ଆଜି ବିଶ୍ବହାତୀ ଦିବସ ; ହାତୀ-ମଣିଷ ଲଢ଼େଇ,ଜନବସତି ମୁହାଁ ହାତୀ

ଭୁବନେଶ୍ୱର,୧୨।୮ : ଅଗଷ୍ଟ ୧୨ ତାରିଖ ହେଉଛି ଜାତୀୟ ହାତୀ ଦିବସ। ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଜଙ୍ଗଲ ପରିମାଣ କମୁଥିବାରୁ ହାତୀପଲ ଜନବସତି ମୁହାଁ ହୋଇଛନ୍ତି। ଏବେ ସେମାନଙ୍କ ସୁରକ୍ଷା ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଏହି ବିଶାଳକାୟ ପ୍ରାଣୀ ପାଇଁ ପ୍ରାୟ ସବୁ ଦେଶରେ କଠୋର ଆଇନ କାନୁନ ଥିବାବେଳେ କ୍ରମାଗତ ଭାବେ ହାତୀ ଶୀକାର ଯୋଗୁ ସେମାନଙ୍କ ସଂଖ୍ୟା କମିବାରେ ଲାଗିଛି। ସୁରକ୍ଷା ଦୃଷ୍ଟିକୋଣରୁ ହାତୀ ସମ୍ପର୍କରେ ଜନସଚେତନତା କରାଯାଉଛି। ତେବେ ସବୁ ବନାଞ୍ଚଳରେ ପ୍ରତ୍ୟେକ ୨ବର୍ଷରେ ଥରେ ହାତୀ ଗଣନା କରାଯିବା କଥା। କିନ୍ତୁ ୨୦୧୬ପରେ ଏହି ଗଣନା କରାଯାଇନାହିଁ। ଫଳରେ ପ୍ରକୃତିପ୍ରେମୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ସେହିପରି ହାତୀମାନଙ୍କ ବେକରେ ଲାଗିବାକୁ ଥିବା ‘ଜିପିଆରଏସ କଲାର’ ପ୍ରସ୍ତାବ କାର୍ଯ୍ୟକାରୀ ହୋଇପାରିନାହିଁ।େକନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ୨୦୨୨ରେ ପ୍ରଦତ୍ତ ତଥ୍ୟ ଅନୁସାରେ ୨୦୧୯ରୁ ୨୦୨୨ ମଧ୍ୟରେ େଦଶରେ ହାତୀ ଆକ୍ରମଣରେ ମୋଟ ୧୫୭୯ଜଣଙ୍କ ମୃତ୍ୟୁ ଘଟିଥିଲା। ଓଡ଼ିଶାରେ ଏହି ସଂଖ୍ୟା ୩୫୩ ଥିଲା, ଯାହାକି େଦଶରେ ସର୍ବାଧିକ। ଓଡ଼ିଶା ପଛକୁ ଝାଡ଼ଖଣ୍ଡରେ ୨୯୧, ପଶ୍ଚିମବଙ୍ଗ ୨୪୦, ଆସାମ ୨୨୯, ଛତିଶଗଡ଼ ୧୮୩ ଓ ତାମିଲନାଡୁରେ ୧୫୨ଜଣଙ୍କ ମୃତ୍ୟୁ ଘଟିଥିଲା। ତଥ୍ୟ ଅନୁସାରେ ଗତ ୧୦ବର୍ଷ ମଧ୍ୟରେ ବର୍ଷର ପ୍ରଥମ ତିନିମାସରେ ଲୋକଙ୍କ ମୃତ୍ୟୁହାର ୫୦ ପ୍ରତିଶତକୁ ବୃଦ୍ଧି ପାଇଥିଲା ବେଳେ ହାତୀ-ମଣିଷ ଲଢ଼େଇ ୨୬ପ୍ରତିଶତ ବଢ଼ିଛି। ଗତ ୪ବର୍ଷ େହବ ମୃତ୍ୟୁସଂଖ୍ୟା ଶତକ ପାର କରିଛି। ୨୦୧୯-୨୦ରେ ଏହି ସଂଖ୍ୟା ୧୧୫ ଥିଲା ବେଳେ ୨୦-୨୧ରେ ୧୦୬କୁ ଖସି ଆସିଥିଲା। ୨୦୨୧-୨୨ରେ ୧୦୯ ଥିଲାବେଳେ ୨୦୨୨-୨୩ରେ ମୃତ୍ୟୁସଂଖ୍ୟା ୧୪୬କୁ ଛୁଇଁଥିଲା। ୨୦୨୩-୨୪ ବର୍ଷର ଅଗଷ୍ଟ ୯ ସୁଦ୍ଧା ଏହି ସଂଖ୍ୟା ୬୯ ରହିଛି। ଅପରପକ୍ଷରେ ଗତ ୬ବର୍ଷ ହେବ ହାତୀ ଗଣନା ହୋଇ ନ ଥିବାରୁ ଏମାନଙ୍କ ପ୍ରକୃତ ସଂଖ୍ୟା ଜାଣିବା ସମ୍ଭବ ହେଉନାହିଁ। ହାତୀ-ମଣିଷ ଲଢ଼େଇ ରୋକିବା ତଥା ଏମାନଙ୍କ ଜୀବନ ରକ୍ଷା ଲାଗି ରାଜ୍ୟ ସରକାର ବିଭିନ୍ନ େଯାଜନା ଆପଣେଇଛନ୍ତି। ଜଙ୍ଗଲର ଶେଷ ଭାଗ ଓ ଜନବସତି ଆରମ୍ଭ ହେଉଥିବା ସ୍ଥାନରେ ହାତୀଙ୍କ ଖାଦ୍ୟ ପାଇଁ ବିଭିନ୍ନ ଗଛ ଲଗାଇବା ପ୍ରସ୍ତାବ ଦିଆଯାଇଥିଲାବେଳେ କେତେକ ସ୍ଥାନରେ ଗ୍ରାମବାସୀଙ୍କ ଦ୍ବାରା ମହୁଚାଷ ଆରମ୍ଭ କରିବା ଯୋଜନା ରହିଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇପାରି ନାହିଁ।
ସୂଚନା ଅନୁସାରେ, ରାଉରକେଲା ବନଖଣ୍ଡରେ ବିଶ୍ରା ବ୍ଲକ ମହିପାଣି, ଲାଠିକଟା ପଞ୍ଚାୟତ, କୁଆଁରମୁଣ୍ଡା, ବିରକେରା, କଚାରୁ, ରାଜଗାଙ୍ଗପୁରର ସାଗଜୋର, ବିରମିତ୍ରପୁରର ହାତୀବାରି, ରାଏବୋଗା ଆଦି ଅଞ୍ଚଳରେ ସାଧାରଣତଃ ହାତୀପଲ ସକ୍ରିୟ ଥିବା ଦେଖିବାକୁ ମିଳିଥାଏ। ବିଭାଗ ପକ୍ଷରୁ ଉକ୍ତ ଅଞ୍ଚଳରେ ହାତୀମାନଙ୍କ ବିଚରଣ ଓ ଚଳପ୍ରଚଳର ସମସ୍ତ ବିବରଣୀ ମୋବାଇଲ ଯୋଗେ ଆଲର୍ଟ କରାଯାଉଛି। ରେଳପଥରେ ହାତୀ ଦୁର୍ଘଟଣା ରୋକିବା ପାଇଁ ପ୍ରତ୍ୟେକ ମାସରେ ରେଳବାଇ ଉଚ୍ଚକର୍ତ୍ତୃପକ୍ଷଙ୍କ ସହ ସମନ୍ବୟ ବୈଠକ କରାଯାଉଛି। ବିଜୁଳି ବିଭାଗ ସହ ବୈଠକ କରାଯାଉଛି। ସେହିପରି ବିଶ୍ରା-ଜରେଇକେଲା, ବନ୍ଧମୁଣ୍ଡା, ରାଜଗାଙ୍ଗପୁର, ଚାନ୍ଦିପୋଷ ଅଞ୍ଚଳରେ ରେଳ ଚଳାଚଳ ଉପରେ ସତର୍କତା ଅବଲମ୍ବନ କରାଯାଉଛି। ହାତୀ ଚଳାଚଳ ହେଉଥିବା ସ୍ଥାନଗୁଡ଼ିକରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ସତର୍କ କରାଯାଉଛି। ବନାଞ୍ଚଳରେ ୧୭୦ ଫରେଷ୍ଟ ପ୍ରୋଟେକ୍ସନ ସ୍କ୍ବାର୍ଡ ଓ ଏଲିଫ୍ୟାଣ୍ଟ ସ୍କ୍ବାର୍ଡ ନିୟୋଜିତ କରାଯାଇଛି। ରାଉରକେଲା ବନଖଣ୍ଡରେ ପ୍ରାୟ ୨୫ଟି ହାତୀ ରହିଛନ୍ତି। ଏ ନେଇ ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ କୁହନ୍ତି, ରାଉରକେଲା ଏକ ଶିଳ୍ପ ସହର। ହାତୀପଲ ଝାଡ଼ଖଣ୍ଡରୁ ବିଶ୍ରା ବ୍ଲକ ଦେଇ ଏଠାରେ ପଶିଥାନ୍ତି। ଖରାମାସ ବା ଫସଲ ଉପତ୍ାଦନ ସମୟରେ ସେମାନଙ୍କ ସକ୍ରିୟତା ଅଧିକ ଦେଖାଯାଇଥାଏ। ଏଥିପାଇଁ ସ୍କ୍ବାର୍ଡମାନେ ନିରନ୍ତର ତନଖି କରୁଛନ୍ତି। ହାତୀଙ୍କ ସମସ୍ତ କାର୍ଯ୍ୟକଳାପ ଓ ଉପସ୍ଥିତି ଅବଗତ ହେବା ପାଇଁ ହାତୀପଲର ମୁଖ୍ୟ ହାତୀ ବେକରେ ଜିପିଆର୍‌ଏସ୍‌ କଲାର ଲଗାଇବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ହାତୀ ଆକ୍ରମଣରେ କ୍ଷୟକ୍ଷତି ହେଲେ ଲୋକଙ୍କୁ କ୍ଷତିପୂରଣ ଦେବା ବ୍ୟବସ୍ଥା ରହିଛି। ଜଙ୍ଗଲ ସୁରକ୍ଷାକୁ ଖିଲାପ କରୁଥିବା ଶିକାରୀ ଓ ସ୍ଥାନୀୟଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ଡିଏଫ୍‌ଓ ସେଠୀ କହିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!