ଭାରତର ଶୃଙ୍ଖଳା ପରାଜୟ:୮ ୱିକେଟ୍‌ରେ ହାରିଲା

ଲୌଡରହିଲ, ୧୪।୮: ରବିବାର ୫ମ ତଥା ଅନ୍ତିମ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଜିତିବା ସହ ଭାରତ ବିପକ୍ଷରେ ଟ୍ବେଣ୍ଟି-୨୦ ଶୃଙ୍ଖଳା ହାତେଇ ନେଇଛି ୱେଷ୍ଟଇଣ୍ଡିଜ୍‌।ପ୍ରଥମ ଥର ପାଇଁ ଭାରତକୁ ୱେଷ୍ଟଇଣ୍ଡିଜ୍ ଏକ ୫ ମ୍ୟାଚ୍‌ ଶୃଙ୍ଖଳାରେ ପରାସ୍ତ କରିଛି। ବ୍ୟାଟିଂ ବିଫଳତା ସହିତ ଭାରତ ୧୬୫ ରନ୍‌ରେ ସୀମିତ ରହିଥିଲା। ବ୍ରାଣ୍ଡନ୍ କିଙ୍ଗ୍ ୮୫*) ଏବଂ ନିକୋଲାସ ପୂରନ (୪୭)ଙ୍କ ଶତକୀୟ ଭାଗୀଦାରି (୧୨ ଓଭରରେ ୧୦୭ ରନ୍) ବଳରେ ଘରୋଇ ଦଳ ଏହି ବର୍ଷା ଓ ଘଡ଼ଘଡ଼ି ବାଧାପ୍ରାପ୍ତ ମ୍ୟାଚ୍‌‌କୁ ଅତି ସହଜରେ ୨ ଓଭର ପୂର୍ବରୁ ଜିତିଯାଇଥିଲା।  ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ପୋରକ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଭାରତ ୯ ୱିକେଟ ହରାଇ ୧୬୫ ରନ୍‌ କରିଥିଲା। ପରେ ୧୮ ଓଭରରେ ୨ ୱିକେଟ ହରାଇ ୱେଷ୍ଟଇଣ୍ଡିଜ୍‌ ଜିତିଥିଲା। ଇଣ୍ଡିଜ୍ ପ୍ରଥମ ୨ଟି ଓ ଭାରତ ପରବର୍ତ୍ତୀ ୨ଟି ଟ୍ବେଣ୍ଟି-୨୦ ଜିତିଥିବା ବେଳେ ଏହି ମ୍ୟାଚ୍‌ ଜିତି ୱେଷ୍ଟଇଣ୍ଡିଜ୍‌ ୩-୨ରେ ଶୃଙ୍ଖଳା ଜିତିନେଇଛି। ୨୦୧୭ ପରେ ଭାରତ ବିପକ୍ଷରେ ଇଣ୍ଡିଜ୍‌ର ଏହା ପ୍ରଥମ ଟି-୨୦ ଶୃଙ୍ଖଳା ବିଜୟ। ପୁଣି ଇଣ୍ଡିଜ୍‌ ବିପକ୍ଷରେ କ୍ରମାଗତ ୫ଟି ଦ୍ବିପାକ୍ଷିକ ଟ୍ବେଣ୍ଟି-୨୦ ଶୃଙ୍ଖଳା ଜିତିବା ପରେ ଭାରତ ପରାସ୍ତ ହୋଇଛି। ଟସ୍ ଜିତି ବ୍ୟାଟିଂ ନେବା ପରେ ଭାରତକୁ ପ୍ରାରମ୍ଭିକ ଝଟ୍‌କା ମିଳିଥିଲା। ଦିନକ ତଳେ ବିସ୍ଫୋରକ ଅର୍ଦ୍ଧଶତକ ମାରି ଭାରତକୁ ଜିତାଇଥିବା ଦୁଇ ଓପ୍‌ନର ଯଶସ୍ବୀ ଜୟସୱାଲ ଓ ଶୁବ୍‌ମାନ ଗିଲ୍‌ ବିଫଳ ହୋଇଥିଲେ। ବାମହାତି ସ୍ପିନର ଅକିଲ୍‌ ହୋସେନ୍ ଉଭୟ ୱିକେଟ ନେଇଥିଲେ। ଯଶସ୍ବୀ ୫ ଓ ଶୁବ୍‌ମାନ ୯ ରନ୍‌କରି ବିଦାୟ ନେଇଥିଲେ। ପରେ ଏହି ଶୃଙ୍ଖଳାର ଦୁଇ ସଫଳ ବ୍ୟାଟ୍‌ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ଓ ତିଳକ ବର୍ମା ମୋର୍ଚ୍ଚା ସମ୍ଭାଳିଥିଲେ। ୬ଷ୍ଠ ଓଭରରେ ତିଳକ ବର୍ମା ୧୯ ରନ୍‌ ନେଇଥିଲେ। ୬ ଓଭର ପାୱରପ୍ଲେରେ ଭାରତ ୨ ୱିକେଟରେ ୫୧ ରନ୍‌ କରିଥିଲା। ସୂର୍ଯ୍ୟକୁମାର ଓ ତିଳକ ୩ୟ ୱିକେଟ ପାଇଁ ୩୦ ବଲ୍‌ରୁ ୪୯ ରନ୍‌ ଯୋଡ଼ିଥିଲେ। ତିଳକ ବର୍ମା ୧୮ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୨୭ ରନ୍‌ କରିଥିଲେ। ସଞ୍ଜୁ ସାମ୍‌ସନ ପୁଣି ସୁଯୋଗ ହାତଛଡ଼ା କରି ୯ ବଲ୍‌ରୁ ୨ଟି ଚୌକା ସହ ୧୩ ରନ୍‌କରି ଆଉଟ୍‌ ହୋଇଥିଲେ। ୫ମ ୱିକେଟ ପାଇଁ ସୂର୍ଯ୍ୟକୁମାର ଓ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ୬ ଓଭରରେ ୪୩ ରନ୍‌ ଯୋଡ଼ିଥିଲେ। ହାର୍ଦିକ ୧୮ ବଲ୍‌ରୁ ୧୪ ରନ୍‌ କରିଥିଲେ। ୧୮ଶ ଓଭରରେ ଆଉଟ୍‌ ହୋଇଥିବା ବିଶ୍ବର ୧ନଂ ଟ୍ବେଣ୍ଟି୨୦ ବ୍ୟାଟ୍‌ସମ୍ୟାନ୍ ସୂର୍ଯ୍ୟକୁମାର ୪୫ ବଲ୍‌ରୁ ୩ଟି ଛକା ଓ ୪ଟି ଚୌକା ସହ ୬୧ ରନ୍‌ କରିଥିଲେ। ଅକ୍ଷର ପଟେଲ ୧୩ ରନ୍‌ କରିଥିଲେ। ଭାରତ ୩୧ ରନ୍‌ରେ ଶେଷ ୫ଟି ୱିକେଟ ହରାଇଥିଲା। ରୋମାରିଓ ସେଫର୍ଡ ୪ଟି ଏବଂ ଅକିଲ୍‌ ହୋସେନ୍ ଓ ଜେସନ୍ ହୋଲ୍‌ଡର ୨ଟି ଲେଖାଏଁ ୱିକେଟ ନେଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!