ରାଜକନିକାରେ ସିଆଇଏସ୍ଏଫ୍କୁ ସ୍ୱାଗତ
ରାଜକନିକା,୧ା୨: ଦେଶର ସାମୁଦ୍ରିକ ସୀମା ସୁରକ୍ଷାକୁ ସୁଦୃଢ଼ କରିବା ସହ ଉପକୂଳବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ସିଆଇଏସ୍ଏଫ୍ ପକ୍ଷରୁ ଆୟୋଜିତ ‘ବନ୍ଦେ ମାତରମ୍ ଉପକୂଳ ସାଇକ୍ଲୋଥନ୍-୨୦୨୬’ ରବିବାର କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାରେ ପହଞ୍ଚିଛି। ଏହି ଅବସରରେ ଐତିହାସିକ କନିକା ରାଜପ୍ରାସାଦ ପରିସରରେ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ପଶ୍ଚିମବଙ୍ଗର ବଖାଲିରୁ ବାହାରିଥିବା ଏହି ବିଶାଳ ସାଇକେଲ ଶୋଭାଯାତ୍ରା ରବିବାର ସକାଳେ ରାଜକନିକାରେ ପହଞ୍ଚିବା ପରେ ପ୍ରଥମେ ନେତାଜୀ ବ୍ଲକର ସଦସ୍ୟମାନଙ୍କ ପକ୍ଷରୁ ସ୍ୱାଗତ କରାଯାଇଥିଲା। ପରେ ଯବାନମାନେ ରାଜପ୍ରାସାଦରେ ପହଞ୍ଚିବା ପରେ କନିକା ରାଜା ଶିବେନ୍ଦ୍ର ନାରାୟଣ ଭଞ୍ଜଦେଓ ସେମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ସିଆଇଏସ୍ଏଫ୍ ପକ୍ଷରୁ ରାଜା ଶ୍ରୀ ଭଞ୍ଜଦେଓଙ୍କୁ ଏକ ସ୍ମାରକୀ ଫଳକ ପ୍ରଦାନ କରାଯାଇଥିଲା। ଏହି ସମ୍ବର୍ଦ୍ଧନା ସଭାରେ ସିଆଇଏସ୍ଏଫ୍ କମାଣ୍ଡର ସନତ ପଟେଲ, ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଆକାଶ ଜସ୍ୱାଲ, ଇନ୍ସ୍ପେକ୍ଟର କେସି ମୁଣ୍ଡ ଏବଂ ତରାସ ସରପଞ୍ଚ ମନୋରମା ନାୟକଙ୍କ ସମେତ ସ୍ଥାନୀୟ ବୁଦ୍ଧିଜୀବୀ ଓ ସଚେତନ ନାଗରିକମାନେ ଉପସ୍ଥିତ ରହି ଯବାନମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଜନଭାଗୀଦାରୀ’ ଆହ୍ୱାନ ଏବଂ ବରେଣ୍ୟ ଜାତୀୟ କବି ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ରଚିତ ‘ବନ୍ଦେ ମାତରମ୍’ର ୧୫୦ତମ ବାର୍ଷିକୀ ଉପଲକ୍ଷେ ଆୟୋଜିତ ଏହି ସାଇକ୍ଲୋଥନ୍ରେ ୫୦ ପୁରୁଷ ଓ ୫୦ ମହିଳା ଯବାନ ସାମିଲ ହୋଇଛନ୍ତି। ଉପକୂଳ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ‘ନାରୀ ଶକ୍ତି’ର ଏହି ପ୍ରଭାବଶାଳୀ ଭାଗୀଦାରୀ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ହୋଇଛି। ଜାନୁଆରୀ ୨୮ରୁ ଫେବୃଆରୀ ୨୨ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଯାତ୍ରା ପଶ୍ଚିମବଙ୍ଗରୁ ବାହାରି ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କେରଳ, କର୍ଣ୍ଣାଟକ, ଗୋଆ ଏବଂ ମହାରାଷ୍ଟ୍ର ଅତିକ୍ରମ କରି ଶେଷରେ ଗୁଜରାଟରେ ପହଞ୍ଚିବ। ଦୀର୍ଘ ୬,୬୦୦ କିଲୋମିଟର ପରିବ୍ୟାପ୍ତ ଏହି ସାଇକେଲ ଯାତ୍ରା ଦେଶପ୍ରେମର ଭାବନା ଜାଗ୍ରତ କରିବା ସହ ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |