ଆଜି ଶ୍ରାବଣ ମାସର ଦ୍ଵିତୀୟ ସୋମବାର,ଶୈବପୀଠରେ ସ୍ଵତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର,୧୭ା୭:ଆଜି ଶ୍ରାବଣ ମାସର ଦ୍ଵିତୀୟ ସୋମବାର। ଯାହାକୁ ନେଇ ସମସ୍ତ ଶୈବପୀଠରେ ଲାଗି ରହିଛି କାଉଡିଆଙ୍କ ଭିଡ଼। ଝିପ ଝିପ ବର୍ଷାରେ ଲମ୍ଵା ଲାଇନରେ ଛିଡ଼ା ହୋଇ ଭଗବାନଙ୍କୁ ଜଳଲାଗି କରୁଛନ୍ତି ଭକ୍ତ। କାଉଡିଆଙ୍କ ଜଳଲାଗି ପାଇଁ ସମସ୍ତ ଶୈବପୀଠ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ସାଧାରଣ ଦର୍ଶନ ସହ କିପରି କାଉଡିଆ ମାନେ ସୁରୁଖୁରରେ ଜଳଲାଗି କରିପାରିବେ ସେ ନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରିଛି ମନ୍ଦିର ପ୍ରଶାସନ। କଟକ ଜିଲ୍ଲା ଆଠଗଡ଼ସ୍ଥିତ ପ୍ରସିଦ୍ଧ ଶୈବକ୍ଷେତ୍ର ଧବଳେଶ୍ବର ପୀଠରେ ଜଳଲାଗି ପାଇଁ କାଉଡ଼ିଆ ଭିଡ଼ ବଢ଼ିବାରେ ଲାଗିଛି।  ସୋମବାର ସଂକ୍ରାନ୍ତି ପଡ଼ୁଥିବାରୁ ଠାକୁରଙ୍କୁ ଦହି, ଘିଅ, କ୍ଷୀର, ମହୁ ଆଦିରେ ସୋମମତି ସ୍ନାନ କରାଯାଇ ମଙ୍ଗଳ ଆଳତି, ଘର୍ଷଣ ସହ ଭୋଗ ଅର୍ପଣ କରାଯିବା ପରେ କାଉଡ଼ିଆମାନେ ଜଳଲାଗି କରିବେ। ତେବେ ଦିନ ୧୧ଟାରେ ଠାକୁରଙ୍କ ମଧ୍ୟାହ୍ନ ଧୂପ ଅବକାଶରେ ପ୍ରାୟ ୧ ଘଣ୍ଟା ମନ୍ଦିର ପହୁଡ଼ ପଡ଼ିବ ଏବଂ ଜଳଲାଗି ଓ ଦର୍ଶନ ବନ୍ଦ ରହିବ। ଏହାପରେ ପୂର୍ବ ପରି ଭକ୍ତମାନେ ଦର୍ଶନ ଓ ଜଳଲାଗି କରିପାରିବେ ବୋଲି ପୂଜକ ସମାଜ ପକ୍ଷରୁ ସଭାପତି ବିଷ୍ଣୁଚରଣ ପତ୍ରି ସୂଚନା ଦେଇଛନ୍ତି। ସନ୍ଧ୍ୟାରେ ପୀଠରେ ହୋମ କରାଯିବା ସହ ମେଳା ଅନୁଷ୍ଠିତ ହେବ। ଏହାପରେ ମଳମାସ ଆରମ୍ଭ ହେଉଥିବାରୁ କାଉଡ଼ିଆମାନଙ୍କ ଜଳ ଲାଗି ଏକମାସ ପାଇଁ ବନ୍ଦ ରହିବ। ଆସନ୍ତା ଅଗଷ୍ଟ ମାସ ୨୧ ଓ ୨୮ ତାରିଖରେ ପୁଣି ବୋଲବମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ସମୟରେ ପ୍ରତ୍ୟେକ ଦିନ ପରି ଠାକୁରଙ୍କ ନୀତିକାନ୍ତି ଓ ସର୍ବସାଧାରଣ ଦର୍ଶନ ଜାରି ରହିବ ବୋଲି ଜଣାପଡ଼ିଛି। ତେବେ ପ୍ରାୟ ଏକମାସ ପର୍ଯ୍ୟନ୍ତ ମାନସିକଧାରୀ କାଉଡ଼ିଆମାନେ ଜଳଲାଗି କରିପାରିବେ ନାହିଁ। ଏଥିପାଇଁ ଦ୍ବିତୀୟ ସୋମବାର ପୀଠରେ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଛି। ଏହାକୁ ଦୃଷ୍ଟିରେ ରଖି ପୀଠରେ ପୁଲିସ୍‌ ପ୍ରଶାସନ ଓ ମନ୍ଦିର ପୂଜକ ସମାଜ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!