ନୂଆଦିଲ୍ଲୀ,୧୨।୭:ଦିଲ୍ଲୀରେ ବନ୍ୟା ଭୟ । ଯମୁନା ନଦୀ ବିପଦ ସଙ୍କେତ ଟପି ପ୍ରବାହିତ ହେଉଛି। ଯମୁନା ନଦୀ ଫୁଲୁଥିବାରୁ ଦିଲ୍ଲୀ ସରକାର ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରିଛନ୍ତି। ହିମାଚଳରେ ଲାହଲ୍ ଏବଂ ସ୍ପିଟି ଜିଲ୍ଲାର ଚାନ୍ଦେରତାଲ୍ରେ ପ୍ରାୟ ୩୦୦ ପର୍ଯ୍ୟଟକ ଫସି ରହିଛନ୍ତି। ୧୪,୧୦୦ ଫୁଟ୍ ଉଚ୍ଚରେ ସେମାନେ ଫସିଥିବାବେଳେ ସେମାନଙ୍କୁ ଉଦ୍ଧାର କରିବାପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବର୍ଷା ଏବଂ ବରଫପାତ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି। ତେବେ ପଂଜାବ ଏବଂ ହରିୟାଣାରେ ୩ ଦିନର ବର୍ଷା ପରେ ପାଗ ସୁଧୁରିଛି। ପ୍ରବଳ ବର୍ଷା ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ପରି ରାଜ୍ୟରେ ପ୍ରଳୟ ରଚିଛି । ତେବେ ଏବେ ଦିଲ୍ଲୀରେ ବି ପ୍ରବଳ ଓ ଅବିରତ ବର୍ଷା କାରଣରୁ ଯମୁନାର ଜଳସ୍ତର ବିପଦ ସଂକେତ ଟପିଯାଇଛି । ଆଜି ସକାଳେ ପୁରୁଣା ଦିଲ୍ଲୀ ରେଲୱେ ବ୍ରିଜ୍ ଠାରେ ଯମୁନାର ଜଳସ୍ତର ୨୦୭ ମିଟର ପାର କରିଯାଇଛି । ତେବେ ହରିୟାଣାର ହଥିନୀକୁଣ୍ଡ ବ୍ୟାରେଜ୍ ରୁ ୩ ଲକ୍ଷ କ୍ୟୁସେକ୍ ଜଳ ଛଡା ଯିବା ପରେ ଯମୁନାର ଜଳସ୍ତର ବୃଦ୍ଧି ପାଇଛି । ତେବେ ୧୯୭୮ ପରେ ପ୍ରଥମ ଥର ପାଇଁ ଯମୁନାର ଜଳସ୍ତର ଏହି ରେକର୍ଡ ମାତ୍ର ଛୁଇଁଛି । ଦିଲ୍ଲୀରେ ବଢୁଥିବା ବିପଦକୁ ଲକ୍ଷ୍ୟ କରି ଓଖଲା ବ୍ୟାରେଜ୍ର ସବୁ ଗେଟ୍ ଖୋଲି ଦିଆଯାଇଛି ।ଆଇଏମ୍ଡି ଆକଳନ ଅନୁଯାୟୀ ୨୩ଟି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଉତ୍ତରାଖଣ୍ଡ ଏବଂ ହିମାଚଳପ୍ରଦେଶର ବିଭିନ୍ନ ଅଞ୍ଚଳରେ ରେଡ ଆଲର୍ଟ ଜାରି ହୋଇଛି। ପଶ୍ଚିମବଙ୍ଗ, ସିକ୍କିମ, ଅରୁଣାଚଳପ୍ରଦେଶ, ଆସାମ ଏବଂ ମେଘାଳୟରେ ଅତି ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି। ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଆଜି ବନ୍ୟା ପ୍ରବଣ ଅଞ୍ଚଳ କୁଲ୍ଲୁ, ମଣ୍ଡି ଏବଂ ଲାହଲ ସ୍ପିଟି ଜିଲ୍ଲାରେ ଏରିଏଲ୍ ସର୍ଭେ କରିଛନ୍ତି। ଉଦ୍ଧାର କାର୍ଯ୍ୟରେ ୬ ହେଲିକପ୍ଟର ମୁତୟନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ହିମାଚଳର ସୋଲନ, ସିମଲା, ସିରମୌର, କୁଲ୍ଲୁ, ମଣ୍ଡି, ଲାହୌଲରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରେଡ୍ ଆଲର୍ଟ ଜାରି ହୋଇଛି। ସେହିପରି ଉନା, ହମିରପୁର, କାଙ୍ଗ୍ରା ଏବଂ ଚାମ୍ବାରେ ଅରେଂଜ ଆଲର୍ଟ ଜାରି ହୋଇଛି। ପ୍ରବଳ ବର୍ଷା ଯୋଗୁଁ ହିମାଚଳରେ ୧୨ ପ୍ରମୁଖ ବ୍ରିଜ୍ ଭାଙ୍ଗି ଯାଇଥିବା ବେଳେ ୧୨୦୦ରୁ ଅଧିକ ଗୁରୁତ୍ବପୂର୍ଣ୍ଣ ରାସ୍ତା ବନ୍ଦ ରହିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |