ରାଜକନିକା,୩/୯(ଓଡ଼ିଆନ୍): ଓଡ଼ିଶା ଫୁଟବଲ ଏକାଡ଼େମୀ ପକ୍ଷରୁ ଜାତୀୟସ୍ତରରେ ଡ଼କ୍ଟର ବିସି ରାୟ ଟ୍ରଫି ଖେଳିବା ପାଇଁ ଖେଳାଳୀଙ୍କ ନାମ ଘୋଷଣା କରାଯାଇଛି । ୧୭ବର୍ଷରୁ କମ୍ ଓଡ଼ିଶା ଫୁଟବଲ ଦଳରେ ଖେଳିବା ପାଇଁ ରାଜକନିକା ଜୟନଗର ଗ୍ରାମର କାମାକ୍ଷା ପ୍ରସାଦ ପାତ୍ର ଏବଂ ରତ୍ନମଞ୍ଜରୀ ପାତ୍ରଙ୍କ ସୁପୁତ୍ର ରିତିଶ କୁମାର ପାତ୍ରଙ୍କ ନାମ ଘୋଷଣା କରାଯାଇଛି । ଏହି ଖବର ଜଣାପଡ଼ିବା ପରେ ରାଜକନିକା ଅଞ୍ଚଳର କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ମାତ୍ର ୧୫ ବର୍ଷ ବୟସରେ ରିତିଶ ଜଣେ ଭଲ ଫୁଟବଲ ଖେଳାଳୀ ଭାବେ ନିଜର ପାରଦର୍ଶିତା ପ୍ରଦର୍ଶନ କରିଛନ୍ତି । ଓଡ଼ିଶା ଫୁଟବଲ ଦଳରେ ଗୋଲକିପର ଭାବେ ସେ ମନୋନୀତ ହୋଇଛନ୍ତି । ରିତିଶ ବାଘବୁଦା ସତ୍ୟନାରାୟଣ ଫୁଟବଲ କ୍ଲବ୍ରେ ଛୋଟ ବୟସରୁ ଫୁଟବଲ ଖେଳି ସମସ୍ତଙ୍କ ଦୃଷ୍ଟିଆକର୍ଷଣ କରିପାରିଥିଲେ । ଏହା ସହିତ ଉଚ୍ଚ ମାନର ଖେଳ ପ୍ରଦର୍ଶନ କରି ସେ ବହୁ ପୁରସ୍କାର ସହିତ ଟ୍ରଫି ହାସଲ କରିଛନ୍ତି । ରିତିଶ ହେଉଛନ୍ତି ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ କୃଷ୍ଣଚନ୍ଦ୍ର ପାତ୍ରଙ୍କ ନାତି । ଏହି ଖବର ଜଣାପଡ଼ିବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |