ଭୁବନେଶ୍ୱର,୨୪।୯:ଓଡ଼ିଶାରେ ଆଜିଠାରୁ ଗଡ଼ିବ ଏକ ବନ୍ଦେ ଭାରତ ଏକ୍ସପ୍ରେସ।ଆଜିଠୁ ପୁରୀ-ରାଉରକେଲା ମଧ୍ୟରେ ଗଡିବ ‘ବନ୍ଦେ ଭାରତ ଏକ୍ସପ୍ରେସ’ ଟ୍ରେନ୍ । ଏହା ହେବ ରାଜ୍ୟର ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍। ପୁରୀରୁ ରାଉରକେଲା ଚାଲିବାକୁ ଥିବା ଏହି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିନ ୧୨ଟା ୪୫ ମିନିଟରେ ଭର୍ଚୁଆଲ ମୋଡରେ ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ସହିତ ଆଜି ସମଗ୍ର ଦେଶରେ ମୋଟ ୯ଟି ବନ୍ଦେ ଭାରତ ଟ୍ରେନ୍ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ପୁରୀ-ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଦ୍ୱାରା ପୁରୀ ଓ ରାଉରକେଲା ମଧ୍ୟରେ ଯାତ୍ରା ସମୟ ଯଥେଷ୍ଟ ହ୍ରାସ ପାଇବ। ବନ୍ଦେ ଭାରତ ଏକ୍ସପ୍ରେସ୍ ପୁରୀରୁ ରାଉରକେଲା ୫୦୫ କିଲୋମିଟର ହୋଇଥିବା ବେଳେ ଏହାକୁ ବନ୍ଦେ ଭାରତ ଏକ୍ସପ୍ରେସ ୭ ଘଣ୍ଟା ୪୫ ମିନିଟରେ ଅତିକ୍ରମ କରିବ। ଫଳରେ ତୀର୍ଥଯାତ୍ରୀ, ବ୍ୟବସାୟୀ, ଛାତ୍ରଛାତ୍ରୀ ଏବଂ ପର୍ଯ୍ୟଟକ ବିଶେଷ ଭାବେ ଉପକୃତ ହେବେ।ଶନିବାରକୁ ଛାଡ଼ିଦେଲେ ଏହି ଟ୍ରେନ୍ ସପ୍ତାହରେ ବାକି ୬ ଦିନ ଚାଲିବ। ଏହା ପ୍ରତ୍ୟହ ପୁରୀରୁ ସକାଳ ୫ଟାରେ ଛାଡ଼ି ରାଉରକେଲାରେ ୧୨ଟା ୪୫ରେ ପହଞ୍ଚିବ। ପରେ ରାଉରକେଲାରୁ ୨ଟା ୧୦ରୁ ଛାଡ଼ି ରାତି ୯ଟା ୪୦ରେ ପୁରୀରେ ପହଞ୍ଚିବ। ଏହି ସେମି ହାଇସ୍ପିଡ୍ ଅତ୍ୟାଧୁନିକ ଟ୍ରେନ୍ ଚାଲିବା ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ଟ୍ରାଏଲ୍ ରନ୍ ଶେଷ କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |