ପାଲେକେଲ୍, ୬ା୯ :‘ଏସିଆ କପ ଗ୍ରୁପ-ବି’ର ଏକ ରୋମାଞ୍ଚକର ମ୍ୟାଚରେ ଆଫଗାନିସ୍ତାନକୁ ୨ ରନରେ ପରାସ୍ତ କରିଛି ଶ୍ରୀଲଙ୍କା । ଏସିଆ କପ୍ କ୍ରିକେଟ୍ ୨୦୨୩ରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍କୁ ୨ ରନ୍ରେ ଜିତି ନେଇଛି ଶ୍ରୀଲଙ୍କା। ମଙ୍ଗଳବାର ଶ୍ରୀଲଙ୍କାର ରୋମାଞ୍ଚକ ବିଜୟ ସହିତ ଗ୍ରୁପ୍ ପର୍ଯ୍ୟାୟ ଶେଷ ହୋଇଛି। କୁଶାଲ ମେଣ୍ଡିସ୍ଙ୍କ ୯୨ ରନ୍ ବଳରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ନିର୍ଦ୍ଧାରିତ ଓଭରରେ ୮ ଉଇକେଟ ହରାଇ ୨୯୧ ରନ୍ ସଂଗ୍ରହ କରିଥିଲା। ଜବାବରେ ଆଫଗାନିସ୍ତାନ ୩୭.୪ ଓଭରରେ୨୮୯ ରନ୍ରେ ଅଲଆଉଟ ହୋଇଥିଲା।ଟସ୍ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରିଥିଲା। ଦୁଇ ଓପନର ପାଥୁମ୍ ନିଶଙ୍କା(୪୧) ଓ ଦିମୁଥ୍ କରୁଣାରତ୍ନେ(୩୨) ରନ୍ ପ୍ରଥମ ଉଇକେଟରେ ୬୩ ରନ୍ ଯୋଡିଥିଲେ। କରୁଣାରତ୍ନେଙ୍କୁ ଆଉଟ୍ କରି ଗୁଲବଦିନ ନାଏବ ଦଳକୁ ପ୍ରଥମ ସଫଳତା ପ୍ରଦାନ କରିଥିଲେ।ପରବର୍ତ୍ତୀ ବ୍ୟାଟର ସମର ଓ୍ବିକ୍ରମାଙ୍କ ସହିତ ପାଥୁମ୍ ନିଶଙ୍କାଙ୍କୁ ଆଉଟ କରିଥିଲେ ନାଇବ। ୮୬ ରନ୍ରେ ୩ ଉଇକେଟ ହରାଇବା ପର କୁଶାଲ ମେଣ୍ଡିସ୍ (୯୨) ଓ ଚରିଥ୍ ଅସଲଙ୍କା (୩୬) ଚତୁର୍ଥ ଉଇକେଟରେ ୧୦୨ ରନ୍ ଯୋଡିଥିଲେ। ମେଣ୍ଡିସ୍ ୮୪ ବଲ୍ ଖେଳି ୬ ଚକା ଓ ୩ ଛକା ମାରିଥିଲେ। ଅନ୍ୟ ପକ୍ଷରେ ଅସଲଙ୍କା ୪୩ ବଲ୍ ଖେଳି ୨ ଚୌକା ଓ ୧ ଛକା ମାରିଥିଲେ। ଧନଞ୍ଜୟ ଡି ସିଲ୍ଭା୧୪ ଓ ଦାସୁନ ଶନକା ୫ ରନ୍ କରି ଆଉଟ ହୋଇଥିବା ବେଳେ ଶେଷ ଆଡକୁ ଦୁନିଥ୍ ଓ୍ବେଲିଲାଗେ ୩୩ ଓ ମହୀଷ ଥିକ୍ସାନା ୨୮ ରନ୍ କରିବାରୁ ଶ୍ରୀଲଙ୍କା ୨୯୧ ରନ୍ ସଂଗ୍ରହ କରିଥିଲା। ଆଫଗାନିସ୍ତାନ ପକ୍ଷରୁ ଗୁଲବଦିନ ନାଇବ ସର୍ବାଧିକ ୪ ଉଇକେଟ ନେଇଥିଲେ। ସୁପର୍-୪ ପ୍ରବେଶ ପାଇଁ ଆଫଗାନିସ୍ତାନକୁ ୩୭ ଓଭରରେ ବିଜୟ ହାସଲ ଆବଶ୍ୟକ ରହିଥିବା ବେଳେ ଦଳ ୨୭ ରନ୍ ମଧ୍ୟରେ ଦୁଇ ଓପନରଙ୍କ ଉଇକେଟ ହରାଇଥିଲା।୫୦ ରନ୍ରେ ୩ ଉଇକେଟ ହରାଇବା ପରେ ଅଧିନାୟକ ହସମତଉଲ୍ଲା ଶାହିଦି (୫୯) ଓ ରେହମତ ଶାହ(୪୫) ଚତୁର୍ଥ ଉଇକେଟରେ ୭୧ ରନ୍ ଯୋଡିଥିଲେ। ରେହମତ ଶାହ ଆଉଟ ହେବା ପରେ କ୍ରିଜ୍ରେ ଯୋଗ ଦେଇଥିଲେ ମହମ୍ମଦ ନବି। ଆଫଗାନିସ୍ତାନ ପକ୍ଷରୁ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବା ସହିତ ୨୪ ବଲ୍ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ୩୨ ବଲ୍ ଖେଳି ୬ ଚୌକା ଓ ୫ ଛକା ସହିତ ୬୫ ରନ୍ ସ୍କୋର କରିଥିଲେ। ଶେଷ ଆଡକୁ ଦୁନିଥ ଓ୍ବେଲିଲାଗେ ଓ ଧନଞ୍ଜୟ ଡି ସିଲ୍ଭା ଦୁଇଟି ଲେଖାଏ ଉଇକେଟ ନେଇ ଶ୍ରୀଲଙ୍କାକୁ ଜିତାଇଥିଲେ। ଶ୍ରୀଲଙ୍କା ପକ୍ଷରୁ କଶୁନ ରଜିଥା ୪, ଦୁନିଥ୍ ଓ୍ବେଲିଲାଗେ ଓ ଧନଞ୍ଜୟ ଡି ସିଲ୍ଭା ୨ ଉଇକେଟ ନେଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |