ନୂଆଦିଲ୍ଲୀ,୯।୯ : ନୂଆଦିଲ୍ଲୀରେ ଜି -୨୦ ଶିଖର ବୈଠକ ଅବସରରେ ଭାରତ ବିଶ୍ୱ ଜୈବ ଇନ୍ଧନ ମେଣ୍ଟର ଶୁଭାରମ୍ଭ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିଖର ବୈଠକ ସମୟରେ ମେଣ୍ଟର ଶୁଭାରମ୍ଭ କରିଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, ଆର୍ଜେଣ୍ଟିନା ରାଷ୍ଟ୍ରପତି ଆଲବର୍ଟୋ ଫର୍ଣ୍ଣାଣ୍ଡିଜ୍, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା, ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିଏନ୍ ଲୁଙ୍ଗ୍, ବ୍ରାଜିଲ୍ ରାଷ୍ଟ୍ରପତି ଲୁଇଜ୍ ଇନାସିଅ ଲୁଲା ଦା ସିଲଭାଙ୍କ ସମେତ ବହୁ ନେତା ସେଠାରେ ଉପସ୍ଥିତ ଥିଲେ । ପୂର୍ବରୁ ଜି-୨୦ ଅଧିବେଶନରେ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ ଜୈବ ଇନ୍ଧନ କ୍ଷେତ୍ରରେ ବିଶ୍ୱର ସମସ୍ତ ଦେଶ ମିଳିମିଶି କାର୍ଯ୍ୟ କରିବାକୁ ଗୁରୁତ୍ୱ ଦେଇଥିଲେ । ସେ କହିଥିଲେ, ପେଟ୍ରୋଲରେ ଶତକଡ଼ା ୨୦ ଭାଗ ପର୍ଯ୍ୟନ୍ତ ଏାଥନଲ୍ ମିଶ୍ରଣ ପାଇଁ ଭାରତ ପ୍ରସ୍ତାବ ଦେଇଛି । ବିଶ୍ୱ ଜୈବ ଇନ୍ଧନ ମେଣ୍ଟରେ ଯୋଗଦେବାକୁ ସେ ଦେଶ ଗୁଡ଼ିକୁ ଆମନ୍ତ୍ରଣ କରିଛନ୍ତି ।ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଆଜି ଏଭଳି ଦେଶଗୁଡ଼ିକ ମଧ୍ୟରେ ଛିଡ଼ା ହୋଇଛି ଯେଉଁଠି ବ୍ୟାପକ ସୌର ବିପ୍ଳବ ଆରମ୍ଭ ହୋଇସାରିଛି । ଲକ୍ଷ ଲକ୍ଷ ଭାରତୀୟ କୃଷକ ପ୍ରାକୃତିକ କୃଷି କରୁଛନ୍ତି । ସ୍ୱାସ୍ଥ୍ୟର ସୁରକ୍ଷା ଓ ମୃତ୍ତିକାର ଉର୍ବରତା ରକ୍ଷା ଦିଗରେ ଏହା ଏକ ବଡ଼ ଅଭିଯାନ । ଶ୍ରୀ ମୋଦୀ କହିଛନ୍ତି, ଭାରତ ମଧ୍ୟ ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନ ଆରମ୍ଭ କରିଛି । ଏହା ମାଧ୍ୟମରେ ସବୁଜ ହାଇଡ୍ରୋଜେନ୍ ଉତ୍ପାଦନ ବୃଦ୍ଧି କରାଯିବ । ସେ କହିଛନ୍ତି, ଭାରତ ଜି-୨୦ ଅଧ୍ୟକ୍ଷ ରହିବା ସମୟରେ ବିଶ୍ୱ ହାଇଡ୍ରୋଜେନ୍ ଇକୋ ସିଷ୍ଟମ୍ ସୃଷ୍ଟି ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |