ରଥଯାତ୍ରା ପାଇଁ ପୁରୀ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା, ହୋଟେଲ ଏବଂ ଗେଷ୍ଟ ହାଉସରେ ରାତ୍ରିକାଳୀନ ଯାଞ୍ଚ

ପୁରୀ : ରଥଯାତ୍ରା ୨୦୨୬ ଅବସରରେ ପୁରୀର ବିଭିନ୍ନ ହୋଟେଲରେ ପୋଲିସ ପକ୍ଷରୁ ବ୍ୟାପକ ରାତ୍ରିକାଳୀନ ଯାଞ୍ଚ ଆରମ୍ଭ ହୋଇଛି । ରଥଯାତ୍ରାରେ ସାମିଲ ହେଉଥିବା ଲକ୍ଷାଧିକ ଶ୍ରଦ୍ଧାଳୁ, ପର୍ଯ୍ୟଟକ ଏବଂ ଦେଶ ବିଦେଶର ଅତିଥିମାନଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ପୁରୀ ପୋଲିସ ପକ୍ଷରୁ ହୋଟେଲ, ଲଜ୍, ଗେଷ୍ଟହାଉସ ଏବଂ ରହଣି ବ୍ୟବସ୍ଥା ଥିବା ପ୍ରତିଷ୍ଠାନଗୁଡ଼ିକରେ ରାତ୍ରିକାଳୀନ ଯାଞ୍ଚ ଅଭିଯାନ କରାଯାଉଛି। ଯାଞ୍ଚ ଅଭିଯାନର ନେତୃତ୍ବ ନେଉଛନ୍ତି ପୁରୀରେ ଥିବା ଥାନାଗୁଡ଼ିକର ଥାନା ଅଧିକାରୀ । ସେମାନଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀ , ସ୍ୱତନ୍ତ୍ର ଟିମ୍ ଏବଂ ସୁରକ୍ଷା ବାହିନୀ ସଦସ୍ୟମାନେ ରାତ୍ରିକାଳୀନ ଯାଞ୍ଚରେ ଅଂଶଗ୍ରହଣ କରୁଥିବା ସୂଚନା ଦେଇଛନ୍ତି ପୁରୀ ଏସପି ପ୍ରତୀକ ସିଂ ।

ପୁରୀରେ ରାତ୍ରିକାଳୀନ ଯାଞ୍ଚ:

ରାତ୍ରି ସମୟରେ ହଠାତ୍ ଯାଞ୍ଚ ମାଧ୍ୟମରେ ହୋଟେଲଗୁଡ଼ିକରେ ରହୁଥିବା ଅତିଥିମାନଙ୍କର ସୁରକ୍ଷା, ରେଜିଷ୍ଟର ଏବଂ ଡିଜିଟାଲ ରେକର୍ଡର ସଠିକ୍ ସଂରକ୍ଷଣ, ପରିଚୟପତ୍ର ଯାଞ୍ଚ, ସନ୍ଦେହଜନକ ବ୍ୟକ୍ତିଙ୍କ ଉପରେ ନଜରଦାରୀ ଏବଂ ସାମଗ୍ରିକ ଆଇନ-ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରାଯାଉଛି । ଯାଞ୍ଚ ସମୟରେ ହୋଟେଲ କର୍ତ୍ତୃପକ୍ଷଙ୍କୁ ସମସ୍ତ ଅତିଥିଙ୍କର ସଠିକ୍ ି ପରିଚୟପତ୍ର ସଂଗ୍ରହ କରିବା, ଚେକ୍-ଇନ୍ ଏବଂ ଚେକ୍-ଆଉଟ୍ ସମ୍ବନ୍ଧୀୟ ରେକର୍ଡକୁ ସଠିକ୍ ଭାବେ ରେକର୍ଡ କରିବା, ସନ୍ଦେହଜନକ ବ୍ୟକ୍ତି କିମ୍ବା ଅସ୍ୱାଭାବିକ କାର୍ଯ୍ୟକଳାପ ସମ୍ପର୍କରେ ତୁରନ୍ତ ନିକଟସ୍ଥ ଥାନାକୁ ଅବଗତ କରିବା, ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ସକ୍ରିୟ ରଖିବା ଏବଂ ସିସିଟିଭି କ୍ୟାମେରା ସବୁବେଳେ କାର୍ଯ୍ୟକ୍ଷମ ରଖିବା ପାଇଁ ପରାମର୍ଶ ଦିଆଯାଉଛି। ହୋଟେଲ ପରିଚାଳକମାନଙ୍କୁ ବିନା ପରିଚୟପତ୍ରରେ କୌଣସି ବ୍ୟକ୍ତିଙ୍କୁ ରହିବାକୁ ଅନୁମତି ନ ଦେବା, ବିଦେଶୀ ନାଗରିକଙ୍କ ସମ୍ବନ୍ଧୀୟ ପ୍ରଚଳିତ ନିୟମାବଳୀକୁ କଡାକଡି ପାଳନ କରିବା ଏବଂ ପୋଲିସ ସହିତ ସର୍ବଦା ସମନ୍ୱୟ ରକ୍ଷା କରିବାକୁ ଅନୁରୋଧ କରାଯାଇଛି। ପୁରୀ ଏସପି ପ୍ରତୀକ ସିଂଙ୍କ ପକ୍ଷରୁ ସୂଚନା ଦିଆଯାଇଛି ଯେ, “ରଥଯାତ୍ରା ଅବସରରେ ଆସୁଥିବା ପ୍ରତ୍ୟେକ ଭକ୍ତ, ପର୍ଯ୍ୟଟକ ଓ ଅତିଥିଙ୍କୁ ଏକ ସୁରକ୍ଷିତ, ଶୃଙ୍ଖଳିତ ଓ ନିର୍ଭୟ ପରିବେଶ ପ୍ରଦାନ କରିବା ପାଇଁ ପୁରୀ ପୋଲିସ ୨୪×୭ ସଜାଗ ଏବଂ ସକ୍ରିୟ ରହିଛି । “ଏସପି ପ୍ରତୀକ ସିଂ କହିଛନ୍ତି, ଯେ “ସହରର ପ୍ରମୁଖ ସ୍ଥାନ, ଧାର୍ମିକ ସ୍ଥଳ, ପାର୍କିଂ ସ୍ଥାନ, ହୋଟେଲ, ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ, ସମୁଦ୍ର କୂଳ ଏବଂ ଅନ୍ୟାନ୍ୟ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ପୋଲିସ ପାଟ୍ରୋଲିଂ ଓ ନଜରଦାରିକୁ ଆହୁରି ସୁଦୃଢ଼ କରାଯାଇଛି । ପୁରୀ ପୋଲିସ ସମସ୍ତ ହୋଟେଲ ମାଲିକ, ପରିଚାଳକ ଏବଂ ପର୍ଯ୍ୟଟନ ସମ୍ବନ୍ଧୀୟ ପ୍ରତିଷ୍ଠାନମାନଙ୍କୁ ଆଇନଗତ ନିୟମ ପାଳନ କରିବା ସହ ପୋଲିସକୁ ପୂର୍ଣ୍ଣ ସହଯୋଗ କରିବାକୁ ଅନୁରୋଧ କରାଯାଉଛି । “

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!