ଜି-୨୦ ସମ୍ମିଳନୀରେ ଯୋଗଦେବେ ଓଡ଼ିଶାର ଦୁଇ ଜଣ ଆଦିବାସୀ

ନୂଆଦିଲ୍ଲୀ,୬।୯:   ଜି-୨୦ ସମ୍ମିଳନୀରେ ଓଡ଼ିଶାର ଦୁଇ ଜଣ ଆଦିବାସୀ ଯୋଗଦେବେ। କୋରାପୁଟର ରାଇମତି ଘିଉରିଆ ଓ ମୟୂରଭଞ୍ଜର ସୁବାସ ମହନ୍ତ ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେଇ ଆଦିବାସୀଙ୍କ ଜୀବନଶୈଳୀ ଓ ମିଲେଟ ମିଶନ ଉପରେ ବିସ୍ତୃତ ତଥ୍ୟ ରଖିବେ।ଏଥିସହ ଆଦିବାସୀଙ୍କ ଚାଲି ଚଲଣି, ଖାଦ୍ୟାଭ୍ୟାସ ଉପରେ ଭାଷଣ ଦେବେ। ଖାଲି ଏତିକି ନୁହେଁ ମାଣ୍ଡିଆର ଉପକାରିତା ଉପରେ ଆଲୋକପାତ ମଧ୍ୟ କରିବେ। ମିଲେଟ ମିଶନ ଦ୍ୱାରା ଆଦିବାସୀ ମହିଳାମାନେ କିପରି ସ୍ୱାବଲମ୍ବୀ ହୋଇପାରିଛନ୍ତି, ଏହା ଉପରେ ମଧ୍ୟ ତଥ୍ୟ ଉପସ୍ଥାପନ କରିବେ।ଜି-୨୦ ଶିଖର ସମ୍ମିଳନୀ ଅବସରରେ ନୂଆଦିଲ୍ଲୀ ପ୍ରଗତି ମୈଦାନର ଭାରତ ମଣ୍ଡପମ ଠାରେ ଆସନ୍ତା ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଏକ ହସ୍ତଶିଳ୍ପ ବଜାର ତଥା ପ୍ରଦର୍ଶନୀ ଓ ବିକ୍ରି ମେଳା ଆୟୋଜନ କରାଯିବ । ଏଥିରେ ଓଡ଼ିଶାର ପଟ୍ଟଚିତ୍ର କଳା ପ୍ରଦର୍ଶନୀ ଏବଂ ବିକ୍ରି ପାଇଁ ବ୍ୟବସ୍ଥା କରାଯିବ। ଓଡ଼ିଶାର ପଟ୍ଟଚିତ୍ର କଳା ଦେଶର ଅନ୍ୟତମ ପ୍ରସିଦ୍ଧ ପାରମ୍ପରିକ କଳା ମଧ୍ୟରୁ ଅନ୍ୟତମ । ଏହା ଓଡ଼ିଶାବାସୀଙ୍କ ଧାର୍ମିକ, ପୌରାଣିକ ଓ ଆଧ୍ୟାତ୍ମିକ ବିଶ୍ୱାସ ସହ ଜଡ଼ିତ । ପଟ୍ଟଚିତ୍ର କଳାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଓଡ଼ିଶାବାସୀଙ୍କ ଆସ୍ଥା ଏବଂ ପୁରୀ ଶ୍ରୀମନ୍ଦିରର ନୀତିକାନ୍ତି ଓ ପରମ୍ପରାର ଝଲକ ଦେଖିବାକୁ ମିଳିଥାଏ।ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଏହି ହସ୍ତଶିଳ୍ପ ମେଳାରେ ଦେଶର ବିଭିନ୍ନ ପ୍ରାନ୍ତରୁ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶିତ ହେବ । ବିଶେଷ କରି ଏକ ଜିଲ୍ଲା ଏକ ଉତ୍ପାଦ, ଜିଆଇ ଟ୍ୟାଗ୍‌ ପ୍ରାପ୍ତ ସାମଗ୍ରୀ ଏବଂ ମହିଳା ଓ ଆଦିବାସୀ କାରୀଗରଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଏଠାରେ ପ୍ରଦର୍ଶିତ ହେବ। ସମ୍ମିଳନୀରେ ଅଂଶଗ୍ରହଣ କରୁଥିବା ଅନ୍ତର୍ଜାତୀୟ ପ୍ରତିନିଧି, ଗଣମାଧ୍ୟମ କର୍ମଚାରୀମାନେ ଏହି ହସ୍ତଶିଳ୍ପ ମେଳାକୁ ବୁଲି ଦେଖିବା ସହିତ ସ୍ଥାନୀୟ ଉତ୍ପାଦ କିଣିବାର ସୁଯୋଗ ପାଇବେ । ବଜାର ଭାରତ ନିର୍ମିତ ସାମଗ୍ରୀକୁ ବିଶ୍ୱସ୍ତରରେ ପ୍ରୋତ୍ସାହିତ କରିବା ସହିତ ସ୍ଥାନୀୟ କାରୀଗରମାନଙ୍କୁ ଆର୍ଥିକ ଓ ବଜାର ସୁଯୋଗ ପ୍ରଦାନ କରିବ । ଜି-୨୦ ସଚିବାଳୟ ଦ୍ୱାରା ବୟନ ଶିଳ୍ପ ମନ୍ତ୍ରଣାଳୟ ଏବଂ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସହଯୋଗରେ ଏହି ପ୍ରଦର୍ଶନୀ ଆୟୋଜନ କରାଯାଉଛି । ପ୍ରାୟ ୩୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସମେତ ଖଦୀ ଓ ଗ୍ରାମୋଦ୍ୟୋଗ ଆୟୋଗ, ଟ୍ରାଇଫେଡ୍‌, ସାରସ ଅଜୀବିକା ଭଳି କେନ୍ଦ୍ରୀୟ ସଂସ୍ଥାମାନେ ପ୍ରଦର୍ଶନୀରେ ଅଂଶଗ୍ରହଣ କରୁଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!