କେନ୍ଦ୍ରାପଡ଼ାରେ‘ଆୟୁଷ୍ମାନ ଭବ’ ଅଭିଯାନର ଶୁଭାରମ୍ଭ

କେନ୍ଦ୍ରାପଡ଼ା, ୧୩ା୯: ଭାରତର ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଦ୍ୱାରା ଆଭାସୀ ମାଧ୍ୟମରେ “ଆୟୁଷ୍ମାନ ଭବ” ଅଭିଯାନର ଶୁଭାରମ୍ଭ ଆଜି ହୋଇଯାଇଛି । ଭାରତ ସରକାରଙ୍କ “ସୁସ୍ଥ ଭାରତ ସମର୍ଥ ଭାରତ” ଆଭିମୁଖ୍ୟରେ ଏକ ଐତିହାସିକ ଫର୍ଦ୍ଦ ଯୋଡ଼ିଛି ଏହି ଅଭିଯାନ । ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ ସେପ୍ଟେମ୍ବର ୧୭ ତାରିଖଠାରୁ ଗାନ୍ଧୀ ଜୟନ୍ତୀର ପୁଣ୍ୟ ତିଥି ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲୁ ରହିବ । ସୁସ୍ଥ ଭାରତ ଗଠନ ଦିଗରେ ଭାରତ ସରକାରଙ୍କ ଆୟୁଷ୍ମାନ ଯୋଜନା-୩.୦ ଅନ୍ତର୍ଗତ ‘ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା’ର ବିସ୍ତାର କରାଯାଇ ତୃଣମୂଳସ୍ତରରେ ରହୁଥିବା ଗ୍ରାମୀଣ ଜନସାଧାରଣଙ୍କୁ ଏହାର ସୁଫଳ ପହଂଚାଇବା ପାଇଁ ଯେଉଁ ପ୍ରୟାସ କରାଯାଇଛି ତାର ଭୂୟସୀ ପ୍ରଶଂସା କରିଥିଲେ ରାଷ୍ଟ୍ରପତି । ୨୦୨୩ ଅକ୍ଟୋବର ୨ ତାରିଖରେ ଆୟୁଷ୍ମାନ ସଭାର ଆୟୋଜନ ହେବ ଯେଉଁଥିରେ ଆୟୁଷ୍ମାନ କାର୍ଡ଼ର ବିତରଣ କରାଯିବା ସହ ଆଭା ଆଇଡି ନିର୍ମାଣ ଓ ସ୍ୱାସ୍ଥ୍ୟ ଯୋଜନାର ସୂଚନା ପ୍ରଦାନ କରାଯିବ । ଏହି ଉପଲକ୍ଷେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପୀତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆୟୋଜିତ ହୋଇଯାଇଛି । ସମସ୍ତ ହେଲ୍‌ଥ ଓ ୱେଲ୍‌ନେସ୍ କେନ୍ଦ୍ର ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସାପ୍ତାହିକ ସ୍ୱାସ୍ଥ୍ୟମେଳାର ଆୟୋଜନ, ସ୍ୱେଚ୍ଛାକୃତ ରକ୍ତଦାନ ଓ ଅଙ୍ଗଦାନ ଭଳି ମହାନ୍ କାର୍ଯ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଏଥି ନିମନ୍ତେ ଜନପ୍ରତିନିଧି, ସ୍ୱାସ୍ଥ୍ୟ କର୍ମଚାରୀ ଓ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ଗୁରୁତ୍ୱ ଯେତିକି ରହିଛି ଆଶାକର୍ମୀମାନଙ୍କୁ ତାଲିମ୍ ପ୍ରଦାନ କରାଯାଇ ଏହି ଅଭିଯାନର ସଫଳ ରୂପାୟନ ପାଇଁ ସେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯିବା ସହ ହେଲ୍‌ଥ ଓ ୱେଲ୍‌ନେସ୍ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟମେଳାର ଆୟୋଜନ କରାଯାଉଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅନୀତା ପଟ୍ଟନାୟକ ବୈଠକରେ ସୂଚନା ପ୍ରଦାନ କରିଥିଲେ । ଏହି ବୈଠକରେ ଡିଏସ୍‌ପି (ଡିଆଇବି) ଏଲ୍ ଏନ୍ ତିୱାରୀ, ଡାକ୍ତର ମୀର୍ଜା ବାବର୍ ବେଗ୍‌, ଡାକ୍ତର ନୃପେନ୍ ଶତପଥି, ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ, ଜିଲ୍ଲା ଶିକ୍ଷାଧିକାରୀ ଶୁଭଲକ୍ଷ୍ମୀ ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ସମସ୍ତ ମଣ୍ଡଳ ଶିକ୍ଷାଧିକାରୀ, ଡିପିଏମ୍ ଗୀତାଞ୍ଜଳୀ ଦାସ, କୃଷ୍ଣଚନ୍ଦ୍ର ଲୋହା, ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଶୋକ ବଳିଆରସିଂହ ପ୍ରମୂଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ଶାନ୍ତିଲତା ଚାନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!