କଂଗ୍ରେସରେ ଯୋଗ ଦେବେ ହକି ତାରକା ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୮ା୮: କଂଗ୍ରେସରେ ଯୋଗ ଦେବେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ।  ପ୍ରବୋଧ କହିଛନ୍ତି, ରାହୁଲ ଗାନ୍ଧିଙ୍କ ନେତୃତ୍ୱ ମୋତେ ଆକର୍ଷିତ କରିଛି। ସେଥିପାଇଁ ମୁଁ କଂଗ୍ରେସରେ ଯୋଗ ଦେବି ବୋଲି ସ୍ଥିର କରିଛି। ଆଜି ମୁଁ ଭୁବନେଶ୍ୱର ଯିବି। ଆସନ୍ତାକାଲି ପିସିସି ସଭାପତିଙ୍କୁ ଭେଟିବି। ତାଙ୍କ ପରାମର୍ଶକ୍ରମେ ଆଗାମୀ କାର୍ଯ୍ୟକ୍ରମ ସ୍ଥିର ହେବ।ଆସନ୍ତା ନିର୍ବାଚନରେ ପ୍ରବୋଧ ସୁନ୍ଦରଗଡ଼ ଜିଲ୍ଲା ତଳସରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସର ପ୍ରାର୍ଥୀ ହେବା ପାଇଁ ଇଚ୍ଛା ରଖିଛନ୍ତି। ପ୍ରବୋଧ କହିଛନ୍ତି, ତଳସରା ଅଞ୍ଚଳର ସମସ୍ୟା ସଂପର୍କରେ ମୁଁ ଭଲ ଭାବେ ଅବଗତ ଅଛି। ଏହି ଅଞ୍ଚଳର ପିଲାମାନେ ପାଠପଢ଼ା ଛାଡ଼ି କାମ ଧନ୍ଦା ପାଇଁ ବାହାର ରାଜ୍ୟକୁ ଚାଲି ଯାଉଛନ୍ତି। ଏମିତି ଅନେକ ସମସ୍ୟା ରହିଛି। ଏହି ଅଞ୍ଚଳର ବିକାଶ ଓ ଲୋକଙ୍କ ସେବା କରିବା ପାଇଁ ମୁଁ ଲକ୍ଷ୍ୟ ରଖିଛି। ସେଥିପାଇଁ ଚାକିରି ଛାଡ଼ି ଚାଲିଆସିଛି।ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ୍ ଲୁଲକିଡ଼ିହି ଗାଁର ପ୍ରବୋଧ ଦେଶ ପାଇଁ ଅନେକ ନାଁ କରିଛନ୍ତି। ୧୯୮୪ ମସିହା ଅକ୍ଟୋବର ୬ରେ ସେ ଜନ୍ମ ହୋଇଥିଲେ। ସେ ଭାରତୀୟ ହକି ଦଳର ଅଧିନାୟକ ହୋଇପାରିଥିଲେ। ତା’ ପୂର୍ବରୁ ସେ ଜାତୀୟ ସବ୍‌-ଜୁନିୟର, ଜୁନିୟର ଓ ‘ଏ’ ଟିମ୍‌ର ମଧ୍ୟ ଅଧିନାୟକ ହୋଇଥିଲେ। ୨୦୦୭ରେ ଚେନ୍ନାଇରେ ଅନୁଷ୍ଠିତ ଏସିଆ କପ୍‌ରେ ଭାରତୀୟ ହକି ଦଳ ସ୍ୱର୍ଣ୍ଣ ପଦକ ଜିତିଥିଲା। ସେତେବେଳେ ପ୍ରବୋଧ ଦଳର ଅଧିନାୟକ ଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!