ଭୁବନେଶ୍ୱର, ୩।୯ :ଆସନ୍ତା ୫ ତାରିଖ ଗୁରୁଦିବସ ରେ ‘ଜାତୀୟ ଶିକ୍ଷକ ପୁରସ୍କାର’ ପାଇବେ ଦେଶର ୭୫ ଜଣ ଶିକ୍ଷକ । ସେମାନଙ୍କ ମଧ୍ୟରେ ଓଡ଼ିଶାର ୪ ଜଣ ଶିକ୍ଷକ ରହିଛନ୍ତି । ଦେଶର ଦ୍ୱିତୀୟ ରାଷ୍ଟ୍ରପତି ଓ ପ୍ରଥମ ଉପରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରୀଷ୍ଣନଙ୍କ ଜନ୍ମଦିବସ ଅବସରରେ ପ୍ରତିବର୍ଷ ଏହି ଦିନଟିକୁ ଗୁରୁ ଦିବସ ଭାବେ ପାଳନ କରାଯାଇ ଆସୁଛି । ଶିକ୍ଷା ପ୍ରତି ନିଷ୍ଠା, ପ୍ରତିବଦ୍ଧତା ରହିବା ସହ ଉତ୍ତମ ଗୁଣବତ୍ତା ବିଶିଷ୍ଟ ଶିକ୍ଷା ପ୍ରଦାନ କରିଆସିଥିବା ଶିକ୍ଷକମାନଙ୍କୁ ପ୍ରତିବର୍ଷ ଏହି ଦିବସରେ ପୁରସ୍କୃତ କରାଯାଇଥାଏ ।ଶିକ୍ଷାଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗୁରୁଦିବସ ଅବସରରେ ୫ ତାରିଖ ଦିନ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ୭୫ ଜଣଙ୍କୁ ‘ଜାତୀୟ ଶିକ୍ଷକ ପୁରସ୍କାର ୨୦୨୩’ ପ୍ରଦାନ କରାଯିବ। ଏଥର ଦେଶର ୫୦ ଜଣ ସ୍କୁଲ ଶିକ୍ଷକ, ୧୩ ଜଣ ଉଚ୍ଚ ଶିକ୍ଷାନୁଷ୍ଠାନର ଶିକ୍ଷକ, ୧୨ ଜଣ ଦକ୍ଷତା ବୃଦ୍ଧି ମନ୍ତ୍ରଣାଳୟର ଶିକ୍ଷକ ଏହି ପୁରସ୍କାର ପାଇବେ । ଏହି ଅବସରରେ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନଠାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଯୋଗ୍ୟ ଶିକ୍ଷକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରସ୍କୃତ କରିବେ ।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିକ୍ଷକମାନଙ୍କୁ ଏହି ପୁରସ୍କାର ପ୍ରଦାନ କରିବେ। ଓଡ଼ିଶାର ୪ଜଣ ଶିକ୍ଷକ ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇଜଣ ଶିକ୍ଷକ ଓ ଅନ୍ୟ ଦୁଇଜଣ ହେଉଛନ୍ତି ପ୍ରଶିକ୍ଷଣ ଅଧିକାରୀ। ସେମାନେ ହେଲେ ଭଦ୍ରକ ଜିଲାର କେନ୍ଦୁଆପଡ଼ା ନୋଡାଲ ହାଇସ୍କୁଲର ଶିକ୍ଷକ ଶଶି ଶେଖର କର ଶର୍ମା ଏବଂ ଜଗତ୍ସିଂହପୁର ଜିଲା ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସୁଭାଷ ଚନ୍ଦ୍ର ରାଉତ। ସେହିପରି ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ପୁରସ୍କାର ବିଜେତାଙ୍କ ମଧ୍ୟରେ ଅଛନ୍ତି ଖୋର୍ଦ୍ଧା ଜିଲା ଜଟଣୀ ଖୁଦପୁରସ୍ଥିତ ଦିବ୍ୟାଙ୍ଗମାନଙ୍କ ପାଇଁ ରହିଥିବା ସ୍ବତନ୍ତ୍ର ଆଇଟିଆଇ ଅନୁଷ୍ଠାନର ପ୍ରଶିକ୍ଷଣ ଅଧିକାରୀ ରବିନାରାୟଣ ସାହୁ ଏବଂ ଭୁବନେଶ୍ୱରର ରାଜଭବନ ନିକଟରେ ଥିବା ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନର ସହକାରୀ ପ୍ରଶିକ୍ଷଣ ଅଧିକାରୀ (ଏଟିଓ) ସୁନୀତା ସିଂହ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ପାଇବାକୁ ଯୋଗ୍ୟବିବେଚିତ ୪ଜଣ ଶିକ୍ଷକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ସେ କହିଛନ୍ତି, ଆପଣମାନଙ୍କ କାର୍ଯ୍ୟ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ଏହା ସମସ୍ତଙ୍କୁ ଅନୁପ୍ରାଣିତ କରିବା ସହିତ ଓଡ଼ିଶାର ଶିକ୍ଷା କ୍ଷେତ୍ରକୁ ଆହୁରି ସମୃଦ୍ଧ କରିବାରେ ସହାୟକ ହେଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |