କଟକ ବଡ଼ ମେଡିକାଲରେ ହନ୍ତସନ୍ତ ହେଉଛନ୍ତି ରୋଗୀ

କଟକ,୨।୧୦: କଟକ ବଡ଼ ମେଡିକାଲରେ ଗୋଟିଏ ପରେ ଗୋଟିଏ ସମସ୍ୟା ଦେଖିବାକୁ ମିଳୁଛି। ବଡ଼ ମେଡିକାଲରେ ବିଦ୍ୟୁତ୍ ସମସ୍ୟା ପରେ ଏବେ ପାଣି ସମସ୍ୟା ପରିଲକ୍ଷିତ ‌ହୋଇଛି। କାଲି ରାତିରୁ ମେଡ଼ିକାଲର ସବୁ ୱାର୍ଡ଼ରେ ପାଣି ବନ୍ଦ ହୋଇ ଯାଇଛି । ଶୌଚାଳୟରେ ପାଣି ଆସୁ ନଥିବା ସହ ପିଇବା ପାଣି ପାଇଁ ରୋଗୀମାନେ ହନ୍ତସନ୍ତ ହେଉଛନ୍ତି । ଆଜି ସକାଳେ ପାଣି ଆସିଥିଲେ ମଧ୍ୟ ତାହା ସମୁଦ୍ରକୁ ଶଙ୍ଖେ ଭଳି । ଏଭଳି ପରିସ୍ଥିତି ଉପୁଜିଥିବାରୁ ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଶେଷରେ କିଛି ଉପାୟ ନଥିବାରୁ ରୋଗୀଙ୍କ ସମ୍ପର୍କୀୟ ଏସସିବି ବାହାରେ ଥିବା ଶୌଚଳାୟାର ନିତ୍ୟକର୍ମ ସାରି ଆସୁଥିବା ବେଳେ ବାହାରୁ ପାଣି କିଣି ଆଣି ପିଉଥିବା କୁହାଯାଉଛି। କିନ୍ତୁ ରୋଗୀମାନେ ବିଭିନ୍ନ ଜଳକଷ୍ଟର ସମ୍ମୁଖୀନ ହେଉଛନ୍ତି।ଏଣେ ୱାଟକୋ ପକ୍ଷରୁ କୁହାଯାଇଛି ଯେ ମେଡିକାଲ ପରିସରରେ ଥିବା ଏକ ପାଇପ୍ ଫାଟିଯାଇଥିବାରୁ ଜଳ ଯୋଗାଣରେ ସମସ୍ୟା ଉପୁଜିଥିଲା। ଉକ୍ତ ପାଇପ୍ ମରାମତି କରାଯିବା ପରେ ଜଳଯୋଗାଣ ସ୍ବାଭାବିକ ହୋଇଛି।ଶନିବାରଠାରୁ କଟକ ବଡ଼ ମେଡିକାଲରେ ବିଦ୍ୟୁତ୍ ବିଭ୍ରାଟ ଦେଖିବାକୁ ମିଳିଥିଲା। ଗତକାଲି ରାତି ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇପାରିନଥିଲା। ବିଭିନ୍ନ ୱାର୍ଡରେ ଲାଇନ୍ ନଥିବାରୁ ରୋଗୀ ହନ୍ତସନ୍ତ ହୋଇଥିଲେ।ଗତକାଲି ବିଭିନ୍ନ ୱାର୍ଡରେ ଲାଇନ୍‌ ନଥିବା ବେଳେ ମୋବାଇଲ୍‌ ଓ ଟର୍ଚ୍ଚ ଲାଇଟ୍‌ରେ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା। ଆଜି ସକାଳେ ଆଞ୍ଚଳିକ ନିଦାନ କେନ୍ଦ୍ରରେ ପୁଣି ବିଦ୍ୟୁତ୍ ବିଭ୍ରାଟ ହେବାରୁ ବ୍ୟବସ୍ଥାକୁ ଆହୁରି ସଙ୍ଗିନ କରିଦେଇଛି। ବିଭାଗରେ ସିଟି ସ୍କାନ୍‌, ଏକ୍ସ-ରେ ସହ ଅନ୍ତର୍ବିଭାଗ(ଇନ୍‌ଡୋର୍‌) ରୋଗୀଙ୍କ ରକ୍ତ ନମୁନା ପରୀକ୍ଷା ବନ୍ଦ ରହିଛି। ଏହା ପ୍ରକୃତରେ ବିଦ୍ୟୁତ୍‌ ବିଭ୍ରାଟ, ନା ମରାମତି ଆଳରେ ଜାଣିଶୁଣି ଲାଇନ୍‌ କଟାଯାଇଥିଲା, ‌ତାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି। ତାଛଡ଼ା, ବିଦ୍ୟୁତ୍‌ ଯୋଗାଣ ବିଚ୍ଛିନ୍ନ ହେବା ସମୟରେ ଡିଜି ସେଟ୍‌ ବି କାମ କରି ନ ଥିଲା। ଫଳରେ ରୋଗୀମାନେ ନାହିଁ ନ ଥିବା ଅସୁବିଧା ଭୋଗିଥିଲେ। ଅପରପକ୍ଷରେ, ଗତକାଲିଠାରୁ ଶବବ୍ୟବଚ୍ଛେଦ ଗୃହ ଓ ଶବ ସଂରକ୍ଷଣ ଗୃହରେ ବିଦ୍ୟୁତ୍‌ ସଂଯୋଗ ନଥିବାରୁ ଶବଗୁଡ଼ିକ ପଚି ଦୁର୍ଗନ୍ଧ ବାହାରୁଛି। ୧୦ରୁ ଅଧିକ ମୃତଦେହ ନଷ୍ଟ ହେବା ସ୍ଥିତିରେ ପହଞ୍ଚିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!