ନୂଆଦିଲ୍ଲୀ,୨୩।୮: ଇତିହାସ ରଚିବାକୁ ଯାଉଛି ଇସ୍ରୋ,‘ଜହ୍ନ ଦେହରେ ନାଁ ଲେଖିବ ଭାରତ’| ଆଉ ମାତ୍ର କେଇଟା ମୁହୂର୍ତ୍ତ ପରେ ଚନ୍ଦ୍ରପୃଷ୍ଠରେ ପାଦ ଥାପିବ ଭାରତର ‘ମୁନ୍ ମିଶନ୍’ ଚନ୍ଦ୍ରଯାନ-୩ । ଏହାସହିତ ସଫଳତାର ଶୀର୍ଷ ଛୁଇଁବ ଇସ୍ରୋ । ଏଥିପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ସାରା ପୃଥିବୀର ନଜର ଏବେ ଭାରତର ଚନ୍ଦ୍ରଯାନ-୩ ଉପରେ । କାରଣ ଇତିହାସ ରଚିବାକୁ ଯାଉଛି ଇସ୍ରୋ, ଜହ୍ନର ଉଜ୍ଜ୍ୱଳ ଚେହେରା ଏହି ଇତିହାସକୁ ଲେଖିବ ଚନ୍ଦ୍ରଯାନ-୩ । ଏହାପରେ ବିଶ୍ୱର ବଡ଼ ବଡ଼ ଦେଶକୁ ପଛରେ ପକାଇ ସ୍ପେସ ଦୁନିଆରେ ରାଜୁତି କରିବ ଭାରତ । ତେଣୁ ଚନ୍ଦ୍ରଯାନ-୩ର ସଫଳ ଲ୍ୟାଣ୍ଡିଂ ପାଇଁ ଏବେ ଇସ୍ରୋ ଉଦ୍ୟମ ଚଳାଇଛି । ସେପଟେ ସାରା ଭାରତବାସୀ ସଫଳ ଲ୍ୟାଣ୍ଡିଂ ପାଇଁ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି ।ମହାକାଶ ବିଜ୍ଞାନ ଇତିହାସରେ ଇସ୍ରୋର ଏହି ଅଭିଯାନ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ିବ ବୋଲି ଏବେ ସବୁଠି ଆଲୋଚନା ଜୋର ଧରିଛି । ଆଜି ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳ ଲ୍ୟାଣ୍ଡିଂ କରିବ ବୋଲି ଇସ୍ରୋର ବୈଜ୍ଞାନିକମାନେ ଶତପ୍ରତିଶତ ଆଶାବାଦୀ ରହିଛନ୍ତି । ତେବେ ଯଦି କୌଣସି ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୁଏ, ତେବେ ଇସ୍ରୋ ଏଥିପାଇଁ ପ୍ଲାନ୍-ବି’ ମଧ୍ୟ ପ୍ରସତୁତ କରିନେଇଛି । ଏଭଳି ପରିସ୍ତିତି ସୃଷ୍ଟି ହେଲେ ସଫ୍ଟଲ୍ୟାଣ୍ଡିଂକୁ ସ୍ଥଗିତ ରଖି ଆସନ୍ତା ୨୭ ତାରିଖରେ ସଫ୍ଟଲ୍ୟାଣ୍ଡିଂ କରିବାକୁ ଯୋଜନା କରିଛି ଇସ୍ରୋ । ଏବେ ଏଜେନ୍ସିର ବୈଜ୍ଞାନିକମାନେ ଉଦ୍ୟମ କରି ଚନ୍ଦ୍ରଯାନ-୩ର ପାର୍ଟ୍ସ ଚେକିଂ ସହ ସିଷ୍ଟମ ଭେରିଫିକେସନ ଚଳାଇଛନ୍ତି । ଆଜି ସନ୍ଧ୍ୟା ୦୬.୦୪ରେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ ବୋଲି ଲକ୍ଷ୍ୟ ରଖା ଯାଇଥିବା ବେଳେ ରୁଷ, ଆମେରିକା, ଚୀନ ପରେ ଭାରତ ଏହି ଯାତ୍ରାରେ ଚତୁର୍ଥ ସୁପର ପାୱାର ରାଷ୍ଟ୍ର ଭାବେ ବିବେଚିତ ହେବ । ଇସ୍ରୋ ବୈଜ୍ଞାନିକଙ୍କ ଏହି ଐତିହାସିକ ମିଶନ ଉପରେ ସାରା ବିଶ୍ୱର ନଜର ରହିଛି ।୩୦ କିଲୋମିଟର ଉଚ୍ଚତାରୁ ଏହା ସିଧା ରଫ୍ ବ୍ରେକିଂ ପର୍ଯ୍ୟାୟରେ ଖସିଆସିବ ୭.୫ କିଲୋମିଟର ଉଚ୍ଚତା ଯାଏଁ। ଏହାପରେ ଲ୍ୟାଣ୍ଡର ଯେତେବେଳେ ଚନ୍ଦ୍ରପୃଷ୍ଠରୁ ମାତ୍ର ୬.୮ କିଲୋମିଟର ଉଚ୍ଚରେ ଥିବ, ସେତେବେଳେ କେବଳ ୨ଟି ପର୍ଯ୍ୟାୟ ଚାଲୁ ରହିବ ଏବଂ ବାକି ୨ଟିକୁ ବନ୍ଦ କରିଦିଆଯିବ। ସେତେବେଳେ ଲ୍ୟାଣ୍ଡରର ବେଗ ୪ ଗୁଣ ହ୍ରାସ ପାଇ ସେକେଣ୍ଡ ପ୍ରତି ମାତ୍ର ୩୫୦ ମିଟର ଥିବ।ଏହାପରେ ୮ଶହ ମିଟର ଅଲ୍ଟିଚ୍ୟୁଡରେ ଏହାର ବେଗ ଶୂନ ହୋଇଯିବ ଏବଂ ଏହା ସିଧା ତଳକୁ ଖସିବା ଆରମ୍ଭ କରିବ। ଫାଇନ୍ ବ୍ରେକିଂ ଫେଜ୍ ପରେ ଶେଷ ପର୍ଯ୍ୟାୟରେ ଲ୍ୟାଣ୍ଡର ଯେତେବେଳେ ଚନ୍ଦ୍ରପୃଷ୍ଠରୁ ମାତ୍ର ୧୦ ମିଟର ଉଚ୍ଚତାରେ ଥିବ, ସେତେବେଳେ ଏହା ନିଜେ କ୍ୟାମେରା ଓ ସେନ୍ସର ମାଧ୍ୟମରେ ପରଖିବ ଯେ, ତଳେ କୌଣସି ପଥର କିମ୍ବା ଗର୍ତ୍ତ ନାହିଁ ତ ।ଯଦି ସବୁକିଛି ଠିକ୍ ଥାଏ, ତେବେ ଏହା ସଫ୍ଟଲ୍ୟାଣ୍ଡ କରିବ, ନଚେତ ଆଉ ଏକ ସ୍ଥାନକୁ ବାଛିବ । ପୂରା ପ୍ରକ୍ରିୟା ଘଟିବ ୧୭ ମିନିଟ ୨୧ ସେକେଣ୍ଡରୁ ରୁ ୧୭ ମିନିଟ ୩୨ ସେକେଣ୍ଡ ମଧ୍ୟରେ ।ତେବେ ଅବତରଣ ପୂର୍ବରୁ ଏହାର ଲାଣ୍ଡିଂ ପାଇଁ ଇସ୍ରୋ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସଫ୍ଟ ଲ୍ୟାଣ୍ଡିଂର ମାତ୍ର ଦୁଇ ଘଣ୍ଟା ପୂର୍ବରୁ ଯଦି ପ୍ରତିକୂଳ ପରିସ୍ଥିତି ଦେଖା ଦିଏ, ତେବେ ଆସନ୍ତା ୨୭ ତାରିଖରେ ଏହାର ସଫ୍ଟ ଲ୍ୟାଣ୍ଡିଂ ପାଇଁ ନିଷ୍ପତ୍ତି ନିଆଯିବ ବୋଲି ଇସ୍ରୋ ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି । ସେପଟେ ଆଜି ଚନ୍ଦ୍ରପୃଷ୍ଠରୁ କିଛି ନୂଆ ଫଟୋ ପଠାଇଛି ଚନ୍ଦ୍ରଯାନ-୩ । ଲ୍ୟାଣ୍ଡର୍ କ୍ୟାମେରାରେ ରେକର୍ଡ ଭିଡିଓ ଇସ୍ରୋ ସୋସିଆଲ ମିଡିଆରେ ସେୟାର କରିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |