ଉପମୁଖ୍ୟମନ୍ତ୍ରୀ ହେବେ ସୁନେତ୍ରା !

ମୁମ୍ବାଇ,୩୦।୧: ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଏନ୍‌ସିପି ନେତା ଅଜିତ ପାଓ୍ବାରଙ୍କ ପରଲୋକ ପରେ ଦଳ ମଧ୍ୟରେ କ୍ଷମତା ଲଢ଼େଇ ଆରମ୍ଭ ହୋଇଛି।ଉପମୁଖ୍ୟମନ୍ତ୍ରୀ ପଦ ଲାଗି ଦଳର ବରିଷ୍ଠ ନେତା ପ୍ରଫୁଲ ପଟେଲ, ଛଗନ ଭୁଜବଳ, ଧନଞ୍ଜୟ ମୁଣ୍ଡେ ଓ ସୁନୀଲ ଟାଟ୍‌କରେଙ୍କ ଭଳି ନେତା ଆଶାୟୀ ଅଛନ୍ତି। ମାତ୍ର ଦଳର ଅନ୍ୟତମ ବରିଷ୍ଠ ନେତା ତଥା ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ନରହରି ଜିରୱାଲ କହିଛନ୍ତି ଲୋକେ ଅଜିତଙ୍କ ପତ୍ନୀ ସୁନେତ୍ରା ପୱାରଙ୍କୁ ରାଜ୍ୟ ସରକାର ସାମିଲ କରିବାକୁ ଚାହୁଁଛନ୍ତି।  ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ଅଜିତଙ୍କ ସ୍ତ୍ରୀ ସୁନେତ୍ରା ପାଓ୍ବାରଙ୍କ ନାମ ପ୍ରସ୍ତାବ ଦେବାକୁ ଦଳ ବିଚାର କରୁଥିବା ଏକ ସୂତ୍ରରୁ ଜଣାପଡ଼ିଛି। ସୁନେତ୍ରା ଏବେ ରାଜ୍ୟ ସଭା ସଦସ୍ୟ ଅଛନ୍ତି। ସୁନେତ୍ରାଙ୍କୁ ରାଜ୍ୟ ମନ୍ତ୍ରିମଣ୍ଡଳକୁ ଆଣିବା ଲାଗି ଜନସାଧାରଣ ଚାହୁଁଥିବା ବରିଷ୍ଠ ନେତା ତଥା ମହାରାଷ୍ଟ୍ର ଏଫ୍‌ଡିଏ ମନ୍ତ୍ରୀ ନରହରି ଜିର୍‌ଓ୍ବାଲ କହିଛନ୍ତି। ଆଭ୍ୟନ୍ତରୀଣ ପରାମର୍ଶ ନିମନ୍ତେ ବରିଷ୍ଠ ଏନ୍‌ସିପି ନେତା ପ୍ରଫୁଲ୍ଲ ପଟେଲ, ଛଗନ ଭୁଜବଳ, ଧନଞ୍ଜୟ ମୁଣ୍ଡେ ଏବଂ ସୁନିଲ ଟଟ୍‌କାରେ ସୁନେତ୍ରାଙ୍କୁ ଭେଟିଥିଲେ। ସମ୍ଭବତଃ ସୁନେତ୍ରା ଅଜିତଙ୍କ ଆସନରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି କେତେକ ସୂତ୍ରରୁ କୁହାଯାଇଛି।ସୁନେତ୍ରାଙ୍କୁ ଉପମୁଖ୍ୟମନ୍ତ୍ରୀ କରାଇବା ପ୍ରସ୍ତାବ ରହିଛି। ଏନେଇ ଏନ୍‌ସିପି ନେତାମାନେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ଙ୍କୁ ଭେଟି ଆଲୋଚନା କରିବା ଆଶା କରାଯାଉଛି। କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ପଟେଲ ବର୍ତ୍ତମାନ ପାଇଁ ଦଳର ମଙ୍ଗ ଧରିପାରନ୍ତି। ଏନ୍‌ସିପି ସହ ଏନ୍‌ସିପି(ଏସ୍‌ପି)ର ସମ୍ଭାବ୍ୟ ମିଶ୍ରଣ ନେଇ ଆଲୋଚନା ହୋଇପାରେ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଗତ ବୁଧବାର ବୁଣେ ଜିଲାର ବାରାମତୀଠାରେ ଏକ ବିମାନ ଦୁର୍ଘଟଣାରେ ଅଜିତ ପାଓ୍ବାର ଓ ଅନ୍ୟ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ୨୦୨୩ ଜୁଲାଇରେ ଅଜିତ ତତ୍କାଳୀନ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ମହାରାଷ୍ଟ୍ର ସରକାରରେ ସାମିଲ ହେବାରୁ ତାଙ୍କ ଦାଦା ଶରଦ ପାଓ୍ବାରଙ୍କ ଦ୍ୱାରା ପ୍ରତିଷ୍ଠିତ ଏନ୍‌ସିପି ୨ ଭାଗ ହୋଇଯାଇଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!