ଜି-୨୦ ଶିଖର ସମ୍ମିଳନୀରେ ପ୍ରଦର୍ଶିତ ହେବ ଓଡ଼ିଶାର ପଟ୍ଟଚିତ୍ର

ଭୁବନେଶ୍ୱର,୬/୯ : ଜି-୨୦ ଶିଖର ସମ୍ମିଳନୀ ଅବସରରେ ନୂଆଦିଲ୍ଲୀ ପ୍ରଗତି ମୈଦାନର ଭାରତ ମଣ୍ଡପମ ଠାରେ ଆସନ୍ତା ୮ରୁ ୧୦ ତାରିଖ ପର୍ୟ୍ୟନ୍ତ ଏକ ହସ୍ତଶିଳ୍ପ ବଜାର ତଥା ପ୍ରଦର୍ଶନୀ ଓ ବିକ୍ରି ମେଳା ଆୟୋଜନ କରାଯିବ । ଏଥିରେ ଓଡ଼ିଶାର ପଟ୍ଟଚିତ୍ର କଳା ପ୍ରଦର୍ଶନୀ ଏବଂ ବିକ୍ରି ପାଇଁ ବ୍ୟବସ୍ଥା କରାଯାଇଛି। ଓଡ଼ିଶାର ପଟ୍ଟଚିତ୍ର କଳା ଦେଶର ଅନ୍ୟତମ ପ୍ରସିଦ୍ଧ ପାରମ୍ପରିକ କଳା ମଧ୍ୟରୁ ଅନ୍ୟତମ । ଏହା ଓଡ଼ିଶାବାସୀଙ୍କ ଧାର୍ମିକ, ପୌରାଣିକ ଓ ଆଧ୍ୟାତ୍ମିକ ବିଶ୍ୱାସ ସହ ଜଡ଼ିତ । ପଟ୍ଟଚିତ୍ର କଳାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଓଡ଼ିଶାବାସୀଙ୍କ ଆସ୍ଥା ଏବଂ ପୁରୀ ଶ୍ରୀମନ୍ଦିରର ନୀତିକାନ୍ତି ଓ ପରମ୍ପରାର ଝଲକ ଦେଖିବାକୁ ମିଳିଥାଏ। ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଏହି ହସ୍ତଶିଳ୍ପ ମେଳାରେ ଦେଶର ବିଭିନ୍ନ ପ୍ରାନ୍ତରୁ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶିତ ହେବ । ବିଶେଷ କରି ଏକ ଜିଲ୍ଲା ଏକ ଉତ୍ପାଦ, ଜିଆଇ ଟ୍ୟାଗ୍‌ ପ୍ରାପ୍ତ ସାମଗ୍ରୀ ଏବଂ ମହିଳା ଓ ଆଦିବାସୀ କାରୀଗରଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଏଠାରେ ପ୍ରଦର୍ଶିତ ହେବ। ସମ୍ମିଳନୀରେ ଅଂଶଗ୍ରହଣ କରୁଥିବା ଅନ୍ତର୍ଜାତୀୟ ପ୍ରତିନିଧି, ଗଣମାଧ୍ୟମ କର୍ମଚାରୀମାନେ ଏହି ହସ୍ତଶିଳ୍ପ ମେଳାକୁ ବୁଲି ଦେଖିବା ସହିତ ସ୍ଥାନୀୟ ଉତ୍ପାଦ କିଣିବାର ସୁଯୋଗ ପାଇବେ ବଜାର ଭାରତ ନିର୍ମିତ ସାମଗ୍ରୀକୁ ବିଶ୍ୱସ୍ତରରେ ପ୍ରୋତ୍ସାହିତ କରିବା ସହିତ ସ୍ଥାନୀୟ କାରୀଗରମାନଙ୍କୁ ଆର୍ଥିକ ଓ ବଜାର ସୁଯୋଗ ପ୍ରଦାନ କରିବ । ଜି-୨୦ ସଚିବାଳୟ ଦ୍ୱାରା ବୟନ ଶିଳ୍ପ ମନ୍ତ୍ରଣାଳୟ ଏବଂ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସହଯୋଗରେ ଏହି ପ୍ରଦର୍ଶନୀ ଆୟୋଜନ କରାଯାଉଛି । ପ୍ରାୟ ୩୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସମେତ ଖଦୀ ଓ ଗ୍ରାମୋଦ୍ୟୋଗ ଆୟୋଗ, ଟ୍ରାଇଫେଡ୍‌, ସାରସ ଅଜୀବିକା ଭଳି କେନ୍ଦ୍ରୀୟ ସଂସ୍ଥାମାନେ ପ୍ରଦର୍ଶନୀରେ ଅଂଶଗ୍ରହଣ କରୁଛନ୍ତି । ସୂଚନାଯୋଗ୍ୟ ଯେ ପୁରୁଣା ସୂତା କପଡ଼ା, ସୂତା ଶାଢ଼ୀ ଓ ଟସର ରେଷମ ଉପରେ ପଟ୍ଟଚିତ୍ର କଳା ଅଙ୍କା ଯାଇଥାଏ। ଏଥିରେ ବିଭିନ୍ନ ପାରମ୍ପରିକ ପଦ୍ଧତିରେ ପ୍ରସ୍ତୁତ ରଙ୍ଗ ଉପଯୋଗ କରାଯାଇଥାଏ। ପଟ୍ଟଚିତ୍ର ଶିଳ୍ପ କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ ପାଇଁ  ସଂଘମିତ୍ର ମହାରାଣା ଓ  ସବିତା ମହାପାତ୍ରଙ୍କୁ ଅଶେଷ ଖ୍ୟାତି ମିଳିପାରିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!