ଭୁବନେଶ୍ବର ,୨୮।୮: ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେବ ଜୟନ୍ତ ମହାପାତ୍ରଙ୍କ ଶେଷକୃତ୍ୟ । ସୋମବାର ଦିନ ୧୨ଟା ପର୍ଯ୍ୟନ୍ତ କବି ଶ୍ରୀ ମହାପାତ୍ରଙ୍କ ତିନିକୋଣିଆବଗିଚାସ୍ଥିତ ବାସଭବନରେ ମରଶରୀରକୁ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ରଖାଯିବ। ପରେ ଗାର୍ଡ଼ ଅଫ୍ ଅନର୍ ପ୍ରଦାନ କରାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯିବ। ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଦ୍ବିଭାଷିକ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କର ରବିବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ପରଲୋକ ଘଟିଛି । ମୃତ୍ୟୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। କିଛିଦିନ ତଳେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବଡ଼ମେଡିକାଲ ଭେଷଜ ବିଭାଗ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କ ଚିକିତ୍ସା କରୁଥିଲେ। ରବିବାର ସନ୍ଧ୍ୟାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇପଡ଼ିଥିଲା। ଡାକ୍ତରଙ୍କ ଅକ୍ଳାନ୍ତ ପରିଶ୍ରମ ସତ୍ତ୍ବେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସି ନ ଥିଲା। ରାତି ପ୍ରାୟ ୯ଟାରେ ତାଙ୍କର ପରଲୋକ ଘଟିଥିଲା। ମୃତ୍ୟୁ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ମେଡିକାଲରେ ପହଞ୍ଚି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।କବି ମହାପାତ୍ର ୧୯୨୮ ମସିହା ଅକ୍ଟୋବର ୧୧ରେ ପିତା ସାମୁଏଲ ମହାପାତ୍ର ଓ ମାତା ସୁଧାଂଶୁବାଳା ଦାସଙ୍କ ଔରସରୁ ତିନିକୋଣିଆ ବଗିଚାରେ ଜନ୍ମଗ୍ରହଣ କରିଥିଲେ। ଷ୍ଟିୱାର୍ଟ ସ୍କୁଲରୁ ପ୍ରାଥମିକ ଶିକ୍ଷା ଶେଷ କରିବା ପରେ ରେଭେନ୍ସା କଲେଜରେ ସ୍ନାତକ ଓ ପାଟଣା ବିଶ୍ବବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ଏହାପରେ ସେ ରେଭେନ୍ସା ସମେତ ଗଙ୍ଗାଧର ମେହେର ଓ ବିଜେପି କଲେଜରେ ଅଧ୍ୟାପକ ଭାବେ କାର୍ଯ୍ୟନିର୍ବାହ କରିଥିଲେ। ୧୯୮୬ରେ ସେ ଚାକିରିରୁ ଅବସର ଗ୍ରହଣ କରିଥିଲେ। ଅଧ୍ୟାପନା ସହିତ ଇଂରାଜୀ ସାହିତ୍ୟରେ ତାଙ୍କର ବିଶେଷ ରୁଚି ରହିଥିଲା।
ଏକଧାରରେ ଅନୁବାଦକ, ପତ୍ରିକା ସମ୍ପାଦକ, ସମାଲୋଚକ ଭାବେ ଜୟନ୍ତଙ୍କ ସୁଖ୍ୟାତି ଥିଲା। ଓଡ଼ିଶାରେ ଜନ୍ମିତ କବିଙ୍କ ମଧ୍ୟରେ ସେ ହିଁ ଏକମାତ୍ର କବି ଥିେଲ ଯିଏ ଇଂରାଜୀରେ କବିତା ରଚନା କରି ବିଶ୍ବସ୍ତରରେ ଅଧିକ ସ୍ବୀକୃତି ଲାଭ କରିଥିଲେ। ଇଂରାଜୀ କବିତା ପୁସ୍ତକ ଭାବେ ‘ରିଲେସନସିପ୍’ ପ୍ରଥମ ଥର ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ପୁରସ୍କୃତ ହୋଇଥିଲା। ତାଙ୍କ ଇଂରାଜୀ କବିତା ପୁସ୍ତକ ମଧ୍ୟରେ ରହିଛି କ୍ଲୋଜ ଦ ସ୍କାଏ, ଟେନ୍ ବାଏ ଟେନ୍, ସ୍ୱୟମ୍ବର ଆଣ୍ଡ ଅଦର ପଏମ୍ସ, ଏ ଫାଦର୍ସ ଆୱାର, ଏ ରେନ୍ ଅଫ୍ ରାଇଟ୍ସ୍, ୱେଟିଂ, ଦ ଫଲ୍ସ ଷ୍ଟାର୍ଟ, ରିଲେସନସିପ୍, ଲାଇଫ୍ ସାଇନ୍ସ(୧୯୮୩), ଡିସ୍ପୋଜେସ୍ ନେଷ୍ଟସ୍, ସିଲେକଟେଡ ପୋଏମ୍ସ), ବର୍ଡନ ଅଫ୍ ୱେଭେସ୍ ଆଣ୍ଡ ଫ୍ରୁଟ, ଟେମ୍ପଲ, ଏ ହ୍ୱାଇଟ୍ନେସ୍ ବୋନ୍, ଦ ବେଷ୍ଟ ଅଫ୍ ଜୟନ୍ତ ମହାପାତ୍ର, ସାଡୋ ସ୍ପେସ୍, ବେର୍ ଫେସ୍, ରାନଡମ୍ ଡିସେଣ୍ଟ, ଦ ଲାଇ ଅଫ୍ ଡନ୍ସ୍ : ପୋଏମ୍ସ, ଲ୍ୟାଣ୍ଡ(୨୦୧୩), ହେଜିଟାଣ୍ଡ ଲାଇଟ୍, କଲେକଟେଡ ପୋଏମସ୍, ସ୍କାଏ ୱିଥ୍ଆଉଟ ସ୍କାଏ । ତାଙ୍କ ରଚିତ ଓଡ଼ିଆ କବିତା ପୁସ୍ତକ ବଳି, କହିବି ଗୋଟିଏ କଥା, ବାୟାରଜା, ଟିକିଏ ଛାଇ, ଚାଲି, ଯଦିବା ଗପଟିଏ, କେବଳ ଭାଗ୍ୟ ହିଁ ମୋତେ ଜୀବନ ଦିଏ ଓ କବିତା ସମଗ୍ର ତାଙ୍କ କାବ୍ୟ ସାଧନାର ଉଲ୍ଲେଖନୀୟ ଫସଲ।ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ଶେଷ ଇଛା ଅନୁସାରେ ଆଜିଖାନନଗର ସ୍ଥିତ ଇଲେକ୍ଟ୍ରିକ ଚୁଲାରେ ତାଙ୍କ ମରଶରୀରକୁ ଦାହ କରାଯିବ।ତେବେ ପରଲୋକ ପୂର୍ବରୁ ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ର ଲେଖିଥିଲେ ମୋ’ ଶେଷ ଇଚ୍ଛା। ଯେଉଁଥିରେ ସେ ୩ଟି କଥା ଲେଖିଛନ୍ତି। ଇଂରାଜୀରେ ଲେଖାଥିବା ମାଇଁ ଲାଷ୍ଟ ଉଇସରେ ଲେଖାଯାଇଛି, ମୋ’ ମରଶରୀରକୁ ଖାନନଗର ବିଦ୍ୟୁତ ଚୁଲାରେ ଦାହ କରିବ। ଏହାକୁ କେବେ ହେଲେ ପୋତିବ ନାହିଁ। ମୃତ୍ୟୁ ସମୟରେ ଉପସ୍ଥିତ ବନ୍ଧୁ, ଶୁଭେଚ୍ଛୁମାନଙ୍କ ଗହଣରେ ମୃତଦେହକୁ ଭ୍ୟାନ୍ କିମ୍ୱା ଆମ୍ବୁଲାନ୍ସରେ ନେଇ ଯଥାଶୀଘ୍ର ଦାହ କରିବ।ଏହା ସହ ୩୫ ବର୍ଷ ଧରି ସେବା କରି ଆସୁଥିବା ଶ୍ରୀମତୀ ଜେ. ସରୋଜିନୀଙ୍କୁ ଘର ପାଖରେ ୨୦ ଫୁଟରେ ୨୦ ଫୁଟର ଜମି ଦେବାକୁ ଚିଠିରେ ଉଲ୍ଲେଖ ରହିଛି। ପତ୍ନୀ ଜ୍ୟୋତ୍ସ୍ନା ମହାପାତ୍ର ଓ ପୁଅ ମୋହନ ମହାପାତ୍ର ଓ ମୁଁ ଏ ସଂପର୍କରେ ନିଷ୍ପତ୍ତି ନେଇଛନ୍ତି । ଶେଷରେ ସମସ୍ତ ଚିଠିପତ୍ର, ଦସ୍ତାବିଜ, ଅସଂପୂର୍ଣ୍ଣ ପାଣ୍ଡୁଲିପିକୁ ମୃତ୍ୟୁ ପରେ ପୋତି ଦେବାକୁ ଚିଠିରେ ଲେଖାଯାଇଛି
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |