ଆଜି ଜାଗା ମିଶନ ପଟ୍ଟା ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮।୮ : ‘ଜାଗା ମିଶନ’ରେ ମାଗଣାରେ ଜମି ପଟ୍ଟା ପାଇବେ ବସ୍ତି ବାସିନ୍ଦା। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପ୍ରସ୍ତୁତ ତାଲିକାରେ ଭୂତ ହିତାଧିକାରୀ ସ୍ଥାନ ପାଇବା ଓ ବହୁ ଯୋଗ୍ୟ ହିତାଧିକାରୀ ବଞ୍ଚତ୍ତ ହେବାକୁ ନେଇ ବିବାଦ ଲାଗି ରହିଥିବାବେଳେ ସୋମବାର କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ପ୍ରଥମ ପର୍ଯ୍ୟାୟରେ ୫୧ହଜାର ହିତାଧିକାରୀ ପଟ୍ଟା ପାଇବାକୁ ଥିବାବେଳେ ପ୍ରଥମ ଦିନରେ ୫ହଜାର ଜମିପଟ୍ଟା ବଣ୍ଟନ କରାଯିବ। ଏଥିରେ ବହୁ ଅଯୋଗ୍ୟ ହିତାଧିକାରୀ ପଟ୍ଟା ହାତେଇବା ନେଇ ଆଶଙ୍କା ରହିଥିବାରୁ ଏହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।ଜାଗା ମିସନ ଯୋଜନାରେ ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ଦିଆଯିବ। ମାତ୍ର ଏହା ପୂର୍ବରୁ ପଟ୍ଟା ପ୍ରଦାନ ବ୍ୟବସ୍ଥାରେ ଅନିୟମିତତା ଅଭିଯୋଗ କରି ବାଲିତୋଟାସାହି ବସ୍ତି, ବାଲିପଟା ବସ୍ତି ଓ ପଟିଆ ସମେତ ରାଜଧାନୀର ବିଭିନ୍ନ ଅଞ୍ଚଳର ଶହ ଶହ ସଂଖ୍ୟାରେ ବସ୍ତି ବାସିନ୍ଦାମାନେ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ବାସଭବନ ଘେରାଉ କରିଥିଲେ। ଅଭିଯୋଗକୁ ଉପଯୁକ୍ତ ଦୃଷ୍ଟି ଦିଆଯିବ ବୋଲି ବିଧାୟକ ଶ୍ରୀ ଜେନା ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକାରୀମାନେ ଶାନ୍ତ ହୋଇଥିବା ଜଣାପଡ଼ିଛି।ରାଜଧାନୀର ବିଭିନ୍ନ ବସ୍ତିରେ ଉଷା ସର୍ଭେ କରାଯାଇ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଥିଲା। ଦାୟିତ୍ୱରେ ଥିଲେ ବସ୍ତି ଉନ୍ନୟନ କର୍ତ୍ତୃପକ୍ଷ (ଏସ୍‌ଡିଏ)। ହେଲେ ବର୍ଷ ବର୍ଷ ଧରି ବସ୍ତିରେ ରହୁଥିବା ଲୋକଙ୍କୁ ବାଦ୍‌ ଦିଆଯାଇ ବସ୍ତିରେ ରହୁ ନ ଥିବା ଅନେକ ଅଯୋଗ୍ୟଙ୍କୁ ତାଲିକାଭୁକ୍ତ କରାଯାଇଛି। ଏପରିକି ଜାଗା ମିଶନ ସର୍ଭେରେ ଜାଲିଆତି ହୋଇଥିବା ବିଏମ୍‌ସି ମଧ୍ୟ ସ୍ବୀକାର କରିଛି। ଗୋଟିଏ କି ଦୁଇଟି ବସ୍ତିରେ ନୁହେଁ, ରାଜଧାନୀର ଅନେକ ବସ୍ତିରେ ମାଳମାଳ ଭୂତ ହିତାଧିକାରୀ ସାମ୍ନାକୁ ଆସିଛନ୍ତି। ବାଲିତୋଟା ସାହି ହେଉ ଅବା ଶ୍ରୀରାମ ନଗର ବସ୍ତି ଅବା ନୀଳକଣ୍ଠ ନଗର ବସ୍ତି ସବୁଠାରେ ଏକାଧିକ ଲୋକଙ୍କ ନାମ ଜାଗା ମିଶନ ତାଲିକାରେ ଯୋଡାଯାଇଛି। ଯେଉଁମାନେ କେବେ ବି ବସ୍ତିରେ ରହି ନ ଥିଲେ କି ରହୁ ବି ନାହାନ୍ତି। ସେଠାକାର ବସ୍ତି ବାସିନ୍ଦା କେବେ ସେମାନଙ୍କୁ ଦେଖି ନାହାନ୍ତି। ଏବେ ସେମାନଙ୍କୁ ପଟ୍ଟା ମିଳିବ ବୋଲି ତାଲିକାରେ ପ୍ରକାଶ ପାଇବା ପରେ ଅସନ୍ତୋଷ ବଢି ଚାଲିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!