ନୂଆଦିଲ୍ଲୀ,୮।୯ :ଆସନ୍ତାକାଲିଠାରୁ ଦୁଇ ଦିନ ଧରି ବିଶ୍ୱର ବହୁ ଶୀର୍ଷ ନେତାଙ୍କୁ ନେଇ ଅନୁଷ୍ଠିତ ହେବ ଜି-୨୦ ଶିଖର ସମ୍ମିଳନୀ। ପ୍ରଥମ କରି ଭାରତ ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରୁଛି। ଏଥିପାଇଁ ଦିଲ୍ଲୀରେ ବ୍ୟାପକ ବନ୍ଦୋବସ୍ତ ହୋଇଛି। ଆଜି ପ୍ରଧାନମନ୍ତ୍ରୀ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନାରେ ଭାଗ ନେବେ ବୋଲି ପୂର୍ବରୁ ପ୍ରକାଶ ପାଇଥିଲା। କିନ୍ତୁ ସେ ବାଇଡେନଙ୍କ ସମେତ ଅନ୍ୟ ୧୫ ରାଷ୍ଟ୍ର ଶୀର୍ଷ ନେତାଙ୍କ ସହ ଆଲୋଚନା ବି କରିବେ। ମରିସସ୍, ବାଂଲାଦେଶ, ବ୍ରିଟେନ, ଜାପାନ, ଜର୍ମାନୀ ଏବଂ ଇଟାଲୀ ପ୍ରଧାନମନ୍ତ୍ରୀଙ୍କ ସହ ପୃଥକ ପୃଥକ ଭାବେ ଦ୍ୱିପାକ୍ଷିକ ଆଲୋଚନା କରିବେ।ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବାକୁ ୩୦ଦେଶର ରାଷ୍ଟ୍ର ମୁଖ୍ୟଙ୍କ ସହ ବଡ ବଡ ଅଧିକାରୀଙ୍କୁ ନିମନ୍ତ୍ରଣ କରାଯାଇଛି। ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ପରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଓ ତାଙ୍କ ପତ୍ନୀ ଦିଲ୍ଲୀରେ ପହଞ୍ଚିଛନ୍ତି। ସେହିପରି ଋଷିଆର ବୈଦେଶିକ ମନ୍ତ୍ରୀ ସେରଜେ ଲାଭରୋଭ, ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ, ଓମାନ ପ୍ରଧାନମନ୍ତ୍ରୀ ସୁଲତାନ ହେଇଥାମ ଓ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସେରିଲ ରାମାଫୋସା ଜି-୨୦ ବୈଠକରେ ଯୋଗ ଦେବା ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି।ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫ରୁ ଅଧିକ ଦ୍ୱିପାକ୍ଷିକ ଆଲୋଚନା ବୈଠକରେ ଯୋଗଦେବେ ବୋଲି ସୂତ୍ରରୁ ପ୍ରକାଶ ପାଇଛି। ସେହିପରି ସେପ୍ଟେମ୍ବର ୧୦ରେ ପ୍ରଧାନମନ୍ତ୍ରୀ ମୋଦି ଫ୍ରାନ୍ସର ରାଷ୍ଟ୍ରପତି ମାକ୍ରୋନଙ୍କ ସହ ମଧ୍ୟାହ୍ନ ଭୋଜନରେ ଯୋଗଦେବେ। ଏହି ସମୟରେ ଦୁଇ ଦେଶର ଉନ୍ନତି-ପ୍ରଗତି ନେଇ ଆଲୋଚନା କରିବେ ଦୁଇ ଦେଶର ଶୀର୍ଷ ନେତା। ଏହା ବାଦ୍ କାନାଡ଼ା ଶୀର୍ଷ ନେତାଙ୍କ ସହ ପୃଥକ ବୈଠକ କରିବେ ଏବଂ କୋମୋରୋସ୍, ତୁର୍କୀ, ସଂଯୁକ୍ତ ଆରବ ଏମିରେଟ୍ସ, ଦକ୍ଷିଣ କୋରିଆ, ୟୁରୋପୀୟ ୟୁନିଅନ୍/ୟୁରୋପୀୟ ପରିଷଦ, ବ୍ରାଜିଲ ଏବଂ ନାଇଜେରିଆ ସହ ଦ୍ୱିପାକ୍ଷିକ ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |