ସମ୍ବଲପୁର,୧।୮: ଆଜି ସମ୍ବଲପୁରୀ ଦିନ |ଉତ୍ସବମୁଖର ପଶ୍ଚିମଓଡ଼ିଶା |ପଶ୍ଚିମ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଆଜି ବେଶ୍ ଉତ୍ସାହ ସହ ପାଳିତ ହେଉଛି ସମ୍ବଲପୁରୀ ଦିନ । ଏହି ଦିନ ସମ୍ବଲପୁର ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କୁ ସମ୍ବଲପୁରୀ ପୋଷାକ ପିନ୍ଧି କାର୍ଯ୍ୟାଳୟରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଜିଲ୍ଲାପାଳ ସମ୍ବଲପୁର ମ୍ୟୁନିସିପାଲ୍ କର୍ପୋରେସନ୍, ସମସ୍ତ ଉପଜିଲ୍ଲାପାଳ, ଜିଲ୍ଲାର ସବୁ ବିଡିଓ, ତହସିଲଦାର ଓ ବିଭାଗୀୟ ମୁଖ୍ୟମାନଙ୍କୁ ଚିଠି କରି ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ ପହିଲାରେ ଗୁରୁ ସ୍ୱର୍ଗତ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନ। ସମ୍ବଲପୁରୀ ଭାଷାର ପ୍ରଚାର, ପ୍ରସାର ଲାଗି ସେ ନିଜ ଜୀବନର ବହୁ ମୂଲ୍ୟ ସମୟ ଦେଇଥିଲେ । ଆଉ ତାଙ୍କର ତ୍ୟାଗ ପାଇଁ ସାରା ପଶ୍ଚିମ ଓଡ଼ିଶା ଅଗଷ୍ଟ ୧କୁ ସମ୍ବଲପୁରୀ ଦିନ ଭାବେ ପାଳନ କରି ଆସୁଛି।ଏଥିପାଇଁ ବିଭିନ୍ନ ସ୍ଥାନରେ ସାଂସ୍କୃତିକ ଅନୁଷ୍ଠାନ ଗୁଡ଼ିକ ତରଫରୁ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି । ପ୍ରତିବର୍ଷ ଏହି ଅବସରରେ ପୂରା ପଶ୍ଚିମାଞ୍ଚଳ ଉତ୍ସବମୁଖର ହୋଇପଡ଼େ। ସମ୍ବଲପୁରିଆ ଭାବେ ଗର୍ବ କରୁଥିବା ପ୍ରତିଟି ମଣିଷ ଏହିଦିନ ସମ୍ବଲପୁରୀ ବସ୍ତ୍ର ଏବଂ ସମ୍ବଲପୁରୀ ଖାଦ୍ୟ ଗ୍ରହଣ କରି ଏହି ଦିବସ ପାଳନ କରିଥାନ୍ତି। ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ସମ୍ବଲପୁରୀ ଭାଷା, ସଂସ୍କୃତି, କଳା ଏବଂ ଐତିହ୍ୟ ସ୍ୱତନ୍ତ୍ର। ଏହାକୁ ଆହୁରି ପ୍ରଚାର ପ୍ରସାର କରି ଏହି ଦିବସର ଉଦ୍ଦେଶ୍ୟ। ବିଶେଷ କରି ସମ୍ବଲପୁରୀ ନୃତ୍ୟର ଆଦର ଖୁବ୍ ବେଶୀ। ଦେଶ ବିଦେଶରେ ଏହା ପରିଚିତ। ସମ୍ବଲପୁରୀ ଲୋକଗୀତ କାନରେ ପଡ଼ିଲେ ମତୁଆଲା ହୋଇଥାନ୍ତି ଲୋକ। ଗୀତର ତାଳେ ତାଳେ ନାଚି ଉଠେ ପାଦ। ଏହି ଦିବସରେ ସ୍ଥାନେ ସ୍ଥାନେ ଲୋକ ସମ୍ବଲପୁରୀ ନୃତ୍ୟ କରିଥାନ୍ତି।ସମ୍ବଲପୁରୀ ସଙ୍ଗୀତରେ ଢୋଲ ,ମାଦଳ , ନିସାନ, ତାସା, ପାଖୋଜ, ବଂଶୀ, ବୀର, କାହାଳି, ଗିନି, ଏକତାରା, ମହୁରୀ, ଘୁଲଗୁଲା, ଘୁଙ୍ଗୁର, ଝାଞ୍ଜ ଇତ୍ୟାଦି ବାଦ୍ୟଯନ୍ତ୍ର ବ୍ୟବହାର ହୋଇଥାଏ। ତେଣୁ ଏଠାକାର ସଙ୍ଗୀତର ସ୍ୱତନ୍ତ୍ରତା ବାରି ହୋଇପଡ଼େ। କେବଳ ଏତିକି ନୁହେଁ ସମ୍ବଲପୁରୀ ଭାଷା ମଧ୍ୟ ମଧୁର। ରାଜ୍ୟବ୍ୟାପୀ ଲୋକେ ସମ୍ବଲପୁରୀ ଭାଷାକୁ ଆଦର କରିଥାନ୍ତି। ଏଠିକାର ପର୍ବ ମଧ୍ୟ ସବୁଠୁ ନିଆରା। ଶୀତଲ ଷଷ୍ଠୀ, ନୂଆଖାଇ, ଭାଇଜୋଊତିଆ, ପୁଅଜୋଊତିଆ ଆଦି ପର୍ବ ସମ୍ବଲପୁର ବଡ଼ ପର୍ବ। ଏହି ପର୍ବକୁ ବେଶ ଧୁମଧାମରେ ପାଳନ କରିଥାନ୍ତି ସମ୍ବଲପୁରବାସୀ|
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |