ବିଦେଶରେ ଅଟକ ଅଛନ୍ତି ୩୫ ଶ୍ରମିକ, ଦେଶକୁ ଫେରିବାକୁ ଆକୁଳ ନିବେଦନ

ରାଜକନିକା,୧୨/୧୦ : ବିଦେଶରେ ଶ୍ରମିକ ଭାବେ କାମ କରି ଅଧିକ ରୋଜଗାର କରିବାର ଆଶା ଓଡ଼ିଆ ଶ୍ରମିକଙ୍କ ପାଇଁ କାଳ ସାଜିଛି । ପ୍ଲାଇଉଡ଼୍ କମ୍ପାନୀରେ ଶ୍ରମିକ ଭାବେ କାମ କରିବାକୁ ଆଟାପୁଲାଓ କୁ ଯାଇଥିବା କେନ୍ଦ୍ରାପଡ଼ା, ଯାଜପୁର ଏବଂ ଭଦ୍ରକ ଜିଲାର ୩୫ ଜଣ ଶ୍ରମିକ କମ୍ପାନୀ କର୍ମଚାରୀଙ୍କ ଦ୍ୱାରା ଗୃହବନ୍ଦୀ ହୋଇଛନ୍ତି । ଏନେଇ ଏକ ଭିଡ଼ିଓରେ ଦୁଃଖଦ୍‌ଭରା ଘଟଣା ସଂପର୍କରେ ଜଣାପଡ଼ିବା ପରେ ଆଳି ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ଏବଂ ବ୍ଲକ୍ କଂଗ୍ରେସ ସଭାପତି ମଙ୍ଗୁଳି ଚରଣ ବେହେରା କେନ୍ଦ୍ରାପଡ଼ା ଜିଲାପାଳଙ୍କୁ ଅବଗତ କରି ଉଦ୍ଧାର କରିବାକୁ ନିବେଦନ କରିଛନ୍ତି । ରାଜକନିକା ବ୍ଲକ୍ ଅନ୍ତର୍ଗତ ଜୟନଗର, କୋଇଲିପୁର, କାଟଣାବଣିଆଁ, ଦେଉଳତରା, ତ୍ରୈଲୋକ୍ୟପୁର, ଆଳି ବ୍ଲକ୍ ପୋଡ଼ାମରାଇ, ଯାଜପୁର ଜିଲାର ସିଂହପୁର ଏବଂ ଭଦ୍ରକ ଜିଲାର ମତୋର ଶ୍ରମିକ ମାନେ ଦୀର୍ଘ ୬ମାସ ତଳେ ଆଟାପୁ ଲାଓକୁ କାମ କରିବାକୁ ଯାଇଥିଲେ । ହେଲେ ସେଠାରେ କୁହାଯାଉଥିବା କାମ କରିବା ବଦଳରେ କମ୍ପାନୀ ଠିକାଦାର ଚୁକ୍ତିଅନୁସାରେ କାମ ନକରି ଅନ୍ୟକାମ କରାଇ ନିର୍ଯର୍ାତିତ କରୁଥିବାର ଭିଡ଼ିଓରେ ଶ୍ରମିକମାନେ କହିଛନ୍ତି । ଏହା ସହିତ ସେମାନଙ୍କ ପାସ୍‌ପୋର୍ଟ ଗୁଡ଼ିକ କମ୍ପାନୀର କର୍ମଚାରୀମାନେ ଜୋରଜବରଦସ୍ତ ଛଡ଼ାଇ ନେଇଯାଇଥିବା ବେଳେ ଖାଇବାକୁ ଖାଦ୍ୟପ୍ରଦାର୍ଥ ମଧ୍ୟ ମିଳିପାରୁ ନାହିଁ । ଦେଢ଼ମାସ ହେବ ଏହି ଓଡ଼ିଆ ଶ୍ରମିକମାନେ ଭୋକ ଓପାସରେ ଗୃହବନ୍ଦୀ ରହିଛନ୍ତି । ଅନେକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ରହିଥିବା ବେଳେ ସେମାନଙ୍କୁ ଚିକିତ୍ସା ସୁବିଧା କରାଯାଉନଥିବାର ଜଣାପଡ଼ିଛି । ଏହି ଶ୍ରମିକମାନେ କେମିତି ଘରକୁ ଫେରିବେ ସେହି ଚିନ୍ତାରେ ରହିଛନ୍ତି । ଓଡ଼ିଆ ଶ୍ରମିକମାନେ ଭାରତ ସରକାରଙ୍କୁ ନିବେଦନ କରିଛନ୍ତିଯେ, ତୁରନ୍ତ ସେମାନଙ୍କୁ ସେଠାରୁ ଉଦ୍ଧାର କରାଯାଉ । ଜୟନଗରର ସରୋଜ କୁମାର ପଲାଇ, ସରୋଜ କୁମାର ବିଶ୍ୱାଳ, ଅତୁଲ୍ୟ ପଲାଇ, ସୁର୍ଯ୍ୟମଣି ପଲାଇ, ସଞ୍ଜୟ ପରିଡ଼ା, ବିଶମ୍ବର ନାୟକ, ଶ୍ରୀକାନ୍ତ ବାରିକ, ଶରତ ବାରିକ୍‌, ତରୁଣ ବାରିକ, ସୁରଜିତ୍ ବାରିକ୍‌, ରମେଶ ପଲାଇ, ଜ୍ୟୋତି ରଞ୍ଜନ ପଲାଇ, କଳାକୃଷ୍ଣ ସ୍ୱାଇଁ, ଜଗନାଥ ପ୍ରଧାନ, ବିଶ୍ୱନାଥ ପ୍ରଧାନ, ଗୋଲେଖ ସ୍ୱାଇଁ, ଗଜିନ୍ଦ୍ର ମଲିକ, ରମାକାନ୍ତ ରାଉତ, ହରିହର ପଲାଇ, ଧନୁର୍ଜ୍ଜୟ ନାୟକ, ଅଖେଲ ମଳିକ, ପ୍ରଶାନ୍ତ ମଲିକ, ବିକାଶ ବଳ, ତ୍ରିଲୋଚନ ବାରିକ, ବସନ୍ତ କୁମାର ଜେନା, ଲକ୍ଷ୍ମୀଧର ନାୟକ, ସନାତନ ପାତ୍ର, ତ୍ରୈଲୋକ୍ୟପୁରର ନବକିଶୋର ଭୂୟାଁ, ଧନେଶ୍ୱର ବେହେରା, କୋଇଲିପୁରର ଅଞ୍ଜନ କୁମାର ନାୟକ, କାଟଣାର ମଳୟ କୁମାର ବେହେରା, ଦେଉଳତରାର ଭରତ ଚନ୍ଦ୍ର ବେହେରା, ଆଳି ବ୍ଲକ୍ ପୋଡ଼ାମରାଇ ଗ୍ରାମର ଅନନ୍ତ ମଲିକ, ଯାଜପୁର ଜିଲା ସିଂପୁରର ବାସୁଦେବ ପାତ୍ର ଏବଂ ଭଦ୍ରକ ଜିଲା ମତୋର ରମାକାନ୍ତ ମହାଳିକ ଓଡ଼ିଆ ଶ୍ରମିକମାନେ ବିଦେଶରେ ଫସିଯାଇଥିବାର ଜଣାପଡ଼ିଛି । ଏହି ଘଟଣା ଜଣାପଡ଼ିବା ପରେ ଶ୍ରମିକ ମାନଙ୍କ ପରିବାରରେ କାନ୍ଦବୋବାଳି ପଡ଼ିଛି । ତୁରନ୍ତ ଶ୍ରମିକ ମାନଙ୍କୁ ସେଠାରୁ ଉଦ୍ଧାର କରିବାକୁ ପରିବାର ଲୋକେ ରାଜ୍ୟ ତଥା ଭାରତ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!