ଭୁବନେଶ୍ୱର, ୬।୯ : ଦେଶର ୭୫ଜଣ ଶିକ୍ଷକଙ୍କୁ ‘ଜାତୀୟ ଶିକ୍ଷକ ପୁରସ୍କାର ୨୦୨୩’ ମିଳିଛି। ଗୁରୁଦିବସ ଅବସରରେ ମଙ୍ଗଳବାର ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିକ୍ଷକମାନଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଏମାନଙ୍କ ମଧ୍ୟରେ ୫୦ଜଣ ସ୍କୁଲ ଶିକ୍ଷକ, ଉଚ୍ଚଶିକ୍ଷା ବିଭାଗର ୧୩ଜଣ ଶିକ୍ଷକ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର ୧୨ଜଣ ଶିକ୍ଷକ ରହିଛନ୍ତି। ଓଡ଼ିଶାର ୪ଜଣ ଶିକ୍ଷକ ଏହି ଜାତୀୟ ଶିକ୍ଷକ ପୁରସ୍କାର ପାଇଥିବାବେଳେ ଦୁଇଜଣ ଶିକ୍ଷକ ଓ ଅନ୍ୟ ଦୁଇଜଣ ହେଉଛନ୍ତି ପ୍ରଶିକ୍ଷଣ ଅଧିକାରୀ। ଦୁଇ ଶିକ୍ଷକ ହେଲେ ଭଦ୍ରକ ଜିଲାର କେନ୍ଦୁଆପଡ଼ା ନୋଡାଲ ହାଇସ୍କୁଲର ଶିକ୍ଷକ ଶଶି ଶେଖର କର ଶର୍ମା ଓ ଜଗତ୍ସିଂହପୁର ଜିଲାର ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସୁଭାଷ ଚନ୍ଦ୍ର ରାଉତ ଏବଂ ଦୁଇ ପ୍ରଶିକ୍ଷକ ହେଲେ ଖୋର୍ଦ୍ଧା ଜିଲା ଜଟଣୀ ନିକଟସ୍ଥ ଖୁଦପୁରସ୍ଥିତ ଦିବ୍ୟାଙ୍ଗଙ୍କ ପାଇଁ ରହିଥିବା ସ୍ବତନ୍ତ୍ର ଆଇଟିଆଇ ଅନୁଷ୍ଠାନର ପ୍ରଶିକ୍ଷଣ ଅଧିକାରୀ ରବିନାରାୟଣ ସାହୁ ଓ ଭୁବନେଶ୍ୱରର ରାଜଭବନ ନିକଟ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନର ସହକାରୀ ପ୍ରଶିକ୍ଷଣ ଅଧିକାରୀ(ଏଟିଓ) ସୁନୀତା ସିଂହ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |