ଭୁବନେଶ୍ୱର,୮।୮:ଓଡ଼ିଆରେ ନାମଫଳକ ନଲେଖିଲେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ୍ ଗଣିବାକୁ ପଡ଼ିବ। ଖାଲି ଏତିକି ନୁହେଁ କୋର୍ଟ ବି ଦୌଡ଼ିବାକୁ ପଡ଼ିବ। ଏଭଳି ଶୂନ୍ୟ ସହନଶୀଳତା ନୀତି ଆପଣାଇଛି ଓଡ଼ିଆ ଭାଷା ପ୍ରତିଷ୍ଠାନ। ଏପରିକି ରାଜ୍ୟର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ଉପରେ ଶ୍ରମ ବିଭାଗ ଓ ଓଡିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଚଢ଼ାଉ ବି ଆରମ୍ଭ ହୋଇସାରିଛି। ଏହାସହ ଓଡ଼ିଆରେ ନାମଫଳକ ଲେଖିନଥିବା ବ୍ୟବସାୟିକ ପ୍ରତିଷ୍ଠାନକୁ ନୋଟିସ୍ ମଧ୍ୟ ପଠାଯାଉଛି। ଏନେଇ ଗତ ମେ’ ମାସରୁ ସ୍ପେଶାଲ ଡ୍ରାଇଭ ଆରମ୍ଭ ହୋଇସାରିଛି। ଓଡିଆରେ ନାମଫଳକ ଲେଖିନଥିବା ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍ ସହ ପ୍ରଥମେ ୫ ହଜାର ଟଙ୍କା ଫାଇନ୍ କରାଯାଉଛି। ଏହାପରେ ଯଦି ପୁଣି ଆଇନ ଉଲ୍ଲଂଘନ କରନ୍ତି ତେବେ ୨୫ ହଜାର ଟଙ୍କା ଫାଇନ୍ ସହ କୋର୍ଟରେ ମାମଲା ରୁଜୁ କରାଯାଉଛି। ଏହି କ୍ରମରେ ରାଜଧାନୀ ଭୁବନେଶ୍ୱରର ୮ଟି ବ୍ୟବସାୟିକ ପ୍ରତିଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍ ଦିଆଯାଇଛି। ଗତ ୨ ମାସ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ୧୪୮ ବ୍ୟବସାୟିକ ସଂସ୍ଥାକୁ ସୋ କଜ୍ ମଗାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |