ବରିଷ୍ଠ ଓଏଏସସ୍ତରରେ ବଦଳି

ଭୁବନେଶ୍ୱର,୧୫।୭: ବରିଷ୍ଠ ଓଏଏସ ଅଫିସର ପ୍ରସନ୍ନ କୁମାର ଷଡ଼ଙ୍ଗୀଙ୍କୁ ଓଡ଼ିଶା ମଦ ନିଗମର ପରିଚାଳନା ନିର୍ଦ୍ଦେଶକ ପଦରୁ ହଟାଇ କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ)ର ଜେନେରାଲ ମ୍ୟାନେଜର(ପିଆଣ୍ଡଏ) ଭାବେ ବଦଳି କରାଯାଇଥିବାବେଳେ ବରିଷ୍ଠ ଓଏଏସ ଅଫିସର ଅଶୋକ କୁମାର ପଣ୍ଡାଙ୍କୁ ଇଏସଆଇ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ସୂଚନା ଅନୁସାରେ, ଗତବର୍ଷ ଜୁନ୍ ୯ତାରିଖରେ ବରିଷ୍ଠ ଓଏଏସ ଶ୍ରୀ ଷଡ଼ଙ୍ଗୀଙ୍କୁ ରାଜ୍ୟ ସରକାର ଓଡ଼ିଶା ମଦ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରିଥିଲେ । ଶ୍ରୀ ଷଡ଼ଙ୍ଗୀ ତତକାଳୀନ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ବ୍ୟକ୍ତିଗତ ସଚିବ ଭାବେ କାମ କରୁଥିବାବେଳେ ତାଙ୍କୁ ମଦ ନିଗମ ଦାୟିତ୍ୱ ମିଳିଥିଲା । ସେହିପରି ଶ୍ରମ ଓ ଇଏସଆଇ ବିଭାଗର ଅତିରିକ୍ତ ସଚିବ ଅଶୋକ କୁମାର ପଣ୍ଡାଙ୍କୁ ଇଏସଆଇ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି । କ୍ରୁଟ୍ ଜେନେରାଲ ମ୍ୟାନେଜର ଦୀପ୍ତି ମହାପାତ୍ରଙ୍କୁ କାଜୁ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିବାବେଳେ ଭୁବନେଶ୍ୱର ଉପଜିଲ୍ଲାପାଳ ନିବେଦିତା ବିଶ୍ୱାଳ ଶ୍ରମ ଓ ଇଏସଆଇ ବିଭାଗର ଯୁଗ୍ମ ସଚିବ ହେବେ । ଶ୍ରୀମତୀ ବିଶ୍ୱାଳଙ୍କୁ ଓଡ଼ିଶା ନିର୍ମାଣ ଓ ଅନ୍ୟାନ୍ୟ ଶ୍ରମିକ ବୋର୍ଡର ଓଏସଡି ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି । ରାଜ୍ୟ ସରକାର ବରିଷ୍ଠ ଓଏଏସସ୍ତରରେ ଅଦଳବଦଳ କରିଛନ୍ତି । ଭୁବନେଶ୍ୱରସ୍ଥିତ ଇଡକୋ ଲ୍ୟାଣ୍ଡ ଅଫିସର ବରଣ୍ୟେନ୍ଦୁ ମହାନ୍ତିଙ୍କୁ ଅନୁଗୁଳ ଉପଜିଲ୍ଲାପାଳ ଭାବେ ବଦଳି ହୋଇଛି। ସେହିପରି ପୁରୀ ଉପଜିଲ୍ଲାପାଳ ଜିତେନ୍ଦ୍ର କୁମାର ପାତ୍ରଙ୍କ ମିଶନ ଶକ୍ତି ବିଭାଗର ବଦଳିକୁ ବାତିଲ କରି ତାଙ୍କୁ ଆଠମଲ୍ଲିକ ଉପଜିଲ୍ଲାପାଳ(ଏସଡିଏମ) ଭାବେ ବଦଳି କରାଯାଇଛି । ସେହିପରି ଓଏଏସ୍ ପରୀକ୍ଷିତ ସାହୁଙ୍କୁ ଦେବଗଡ଼ ଉପଜିଲ୍ଲାପାଳ, ପ୍ରସନ୍ନ କୁମାର ତରାଇଙ୍କୁ ଆଠଗଡ଼ ଉପଜିଲ୍ଲାପାଳ ଓ ସମ୍ପଦ କୁମାର ଦଳାଇଙ୍କୁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡର ଜେନେରାଲ ମ୍ୟାନେଜର(ପ୍ରଶାସନ) ଭାବେ ବଦଳି ହୋଇଛି । ଶ୍ରୀ ସାହୁ ଏବେ ଅମ୍ବାବନା ତହସିଲଦାର, ଶ୍ରୀ ତରାଇ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗରେ ଓଏସଡି ଏବଂ ଶ୍ରୀ ଦଳାଇ ଭୁବନେଶ୍ୱର ବିଡିଓ ଭାବେ କାର୍ଯ୍ୟ କରୁଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!