ବଙ୍ଗୋପସାଗରରେ ଲଘୁଚାପ,ଅକ୍ଟୋବରରୁ ବର୍ଷା

ଭୁବନେଶ୍ୱର,୨୫।୯:ଆସନ୍ତା ୨୯ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବ। ଏହା ପରବର୍ତ୍ତୀ ୨୪ ଘଣ୍ଟାରେ ଉତ୍ତର ଆଣ୍ଡାମାନ ସାଗର ତଥା ପାଶର୍‌ବବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପର ରୂପ ନେବ। ପରେ ଏହା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ ବୋଲି ଆଇଏମ୍‌ଡିର ବିଭିନ୍ନ ମଡେଲ ପୂର୍ବାନୁମାନ କରିଛି। ଏହା ପ୍ରଭାବରେ ରାଜ୍ୟରେ ଅକ୍ଟୋବର ପହିଲାରୁ ଭାରି ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ପରିମାଣ କମ୍‌ ରହିବ। ରବିବାର ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିକ୍ଷିପ୍ତ ତଥା ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବାବେଳେ ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିଛି। ତାଳଚେରରେ ସର୍ବାଧିକ ୩୦ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ଟିଟିଲାଗଡ଼ ୨୬.୩, ନବରଙ୍ଗପୁର ୧୮.୨ ଓ ପାରଳାଖେମୁଣ୍ଡି ୧୧.୪ ମିମି ଓ ଅନ୍ୟ ୧୩ ସହରରେ ୧୦ ମିମି ମଧ୍ୟରେ ବର୍ଷା ହୋଇଛି। ତେବେ ସୋମବାର ରାଜ୍ୟର ୧୧ ଜିଲାରେ ବଜ୍ରପାତ ସହ ବର୍ଷା ହେବା ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ବରଗଡ଼ ଜିଲାକୁ ୟେଲୋ ୱାର୍ର୍ନିିଂ ଜାରି ହୋଇଛି। ଏହି ସବୁ ଜିଲାର ସ୍ଥାନେ ସ୍ଥାନେ ବର୍ଷା ପରିମାଣ ୭ରୁ ୧୧ ସେଣ୍ଟିମିଟର ଯାଏ ରହିବ ବୋଲି କୁହାଯାଇଛି। ସେପଟେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅପସାରଣ ପ୍ରକ୍ରିୟା ଆରମ୍ଭ କରିବା ନେଇ ପାଗ ଅନୁକୂଳ ରହିଛି। ରାଜସ୍ଥାନର ପଶ୍ଚିମାଞ୍ଚଳରୁ ଏହି ଅପସାରଣ ପ୍ରକ୍ରିୟା ଆରମ୍ଭ ହେବ ଓ ଅକ୍ଟୋବର ସୁଦ୍ଧା ରାଜ୍ୟରୁ ମୌସୁମୀ ଅପସାରିତ ହୋଇଯିବ ବୋଲି ଆକଳନ କରାଯାଇଛି।
ରାଜ୍ୟରେ ଏବେ ସୁଦ୍ଧା ୧୦୮୪.୧ ମିମି ମୌସୁମୀ ବର୍ଷା ରେକର୍ଡ କରାଯାଇଛି। ଏହା ସ୍ବାଭାବିକ ବର୍ଷା ତୁଳନାରେ ୩ ପ୍ରତିଶତ କମ୍‌ ଅର୍ଥାତ୍‌ ଏହା ପ୍ରାୟ ସ୍ବାଭାବିକ ପରିସରଭୁକ୍ତ ବୋଲି କୁହାଯାଇଛି। ଏବେ ସୁଦ୍ଧା ଅନୁଭୂତ ବର୍ଷା, ସମ୍ପୂର୍ଣ୍ଣ ମୌସୁମୀ ଋତୁର ସ୍ବାଭାବିକ ବର୍ଷାର ପାଖାପାଖି ୯୪ ପ୍ରତିଶତ ଭରଣା କରି ସାରିଛି। ଢେଙ୍କାନାଳ, ବୌଦ୍ଧ ଓ ଝାରସୁଗୁଡ଼ାରେ ସ୍ବାଭାବିକଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଥିବାବେଳେ ନବରଙ୍ଗପୁର, କଳାହାଣ୍ଡି ଓ କେନ୍ଦ୍ରାପଡ଼ାରେ ଅଭାବୀ ବର୍ଷା ଓ ଅନ୍ୟ ୨୪ ଜିଲାରେ ସ୍ବାଭାବିକ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!