୪ ଭକ୍ତ ନିବାସର ଆତିଥେୟତା ଢାଞ୍ଚା ବଦଳିବ

ପୁରୀ,୦୫/୧୦:୪ ଭକ୍ତ ନିବାସର ଆତିଥେୟତା ଢାଞ୍ଚା ବଦଳିବ|ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଅଧୀନରେ ଥିବା ୪ ଭକ୍ତ ନିବାସର ଆତିଥେୟତା ଢାଞ୍ଚା ବଦଳିବ ।  ଘରୋଇ ହୋଟେଲ୍‌, ଗେଷ୍ଟହାଉସ୍‌ ଓ  ଲଜିଂ ସହିତ ପ୍ରତିଯୋଗିତା କରିବା ଲାଗି କେତେକ ପରିବର୍ତ୍ତନ ଆଣିବା ଲାଗି ନିଷ୍ପତ୍ତି ନେଇଛି ଶ୍ରୀଜଗନ୍ନାଥ ମନ୍ଦିର  ପ୍ରଶାସନ(ଏସ୍‌ଜେଟିଏ) । ଏହିକ୍ରମରେ  ପ୍ରତ୍ୟେକ ଭକ୍ତନିବାସର ପ୍ରକୋଷ୍ଠରେ ଲାଗିବ ସ୍ମାର୍ଟ ଟିଭି । ଏଥିପାଇଁ ଗତ କିଛି ଦିନ ତଳେ ଶ୍ରୀଜଗନ୍ନାଥ ମନ୍ଦିର  ପ୍ରଶାସନ(ଏସ୍‌ଜେଟିଏ)ର ଅର୍ଥ ସବ୍‌  କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।  ଏନେଇ ଆହ୍ୱାନ କରାଯାଇଥିବା ଟେଣ୍ଡର  ପ୍ରକ୍ରିୟା ଚୂଡ଼ାନ୍ତ ହୋଇଛି । ୪ ଭକ୍ତ  ନିବାସରେ ଥିବା ମୋଟ ୩୬୪ରୁ ୩୦୦  ରୁମ୍‌ରେ ଏସବୁ ଟିଭି ଲାଗିବ ବୋଲି  ଜଣାପଡ଼ିଛି । ଆସନ୍ତା ଦଶହରା ପୂର୍ବରୁ  ଏସବୁ ଟିଭି ଲଗାଯିବା କାର୍ଯ୍ୟ ଶେଷ  ହୋଇଯିବ ବୋଲି ସୂଚନା ଦେଇଛନ୍ତି  ଏସ୍‌ଜେଟିଏ ଓଏସ୍‌ଡି(ପ୍ରଶାସନ) ଅଜୟ  କୁମାର ଜେନା ।  ଭକ୍ତ ଓ ପର୍ଯ୍ୟଟକମାନଙ୍କୁ  ରୁମ୍‌ରେ ଟିଭିର ସୁବିଧା ପ୍ରଦାନ କରାଯିବା  ପରେ ରୁମର ଭଡ଼ା ବୃଦ୍ଧି କରାଯିବା  ନେଇ ପରିଚାଳନା କମିଟି ସଦସ୍ୟମାନେ  ମତ ଦେଇଛନ୍ତି । ଗତ ୫ ବର୍ଷ ହେବ ଏସ୍‌ଜେଟିଏ ଅଧୀନରେ ଥିବା ଭକ୍ତ ନିବାସଗୁଡ଼ିକର ଭଡ଼ା ବୃଦ୍ଧି ହୋଇନାହିଁ ।  ରୁମ୍‌ଗୁଡ଼ିକର ଭଡ଼ାରେ ୧୦ରୁ ୧୫  ପ୍ରତିଶତ ବୃଦ୍ଧି କରିବା ନେଇ ଆସନ୍ତା ପରିଚାଳନା କମିଟି ବୈଠକରେ ପ୍ରସ୍ତାବ ଆସିବ ବୋଲି ଶ୍ରୀ ଜେନା କହିଛନ୍ତି । ଭକ୍ତ ନିବାସଗୁଡ଼ିକର ପ୍ରକୋଷ୍ଠରେ  ଟିଭି ଲଗାଯିବା ନେଇ ଗତ ମାସରେ  ଡକା ଯାଇଥିବା ଟେଣ୍ଡର ପ୍ରକ୍ରିୟାରେ  ୭ ଜଣ ଅଂଶଗ୍ରହଣ କରିଥିଲେ ।  ସେମାନଙ୍କ ମଧ୍ୟରୁ ୩ ଜଣ ଟେଣ୍ଡର  ଆବେଦନକାରୀଙ୍କୁ ମନୋନିତ  କରାଯାଇଥିଲା । ୩୨ ଇଞ୍ଚ ସ୍ମାର୍ଟ ଟିଭି  ଲଗାଯିବା ଲାଗି ସବୁଠାରୁ କମ୍‌ ମୂଲ୍ୟ  ପ୍ରଦାନ କରିଥିବା ଆବେଦନକାରୀଙ୍କୁ ଏହା  ପ୍ରଦାନ କରାଯାଇଛି । ପ୍ରତ୍ୟେକ ଟିଭିର  ମୂଲ୍ୟ ପ୍ରାୟ ୧୩,୦୦୦ ଟଙ୍କା ପାଖାପାଖି  ହେବ ବୋଲି ଆକଳନ କରାଯାଉଛି ।   ଏଥିପାଇଁ ପ୍ରାୟ ୪୦ ଲକ୍ଷ ଟଙ୍କା ବ୍ୟୟ  ଅଟକଳ କରାଯାଇଛି । ଘରୋଇ ହୋଟେଲ୍‌  ଏବଂ ଗେଷ୍ଟହାଉସ୍‌ଗୁଡ଼ିକରେ ମିଳୁଥିବା ସୁବିଧା ସହିତ ତାଳଦେଇ ଭକ୍ତ  ନିବାସରେ ଟିଭି ଲଗାଯିବା ଲାଗି ନିଷ୍ପତ୍ତି  ହୋଇଥିଲା । ତେବେ ଏହି ବାବଦରେ ଏସ୍‌ଜେଟିଏ ୪୦ ଲକ୍ଷ ଟଙ୍କା ବ୍ୟୟ  କରିବା ପରେ ପ୍ରକୋଷ୍ଠଗୁଡ଼ିକର ଭଡ଼ା  ବୃଦ୍ଧି କରିବା ଯାଥାର୍ଥ ବୋଲି ଏସ୍‌ଜେଟିଏ  ପକ୍ଷରୁ କୁହାଯାଇଛି । କେତେକ ଭକ୍ତ  ନିବାସରେ ଲାଗିଥିବା ଟିଭିକୁ ନୀଳାଚଳ  ଭକ୍ତ ନିବାସକୁ ସ୍ଥାନାନ୍ତର କରାଯିବ ।  ପୁରୁଷୋତ୍ତମ, ଶ୍ରୀଗୁଣ୍ଡିଚା ଓ ନୀଳାଦ୍ରି  ଭକ୍ତନିବାସରେ ଏହି ନୂଆ ଟିଭିଗୁଡ଼ିକ  ଲଗାଯିବ । ସେହିପରି ଡିଟିଏଚ୍‌ ସଂଯୋଗ  ମଧ୍ୟ ପ୍ରଦାନ କରାଯିବ । ସର୍ବନିମ୍ନ  ମାସିକ ୨୩୫ ଟଙ୍କାର ଦେୟ ବାବଦରେ  ଟାଟାପ୍ଲେ ନେବ । ଭକ୍ତ ନିବାସଗୁଡ଼ିକରେ ବର୍ଷତମାମ ପ୍ରାୟତଃ ୫୦ରୁ ୬୦ ପ୍ରତିଶତ  ପ୍ରକୋଷ୍ଠ ବୁକିଂ ରହିଥାଏ । ତେଣୁ ସେହି ହାରରେ ଡିଟିଏଚ୍‌ କମ୍ପାନୀକୁ ମଧ୍ୟ ଦେୟ  ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି । ବର୍ଷ ତମାମ ଭକ୍ତ ନିବାସଗୁଡ଼ିକରେ କିଭଳି ବୁକିଂ ହେବ ସେଥିପାଇଁ  ଅନ୍‌ଲାଇନ୍‌ରେ ପର୍ଯ୍ୟଟକମାନଙ୍କୁ ବୁକିଂ  ସୁବିଧା ପ୍ରଦାନ କରିବା ଲାଗି ମେକ୍‌ ମାଇଁ ଟ୍ରିପ୍‌ ସହିତ ପ୍ରାରମ୍ଭିକ ପର୍ଯ୍ୟାୟରେ କଥାବାର୍ତ୍ତା ଆରମ୍ଭ ହୋଇଛି । ଖୁବ୍‌ଶୀଘ୍ର  ଏହି ବୁଝାମଣା ହେବ । ଫଳରେ ରୁମ୍‌  ବୁକିଂ ପରିମାଣ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ରଥଯାତ୍ରା ସମୟକୁ ବାଦ୍‌ ଦେଲେ ଅନ୍ୟ ସମୟରେ କେବଳ ୧୦  ପ୍ରତିଶତ ରୁମ୍‌ ବୁକିଂ ଘରୋଇ ଅନ୍‌ଲାଇନ୍‌  ବୁକିଂ ସଂସ୍ଥାକୁ ଦିଆଯିବ ବୋଲି ଶ୍ରୀ ଜେନା  କହିଛନ୍ତି । ଘରୋଇ ହୋଟେଲ୍‌ ଓ ଲଜ୍‌  ବା ଗେଷ୍ଟହାଉସ୍‌ ଭଳି ଭକ୍ତ ନିବାସର  କର୍ମଚାରୀଙ୍କୁ ଆତିଥେୟତା ନେଇ  ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏଥିପାଇଁ  କେତେକ ଅନୁଷ୍ଠାନ ସହିତ କଥାବାର୍ତ୍ତା  ଆରମ୍ଭ ହୋଇଛି । ଫଳରେ ଭକ୍ତ ନିବାସର  କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ପାଇବ ।  ସେହିପରି ପ୍ରିମିୟମ ବର୍ଗର ଭକ୍ତ ଓ  ଶ୍ରଦ୍ଧାଳୁଙ୍କ ପାଇଁ ସମୁଦ୍ରକୂଳରେ ଭକ୍ତ ନିବାସ  ନିର୍ମାଣ କରାଯିବା ଲାଗି ଏସ୍‌ଜେଟିଏ ଚିନ୍ତା  କରୁଛି ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!