ଆଜି ଭାରତ ଆସୁଛନ୍ତି ବାଇଡେନ ,ଦିଲ୍ଲୀରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ,,୮।୯:ଆସନ୍ତାକାଲି ନୂଆଦିଲ୍ଲୀରେ ଜି୨୦ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଥିବା ବେଳେ ଆଜି ଭାରତରେ ପହଞ୍ଚିବେ ବିଶ୍ୱସ୍ତରୀୟ ନେତା।  ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଜି୨୦ ସମ୍ମିଳନୀରେ ଯୋଗ ଦେବା ପାଇଁ  ଆଜି  ଆସି ଦିଲ୍ଲୀରେ ପହଞ୍ଚିବେ। ଭାରତରେ ପହଞ୍ଚିଲା ପରେ ସେ ଯେଉଁ କାର୍‌ରେ ଯାତାୟାତ କରିବେ ତାହା ହେଉଛି ଆମେରିକା ରାଷ୍ଟ୍ରପତିଙ୍କ କାଡିଲାକ (ବିଳାସପୂର୍ଣ୍ଣ କାର୍) ‘ଦି ବିଷ୍ଟ’, ଯାହା ବୋଇଂ ସି-୧୭ ଗ୍ଲୋବ୍‌ମାଷ୍ଟର-୩ ବିମାନ ଯୋଗେ ଆମେରିକାରୁ ବୁହା ହୋଇ ଆସିବ। ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟାରେ ନୂଆଦିଲ୍ଲୀରେ ପହଞ୍ଚିବା ପରେ ରାଷ୍ଟ୍ରପତି ବାଇଡେନ ସିଧା ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ବିପାକ୍ଷିକ ଆଲୋଚନାରେ ଭାଗ ନେବା ପାଇଁ।ନୂଆଦିଲ୍ଲୀରେ ରାଷ୍ଟ୍ରପତି ବାଇଡେନଙ୍କ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରଥମ ବାହ୍ୟ ସ୍ତରରେ ଅର୍ଦ୍ଧସାମରିକ ବାହିନୀ ନିୟୋଜିତ ରହିବେ। ଦ୍ବିତୀୟ ସ୍ତରରେ ଭାରତର ସ୍ବତନ୍ତ୍ର ପ୍ରୋଟେକ୍ସନ ଗ୍ରୁପ୍‌ର କମାଣ୍ଡୋମାନେ ରହିବେ। ଏବଂ ସବା ଶେଷ ଅଭ୍ୟନ୍ତର ସର୍କଲରେ ରହିବେ ସିକ୍ରେଟ୍ ସର୍ଭିସ ଏଜେଣ୍ଟମାନେ। ବାଇଡେନ ଏବଂ ଆମେରିକାର ଅନ୍ୟ ପତିନିଧିମାନେ ଆଇଟିସି ମୌର୍ଯ୍ୟ ଶେରାଟନ ହୋଟେଲରେ ରହିବାର ବନ୍ଦୋବସ୍ତ ହୋଇଛି।ବାଇଡେନଙ୍କ ସ୍ୱାଗତ କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି। ଏୟାରପୋର୍ଟଠାରୁ ହୋଟେଲ ଆଇଟିସି ମୌର୍ଯ୍ୟ ପର୍ଯ୍ୟନ୍ତ ତାଙ୍କ ସ୍ୱାଗତ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଉକ୍ତ ହୋଟେଲରେ ପୂର୍ବରୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ କ୍ଲିଣ୍ଟନ, ଜିମି କାର୍ଟର, ଜର୍ଜ ଡବ୍ଲ୍ୟୁ ବୁଶ୍‌, ବାରାକ ଓବାମା, ହୋନାଲ୍ଡୋ ଟ୍ରମ୍ପ ବି ରହି ସାରିଛନ୍ତି। ସେଠାକାର କର୍ମଚାରୀମାନଙ୍କର ପୃଷ୍ଠଭୂମି ଯାଞ୍ଚ କରାଯିବ। ବାଇଡେନ ଯେଉଁ ଚତୁର୍ଦ୍ଦଶ ମହଲାରେ ରହିବେ, ସେଠାକୁ ଯିବା ପାଇଁ ସ୍ବତନ୍ତ୍ର ଆକ୍ସେସ୍ କାର୍ଡର ବ୍ୟବସ୍ଥା ରହିବ। ବାଇଡେନଙ୍କ ପାଇଁ ଏକ ସ୍ବତନ୍ତ୍ର ଲିଫ୍ଟ ମଧ୍ୟ ନିର୍ମାଣ କରାଯାଇଛି। ଏହି ହୋଟେଲର ପ୍ରାୟ ୪୦୦ ପ୍ରକୋଷ୍ଠ ବୁକ୍ କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!