ରାୟଗଡ଼ା, ୧୧ ଫେବୃଆରୀ ୨୦୨୬(ସନ୍ତୋଷ ତ୍ରିପାର୍ଟୀ): “ସ୍ମାର୍ଟ ଟେକ୍, ସୁରକ୍ଷିତ ଚୟନ – କୃତ୍ରିମ ବୁଦ୍ଧିମତା (AI)ର ସୁରକ୍ଷିତ ଓ ଦାୟିତ୍ୱପୂର୍ଣ୍ଣ ବ୍ୟବହାର” ଥିମ୍ରେ ରାୟଗଡ଼ା ଜିଲ୍ଲାରେ ସୁରକ୍ଷିତ ଇଣ୍ଟରନେଟ୍ ଦିବସ–୨୦୨୬ ଉପଲକ୍ଷେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ସରକାରୀ ଆଇଟିଆଇ, ରାୟଗଡ଼ା ଠାରେ ଅନୁଷ୍ଠିତ ହୋଇଥିଲା।
ଏହି ସଚେତନତା ସଭାଗୁଡ଼ିକୁ ଶ୍ରୀ ଗୁଣ ସେଖର ନେଥେଟି, ଯୁଗ୍ମ ନିର୍ଦ୍ଦେଶକ (ଆଇଟି) ଏବଂ ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ (ଡିଆଇଓ), ଏନଆଇସି, ରାୟଗଡ଼ାଙ୍କ ନେତୃତ୍ୱରେ ଶ୍ରୀ ନବୀନ, ଏ.ଡି.ଆଇ.ଓ, ଏନଆଇସି, ରାୟଗଡ଼ା ଏବଂ ଶ୍ରୀ ନରେନ୍ଦ୍ର ସସ୍ମଲ, ଜିଲ୍ଲା ସମନ୍ୱୟକ, ସିଏମଜିଆଇ, ରାୟଗଡ଼ା ସହଯୋଗ କରିଥିଲେ। ପ୍ରଭାତ ସମୟରେ ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ-ଅଧ୍ୟାପିକାମାନଙ୍କ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅପରାହ୍ନରେ ସରକାରୀ ଆଇଟିଆଇ, ରାୟଗଡ଼ାରେ ଶ୍ରୀ ନବୀନ ଚନ୍ଦ୍ର ନାଏକ, ଓ.ଏ.ଏସ୍ (ଏସ.ଏ.ଜି), ଅତିରିକ୍ତ ଜିଲ୍ଲାପାଳ, ରାୟଗଡ଼ାଙ୍କ ଉପସ୍ଥିତିରେ ଆଉ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଇଣ୍ଟରନେଟ୍ର ସୁବିଧା ଓ ଅସୁବିଧା, ସମ୍ଭାବ୍ୟ ସାଇବର ଆକ୍ରମଣ ଓ ଝୁମକି, ସାଧାରଣ ଅନଲାଇନ୍ ଠକେଇ, ସାଇବର ଠକେଇରୁ ସୁରକ୍ଷା, ମୋବାଇଲ୍ ଆପ୍ ସୁରକ୍ଷା, ସାଇବର ବୁଲିଂ, କୃତ୍ରିମ ବୁଦ୍ଧିମତା (AI)ର ମୂଳ ଧାରଣା, AIର ସୁରକ୍ଷିତ ବ୍ୟବହାର, ସୋସିଆଲ୍ ମିଡିଆ ସଚେତନତା, ସାଇବର ନୀତି ଏବଂ ଅନଲାଇନ୍ ସୁରକ୍ଷା ପାଇଁ ଉତ୍ତମ ପ୍ରଥା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ମୋଟ ୨୧୩ ଜଣ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଉଦ୍ବୋଧନ ଦେଇ ଶ୍ରୀ ଗୁଣ ସେଖର ନେଥେଟି ସାଇବର ସ୍ୱଚ୍ଛତାର ଗୁରୁତ୍ୱ ଉପରେ ଜୋର ଦେଇ ଛାତ୍ରଛାତ୍ରୀ ଓ ଅଧିକାରୀମାନଙ୍କୁ ସୁରକ୍ଷିତ ଇଣ୍ଟରନେଟ୍ ବ୍ୟବହାର ଅପନାଇବାକୁ ଆହ୍ୱାନ କରିଥିଲେ। ସେମାନେ ନିଜ ପରିବାର, ବନ୍ଧୁବାନ୍ଧବ ଓ ସମାଜରେ ଡିଜିଟାଲ୍ ସଚେତନତା ପ୍ରସାର କରିବାକୁ ମଧ୍ୟ ଆହ୍ୱାନ କରିଥିଲେ। କାର୍ଯ୍ୟକ୍ରମର ଶେଷରେ ଏକ ଆଲୋଚନା ସତ୍ର ଅନୁଷ୍ଠିତ ହୋଇ ଅଂଶଗ୍ରହୀମାନେ ସାଇବର ସୁରକ୍ଷା ସମ୍ପର୍କିତ ପ୍ରଶ୍ନ ଓ ଅନୁଭବ ସାଝା କରିଥିଲେ। ଏହି ପଦକ୍ଷେପ ମାଧ୍ୟମରେ ଡିଜିଟାଲ୍ ସାକ୍ଷରତା ବୃଦ୍ଧି ସହ ଏକ ସୁରକ୍ଷିତ ଓ ଦାୟିତ୍ୱପୂର୍ଣ୍ଣ ଡିଜିଟାଲ୍ ପରିବେଶ ଗଢ଼ିଉଠିବାର ଲକ୍ଷ୍ୟ ରଖାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |