‘ମହାତ୍ମା ଗାନ୍ଧୀ ଆଉ ରଘୁନାଥଙ୍କ ସଂପର୍କ ଓଡ଼ିଆ ଜାତିକୁ ଯୁଗ ଯୁଗ ଧରି ପ୍ରେରଣା ଦେବ’

ଗାନ୍ଧୀଙ୍କ ସହ ପୂଜା ପାଇଲେ ରଘୁନାଥ

ରାଜକନିକା,୨ା୧୦ : ଗାନ୍ଧୀ ଏବଂ ରଘୁନାଥଙ୍କ ଜୀବନାଦର୍ଶ ଆମ ଅଗାମୀ ପିଢ଼ି ପାଇଁ ଏକ ଆହ୍ୱାନ । ଜଣେ ମହାତ୍ମା ଆଉ ଜଣେ ତାଙ୍କ ସେବକ । ବଗିଚାର ମାଳି । ଯେଉଁ ବଗିଚାରେ ପ୍ରତିଦିନ ପ୍ରାର୍ଥନା ସଭା କରୁଥିଲେ ଗାନ୍ଧୀ । ଜୀବନର ଶେଷ ସମୟରେ ହିଁ ଓଡ଼ିଆ ପୁଅ ରଘୁଙ୍କ କୋଳରେ ଜାତିର ପିତା ଶେଷ ନିଶ୍ୱାସ ନେଇଥିଲେ । ଏହା ସହିତ ଗାନ୍ଧୀ ହତ୍ୟାର ଓଡ଼ିଆ ସାକ୍ଷୀ ଥିଲେ । ତେଣୁ ମହାତ୍ମା ଗାନ୍ଧୀ ଏବଂ ରଘୁନାଥଙ୍କ ସଂପର୍କ ଓଡ଼ିଆ ଜାତିକୁ ଯୁଗ ଯୁଗ ଧରି ପ୍ରେରଣା ଯୋଗାଇ ବୋଲି ଜାଗୁଳାଇପଡ଼ା ଠାରେ ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ରାଜକନିକା ବ୍ଲକ୍‌ର ଜାଗୁଳାଇପଡ଼ାରେ ରହିଥିବା ଗାନ୍ଧୀ ଏବଂ ଗାନ୍ଧୀ ସେବକ ରଘୁଙ୍କ ମିଳିତ ପ୍ରତିମୂର୍ତ୍ତିରେ ନିଆରା ଢ଼ଙ୍ଗରେ ଗାନ୍ଧୀରଘୁ ସ୍ମୃତି କମିଟି, ଗ୍ରାମବାସୀ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଜାତିରପିତା ମହାତ୍ମାଙ୍କ ୧୫୪ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏହା ସହିତ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଳବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତ୍ରୀ ମଧ୍ୟ ପାଳନ କରାଯାଇଥିଲା । ଗାନ୍ଧୀ ଓ ରଘୁଙ୍କ ମିଳିତ ପ୍ରତିମୂର୍ତ୍ତିରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସହିତ ଅତିଥିମାନେ ପୁଷ୍ଫମାଲ୍ୟ ଅର୍ପଣ କରିଥିଲେ । ଗାନ୍ଧିଜୀଙ୍କ ପ୍ରିୟ ଭଜନ ରଘୁପତି ରାଘବ ରାଜା ରାମକୁ ଛାତ୍ର ଛାତ୍ରୀ ମାନେ ଗାନ କରିଥିଲେ । ଗାନ୍ଧୀ ରଘୁ ସ୍ମୃତି କମିଟିର ସଂପାଦକ ଶୁଭ୍ରାଂଶୁ ସୂତାରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ରାଜକନିକା ବ୍ଲକ୍ ଅତିରିକ୍ତ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ସାହୁ, ସାମାଜିକ କର୍ମୀ ଫିରୋଜ ବେହେରା, ଜାଏମାଳବ ନୋଡ଼ାଲ ବିଦ୍ୟାଳୟର ପ୍ରଧାନଶିକ୍ଷକ କ୍ଷୀରୋଦ କୁମାର ସାହୁ, ଶିକ୍ଷୟତ୍ରୀ ସ୍ନିଗ୍ଧାମୟୀ ନାୟକ ଏବଂ ମମତା ଦାସ ଯୋଗଦେଇ ଭାରତରେ ଗାନ୍ଧୀ ଏବଂ ତାଙ୍କ ସେବକ ରଘୁଙ୍କ ଏକାଠି ପ୍ରତିମୂର୍ତ୍ତି କେବଳ ଏଇଠି ରହିଛି । ଏହା ଏକ ବିରଳ ସଂଯୋଗ । ଆମେ ଏହି ଦୁଇ ମହାନ ପୁରୁଷଙ୍କ ଆଦର୍ଶକୁ ନେଇ ଜୀବନ ଅତିବାହିତ କରିବା ଦରକାର ବୋଲି କହିଥିଲେ । ପ୍ରକାଶଥାଉକି ଆତତାୟୀ ନାଥୁରାମର ବନ୍ଧୁକ ଗୁଳିରେ ଟଳିପଡ଼ିଥିଲେ ଗାନ୍ଧୀ । ଆଉ ସେହି ସମୟରେ ବିରଳାଭବନର ମାଳି ଓଡ଼ିଆ ପୁଅ ରଘୁ ନାୟକ ବୀରତ୍ୱର ସହିତ ନାଥୁରାମଙ୍କୁ କାବୁ କରି ପୁଲିସର ଜିମା ଦେଇଥିଲେ । ଗାନ୍ଧିଜୀଙ୍କୁ ତତ୍କାଳ କୋଳକୁ ଟେକିନେଇଥିଲେ, ରଘୁ । ଗାନ୍ଧୀ ସେବକ ରଘୁ ନାୟକଙ୍କ କୋଳରେ ମଥା ରଖି ‘ହେ-ରାମ’କହି ଏ ଜାତିର ଚିର ନମସ୍ୟ ମହାତ୍ମା ଗାନ୍ଧୀ ତ୍ୟାଗ କରିଥିଲେ ଶେଷ ନିଃଶ୍ୱାସ । ରଘୁଙ୍କ ବୀରତ୍ୱ ଓ ସାହାସିକତା ପାଇଁ ତତ୍କାଳୀନ ରାଷ୍ଟ୍ରପତି ଡ଼ଃ ରାଜେନ୍ଦ୍ର ପ୍ରସାଦଙ୍କ ଠାରୁ ମିଳିଥିଲା ୫୦୦ଟଙ୍କାର ପୁରସ୍କାର ସହିତ ଏକ ସନନ୍ଦପତ୍ର । ଏହା ଭିତରେ ବିତିଯାଇଥିଲା ଅନେକ ବର୍ଷ । ସେ ବିରଳା ଭବନର ମାଳି ଥିଲେ । ହେଲେ ରଘୁ ନାଥଙ୍କୁ ଜୀବିତ ଅବସ୍ଥାରେ ଓଡ଼ିଆ ଜାତି ଦେଇପାରିଲାନି ସମ୍ମାନ । ଆର୍ଥିକ ଅନଟନ ମଧ୍ୟରେ ୧୩ ଅଗଷ୍ଟ ୧୯୮୩ ମସିହାରେ ୭୨ ବର୍ଷ ବୟସରେ ରୋଗଶଯ୍ୟାରେ ପଡ଼ି ପଡ଼ି ତାଙ୍କର ମୃତ୍ୟୁହୋଇଥିଲା । ୨୦୦୫ ମସିହାରେ ଏକ ଖବର କାଗଜରେ ଅବହେଳିତ ରଘୁଙ୍କ ସଂପର୍କରେ ପ୍ରକାଶିତ ହେବା ପରେ ଜର୍ମାନୀର ଏକ ଅଟୋମୋବାଇଲ କମ୍ପାନୀ ଡ଼ାମଲରଖ୍ରୀସଲରର ମୁଖ୍ୟବର୍ଣ୍ଣ ଆଡ୍‌ଲର ରଘୁଙ୍କ ଜନ୍ମସ୍ଥାନ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ୍‌ର ଜାଗୁଳାଇପଡ଼ା ଗ୍ରାମରେ ପହଞ୍ଚିଥିଲେ । ବିଦେଶୀ ଗାନ୍ଧୀପ୍ରେମୀ ଜାଗୁଳାଇପଡ଼ା ଗ୍ରାମରେ ଗାନ୍ଧୀ-ରଘୁଙ୍କ ମିଳିତ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରିଥିଲେ ।

WhatsApp Image 2023 10 02 at 1.38.05 PM

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!