ଭୁବନେଶ୍ୱର, ୨୪।୮ :ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଲଟିବ ନାଇଟ୍ ଆଉଟେଡ୍ ଜୁ’ । ରାତିରେ ବି ପର୍ଯ୍ୟଟକଙ୍କ ଲାଗି ଖୋଲା ରହିବ ରାଜ୍ୟର ଏ ସର୍ବବୃହତ୍ ଚିଡ଼ିଆଖାନା । ଏଥିପାଇଁ ସେଣ୍ଟ୍ରାଲ ଜୁ’ ଅଥରିଟିକୁ ମାଷ୍ଟର ପ୍ଲାନ୍ ଦାଖଲ କରିଛି ବନ ବିଭାଗ । ନନ୍ଦନକାନନ କର୍ତ୍ତୃପକ୍ଷ ପର୍ଯ୍ୟଟକଙ୍କ ପାଇଁ ରାତିରେ ନନ୍ଦନକାନନ ଖୋଲିବାକୁ ନେଇ ଯୋଜନା କରିଛନ୍ତି। ବର୍ତ୍ତମାନ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଖୋଲା ରହୁଛି। କିନ୍ତୁ ଖୁବ୍ଶୀଘ୍ର ରାତିରେ ବି ନନ୍ଦନକାନନ ବୁଲିବାର ମଜା ଉଠାପାରିବେ ପର୍ଯ୍ୟଟକ। ଏ ନେଇ ନନ୍ଦନକାନନ କର୍ତ୍ତୃପକ୍ଷ ପକ୍ଷରୁ ଜାତୀୟ ଚିଡ଼ିଆଖାନା ପ୍ରାଧିକରଣ (ସିଜେଡ୍ଏ)ଙ୍କ ନିକଟରେ ପ୍ରସ୍ତାବ ରଖାଯାଇଛି। ନିକଟରେ ଏଭଳି କିଛି ନୂଆ ବ୍ୟବସ୍ଥାକୁ ନେଇ ନନ୍ଦନକାନନ ମାଷ୍ଟରପ୍ଲାନ ଦାଖଲ କରିଛି। ଆସନ୍ତା (୨୦୨୦-୪୦)୨୦ବର୍ଷ ପାଇଁ ଏହି ପ୍ରସ୍ତାବ ଦିଆଯାଇଛି। ସନ୍ଧ୍ୟା ୬ରୁ ୭ କିମ୍ବା ୭ରୁ ୮ଟା ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିବାର ବ୍ୟବସ୍ଥା କରାଯିବା ନେଇ ଚିନ୍ତା କରାଯାଉଛି। ମାଷ୍ଟରପ୍ଲାନରେ ନନ୍ଦନକାନନ କଳେବର ବୃଦ୍ଧି ପାଇଁ ବି ପ୍ରସ୍ତାବ ରହିଛି। ପ୍ରାଥମିକ ପର୍ଯ୍ୟାୟରେ ନନ୍ଦନକାନନର ପରିସୀମାକୁ ବୃଦ୍ଧିକରିବା ପାଇଁ ଚୂଡ଼ଙ୍ଗ ଓ କୃଷ୍ଣନଗର ଅଞ୍ଚଳକୁ ସାମିଲ କରାଯାଇ ନନ୍ଦନକାନନର ସମୁଦାୟ ପରିସୀମାକୁ ୧,୦୪୩ ହେକ୍ଟର ପରିମିତ ଜାଗାକୁ ବୃଦ୍ଧି ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ହେଲେ ଚୂଡ଼ଙ୍ଗ ଓ କୃଷ୍ଣନଗର ଗ୍ରାମବାସୀଙ୍କ ବିରୋଧ ଯୋଗୁ ଜାଗା ଅକ୍ତିଆର କରିବା ପ୍ରକ୍ରିୟା ସାମୟିକଭାବେ ବନ୍ଦ ରହିଛି। ଏହି ଜାଗା ନନ୍ଦନକାନନରେ ମିଶିଯିବା ପରେ ନାଇଟ୍ ସଫାରି କରିବା ପାଇଁ ନନ୍ଦନକାନନ ପକ୍ଷରୁ ଯୋଜନା କରାଯାଇଛି। ରାତ୍ରିଚର ଜୀବଙ୍କୁ ଦେଖିବାକୁ ନକ୍ଚରାଲ ଡ୍ରିଲ ସଫାରି ବ୍ୟବସ୍ଥା ମଧ୍ୟ କରାଯିବାର ଯୋଜନା କରାଯାଉଛି। ତେବେ ମନୋନୀତ ଲୋକ କେବଳ ରାତ୍ରିଚର ଜୀବଙ୍କୁ ଦେଖିବା ପାଇଁ ଯାଇପାରିବେ। ଫିଲ୍ମ ମଧ୍ୟ ପ୍ରଦର୍ଶିତ ହେବ। ନନ୍ଦନକାନନ ପ୍ରାଣୀ ଉଦ୍ୟାନ କେବଳ ନାଇଟ୍ ଆଉଟେଡ୍ ଜୁ’ ପାଲଟିବ ତାହା ନୁହେଁ, ବନ ବିଭାଗର ୨୦ ବର୍ଷିଆ ମାଷ୍ଟର ପ୍ଲାନ୍ କହୁଛି, ବଢ଼ିବ ନନ୍ଦନକାନନ ଚିଡ଼ିଆଖାନା କଳେବର । ବଦଳିବ ଚେହେରା । ବର୍ତ୍ତମାନ ବଟାନିକଲ ଗାର୍ଡେନକୁ ମିଶାଇ ନନ୍ଦନ କାନନ ପ୍ରାଣୀ ଉଦ୍ୟାନ ୪୩୭ ହେକ୍ଟର ଅଞ୍ଚଳରେ ପରିବ୍ୟାପ୍ତ । ହେଲେ ମାଷ୍ଟର ପ୍ଲାନ୍ ଅନୁସାରେ, ଅଢ଼େଇ ଗୁଣା ହୋଇଯିବ ଅର୍ଥାତ୍ ୧ ହଜାର ୪୩ ହେକ୍ଟରକୁ ବଢ଼ିଯିବ ନନ୍ଦନ କାନନ ପ୍ରାଣୀ ଉଦ୍ୟାନର ପରିସୀମା ।ବନ୍ୟପ୍ରାଣୀ ପିସିସିଏଫ୍ ସୁଶୀଲ କୁମାର ପୋପଲି କହିଛନ୍ତି, ସେଣ୍ଟାଲ ଜୁ’ ଅଥରିଟି ମୋହର ଲାଗିଲେ, ନନ୍ଦନକାନନ ସହ ମିଶିଯିବ କୃଷ୍ଣପ୍ରସାଦ ଓ ଚୁଡ଼ଙ୍ଗ ସଂରକ୍ଷିତ ଜଙ୍ଗଲ । ଏବେ ନନ୍ଦନକାନନରେ ୧୬୭ ପ୍ରଜାତିର ଜୀବଜନ୍ତୁ ଥିବା ବେଳେ ଏ ସଂଖ୍ୟାକୁ ୨୫୦କୁ ବଢ଼ାଯିବ । ପ୍ରସ୍ତାବିତ ସଂସାରିତ ନନ୍ଦନ କାନନରେ ରହିବ ଅନେକ ନୂଆ ବିଶ୍ୱସ୍ତରୀୟ ସଫାରୀ। ପୁରୁଣା ଏନକ୍ଲୋଜରର ଆଧୁନିକୀକରଣ ବି ହେବ । ଏବେ ଅପେକ୍ଷା, ସେଣ୍ଟ୍ରାଲ ଜୁ’ ଅଥରିଟିର ଗ୍ରୀନ୍ ସିଗ୍ନାଲକୁ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |