ରଖି ହ୍ରାସ କରିବା ଉଦ୍ଦେଶ୍ୟରେ ଜିଆରଏପିରେ ସିଏକ୍ୟୁଏମ୍ ଉପ-ସମିତି ସର୍ବସମ୍ମତି କ୍ରମେ ବର୍ତ୍ତମାନର ଗ୍ରାପ୍ ସ୍ତର ୪ ‘ସିଭିୟର ପ୍ଲସ୍’ ବାୟୁ ଗୁଣବତ୍ତା(ଦିଲ୍ଲୀ ଏକ୍ୟୁଆଇ >୪୫୦) ଅନୁସାରେ ସମସ୍ତ ଉପାୟକୁ ତୁରନ୍ତ ଏନ୍ସିଆରରେ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି।ଗ୍ରାପ୍ ୧,୨ ଓ ୩ ଅନୁସାରେ ଲାଗୁ ଉପାୟ ପୂର୍ବ ଭଳି ରହିବ। ଏହା ବ୍ୟତୀତ ଏନ୍ସିଆର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଅନ୍ୟ ସମ୍ବନ୍ଧିତ ଏଜେନ୍ସି ଗୁଡିକୁ ବାୟୁ ଗୁଣବତ୍ତା ଅଧିକ ଖରାପ ନ ହେବା ପାଇଁ ଉପାୟ ବାହାର କରିବାକୁ କୁହାଯାଇଛି। ଗ୍ରାପ୍-୪ ଅନୁସାରେ ଅନ୍ୟ ରାଜ୍ୟରୁ ଆସୁଥିବା ଭାରୀ ଯାନ ଦିଲ୍ଲୀରେ ପ୍ରବେଶ କରିପାରିବେନି। ତେବେ ଜରୁରୀ ସାମଗ୍ରୀ ନେଉଥିବା ଏବଂ ଜରୁରୀ ସେବା ଯୋଗାଉଥିବା ଟ୍ରକକୁ ଅନୁମତି ମିଳିବ। ସମସ୍ତ ସିଏନଜି, ଇଲେକ୍ଟ୍ରିକ୍ ଓ ବିଏସ-୬ ଡିଜେଲ ଟ୍ରକକୁ ମଧ୍ୟ ଦିଲ୍ଲୀରେ ପ୍ରବେଶ ଅନୁମତି ମିଳିବ। ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟକୁ ଧ୍ୟାନରେ ରଖି ଦିଲ୍ଲୀର ସମସ୍ତ ବିଦ୍ୟାଳୟକୁ ହାଇବ୍ରିଡ୍ ମୋଡରେ ପଢାଇବାକୁ ନିର୍ଦେଶ ଦିଆଯାଇଛି। ଏହି ବ୍ୟବସ୍ଥା ଅନୁସାରେ ଅନଲାଇନ ଓ ଅଫ୍ଲାଇନ ଉଭୟ ମାଧ୍ୟମରେ ପାଠ ପଢା ହେବ। ଯାହା ଫଳରେ ପିଲାମାନଙ୍କୁ ବିଷାକ୍ତ ବାୟୁରେ ବାହାରକୁ ବାହାରିବାକୁ ପଡ଼ିବନି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |