ଭୁବନେଶ୍ୱର,୩୧।୧:ଫେବ୍ରୁଆରୀ ୧୭ ତାରିଖରୁ ବିଧାନସଭା ବଜେଟ୍ ଅଧିବେଶନ । ଦୁଇଟି ପର୍ଯ୍ୟାୟରେ ଚାଲିବ ବିଧାନସଭା ବଜେଟ୍ ଅଧିବେଶନ । ଫେବ୍ରୁଆରୀ ୨୦ରେ ଆଗତ ହେବ ବଜେଟ୍-୨୦୨୬ । ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୧୭ରୁ ୨୪ ଓ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୯ରୁ ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ହେବ। ବଜେଟ ଅଧିବେଶନରେ ମୋଟ ୨୯ଟି କାର୍ଯ୍ୟ ଦିବସ ରହିଛି। ତେବେ ଅଧିବେଶନ ଆରମ୍ଭର ୪ର୍ଥ ଦିନ (୨୦ ତାରିଖ)ରେ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ରାଜ୍ୟ ବଜେଟ୍ ବିଧାନସଭାରେ ଆଗତ କରିବେ ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଅଧିବେଶନର ପ୍ରଥମ ଦିନ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଗୃହରେ ଅଭିଭାଷଣ ଦେବେ। ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ କରାଯିବ।ପରବର୍ତ୍ତୀ ଦୁଇଦିନ ଧନ୍ୟବାଦ ପ୍ରସ୍ତାବ ଉପରେ ଗୃହରେ ଆଲୋଚନା ହେବ। କ୍ରମାଗତ ତୃତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗୃହରେ ବାର୍ଷିକ ବଜେଟ ଆଗତ କରିବେ। ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୨ ଲକ୍ଷ ୬୫ହଜାର କୋଟି ଟଙ୍କାର ବଜେଟ ଆଣିଥିଲେ। ସେଥିରେ ପ୍ରଶାସନିକ ବ୍ୟୟ ବାବଦକୁ ୯୭ ହଜାର ୭୨୫କୋଟି ଟଙ୍କା ଥିବାବେଳେ କାର୍ଯ୍ୟକ୍ରମ ବାବଦକୁ ୧ଲକ୍ଷ ୫୫ହଜାର କୋଟି ଟଙ୍କା ରହିଥିଲା। ଏହାସହିତ ୩ହଜାର ୯୦୦ କୋଟି ଟଙ୍କା ବିପର୍ଯ୍ୟୟ ପ୍ରଶମନ ପାଇଁ ରହିଥିବାବେଳେ ୮ହଜାର ୩୭୫ କୋଟି ଅନ୍ୟାନ୍ୟ ବ୍ୟୟ ବାବଦକୁ ରହିଥିଲା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୫-୨୬ ଆର୍ଥିକ ବର୍ଷ ଲାଗି୨ ଲକ୍ଷ ୯୦ହଜାର କୋଟି ଟଙ୍କାର ବଜେଟ ଅଣାଯାଇଥିଲା। ସେଥିମଧ୍ୟରେ ପ୍ରଶାସନିକ ଖର୍ଚ୍ଚ ବାବଦକୁ ୧ ଲକ୍ଷ ୮ହଜାର କୋଟି ଟଙ୍କା ଥିବାବେଳେ କାର୍ଯ୍ୟକ୍ରମ ବ୍ୟୟ ବାବଦ ୧ଲକ୍ଷ ୭୦ ହଜାର କୋଟି, ବିପର୍ଯ୍ୟୟ ପ୍ରଶମନ ପାଇଁ ୪ହଜାର କୋଟି ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ହସ୍ତାନ୍ତର ଲାଗି ୮ହଜାର କୋଟି ଟଙ୍କା ରହିଥିଲା। ବର୍ଷକୁ ବର୍ଷ ବଜେଟ ପରିମାଣ ବୃଦ୍ଧି ପାଉଥିବାରୁ ଆର୍ଥିକବର୍ଷ ୨୦୨୬-୨୭ ପାଇଁ ରାଜ୍ୟ ସରକାରଙ୍କ ବଜେଟ ଆକାର ୩ ଲକ୍ଷ ୨୫ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କା ହୋଇପାରେ ବୋଲି କୁହାଯାଉଛି।ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ଆସନ୍ତା ଆର୍ଥିକବର୍ଷ ଲାଗି ସାଧାରଣ ବଜେଟ ଉପସ୍ଥାପନ କରିବେ। ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ମାର୍ଚ୍ଚରେ ହେବ। ଉଭୟ ପର୍ଯ୍ୟାୟରେ ପ୍ରାୟ ୩୦ଦିନ କାର୍ଯ୍ୟ ଦିବସ ଚାଲିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |