ଚଣ୍ଡିଗଡ,୨।୮: ମଣିପୁରରେ ହିଂସା ଥମି ନ ଥିବାବେଳେ ଏବେ ହରିୟାଣାରେ ସାମ୍ପ୍ରଦାୟିକ ହିଂସା ଦେଖାଦେଇଛି। ଯେଉଁଥିପାଇଁ ସେଠାରେ ଜଳାପୋଡ଼ା ସ୍ଥିତି। ହରିୟାଣା ମେୱାତରେ ବଡ଼ ଧରଣର ସାଂପ୍ରଦାୟିକ ହିଂସାକାଣ୍ଡ। ବ୍ରିଜମଣ୍ଡଳ ଯାତ୍ରା ସମୟରେ ଦୁଇ ସଂପ୍ରଦାୟ ଭିତରେ ଗୋଷ୍ଠୀ କନ୍ଦଳ ଯୋଗୁଁ ସ୍ଥିତି ଅଣାୟାତ୍ତ। ଗୁରୁଗ୍ରାମ, ଫରିଦାବାଦ ପର୍ଯ୍ୟନ୍ତ ହିଂସା ବ୍ୟାପିଥିବା ବେଳେ ହିଂସାକାଣ୍ଡରେ ଦୁଇ ପୁଲିସ କର୍ମୀଙ୍କ ସମେତ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଛି। ହରିୟାଣାର ନୁହରେ ବିଶ୍ବ ହିନ୍ଦୁ ପରିଷଦ (ଭିଏଚ୍ପି) ଦ୍ବାରା ଧାର୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ଉପୁଜିଥିବା ହିଂସା ଏବେ ରାଜ୍ୟର ଅନ୍ୟ ଅଞ୍ଚଳକୁ ମଧ୍ୟ ବ୍ୟାପିଛି। ଉକ୍ତ ଘଟଣାରେ ୨ ହୋମ୍ ଗାର୍ଡ, ଜଣେ ଇମାମ୍ଙ୍କ ସମେତ ମୋଟ୍ ୫ ଜଣଙ୍କ ମୃତ୍ୟୁ ହୋଇଛି। ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି, ନୁହ ଜିଲ୍ଲା ଏବଂ ଆଖାପାଖ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବା ସହ ଧାରା ୧୪୪ ଜାରି ହୋଇଛି। ଉକ୍ତ ଘଟଣାରେ ୪୪ଟି ଏତଲା ରୁଜୁ ହୋଇଛି ଏବଂ ୭୦ ଜଣ ଗିରଫ ହୋଇଛନ୍ତି। ହିଂସା ଘଟଣାରେ ୭୦ ଜଣ ଆହତ ହୋଇଛନ୍ତି। ଉକ୍ତ ଘଟଣା ପରେ ହରିୟାଣାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି ଏବଂ ହାଇ ଆଲର୍ଟ ଜାରି ହୋଇଛି। ଗୁରୁଗ୍ରାମରେ ଗତରାତିରେ ଏକ ମସଜିଦ ଉପରେ ଆକ୍ରମଣ ହୋଇଥିଲା। ସେକ୍ଟର ୫୭ରେ ଥିବା ଏକ ନିର୍ମାଣାଧୀନ ମସଜିଦ ବାହାରେ ଗତରାତିରେ ଜଣେ ଇମାମ୍ ଏବଂ ଅନ୍ୟ ଜଣଙ୍କ ଉପରେ ଆକ୍ରମଣ ହୋଇଥିଲା। ଇମାମ୍ ମହମ୍ମଦ ସାଦ୍ଙ୍କର ଆକ୍ରମଣରେ ମୃତ୍ୟୁ ହୋଇଛି। ଅନ୍ୟ ଏକ ମସଜିଦ୍ ମଧ୍ୟ ଜାଳି ଦିଆଯାଇଛି। ଉଗ୍ର ଜନତା ମନ୍ଦିରରେ ଆକ୍ରମଣ କରିବା ଦ୍ବାରା ଜଣେ ପୁରୋହିତ ଆହତ ହୋଇଛନ୍ତି। ଏହି ଘଟଣା ପରେ ଏହି ଅଂଚଳର ସମସ୍ତ ଧାର୍ମିକ ଅନୁଷ୍ଠାନରେ ସୁରକ୍ଷା କଡ଼ାକଡ଼ି କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |