ନୂଆଦିଲ୍ଲୀ,୧୩।୧୦: ହଲିଉଡ଼ ଅଭିନେତା ତଥା ନିର୍ମାତା ମାଇକେଲ ଡଗ୍ଲସ୍ଙ୍କୁ ଗୋଆରେ ଭାରତ ପକ୍ଷରୁ ସମ୍ମାନିତ କରାଯିବ। ମାଇକେଲଙ୍କୁ ଗୋଆରେ ଆୟୋଜିତ ହେବାକୁ ଥିବା ୫୪ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ(ଆଇଏଫଏଫଆଇ)ରେ ‘ସତ୍ୟଜିତ ରାୟ ଲାଇଫ୍ଟାଇମ୍ ଆଚିଭ୍ମେଣ୍ଟ ପୁରସ୍କାର’ରେ ସମ୍ମାନିତ କରାଯିବ। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଟ୍ବିଟ୍ କରି ଏନେଇ ଘୋଷଣା କରିଛନ୍ତି।ଅନୁରାଗ ଠାକୁର ଏକ୍ସ(ଟ୍ୱିଟର)ରେ ଏକ ପୋଷ୍ଟ ଶେୟାର କରିଛନ୍ତି। ଅନୁରାଗ ଏହି ପୋଷ୍ଟରେ ଲେଖିଛନ୍ତି, ‘‘ମୋତେ ଏହା ଘୋଷଣା କରିବାକୁ ବହୁତ ଖୁସି ଅନୁଭବ ହେଉଛି ଯେ, ପ୍ରଖ୍ୟାତ ହଲିଉଡ଼ ଅଭିନେତା ତଥା ନିର୍ମାତା ମାଇକେଲ ଡଗ୍ଲସ୍ଙ୍କୁ ୫୪ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଗୋଆରେ ସମ୍ମାନଜନକ ସତ୍ୟଜିତ ରାୟ ଏକ୍ସିଲେନ୍ସ ଇନ୍ ଫିଲ୍ମ ଲାଇଫଟାଇମ୍ ପୁରସ୍କାରରେ ସମ୍ମାନିତ କରାଯିବ।’’ସେ ଆହୁରି ଲେଖିଛନ୍ତି, ‘‘ଆମ ଦେଶ(ଭାରତ) ପ୍ରତି ତାଙ୍କର ଗଭୀର ଭଲପାଇବା ବିଷୟରେ ସମସ୍ତଙ୍କୁ ଜଣା। ଦକ୍ଷିଣ ଏସିଆର ପ୍ରମୁଖ ଚଳଚ୍ଚିତ୍ର ମହୋତ୍ସବକୁ ମାଇକେଲଙ୍କ ସହ ତାଙ୍କ ପତ୍ନୀ କ୍ୟାଥରିନ୍ ଜେଟା ଜୋନ୍ସ ଏବଂ ତାଙ୍କ ପୁଅଙ୍କୁ ସ୍ୱାଗତ କରିବାକୁ ଆମେ ଉତ୍ସାହିତ।’’ ଏଠାରେ ଉଲ୍ଲେଖଯୋଗ୍ୟ, ଏହା ହେଉଛି ଚଳଚ୍ଚିତ୍ର ମହୋତ୍ସବର ୫୪ତମ ସଂସ୍କରଣ। ନଭେମ୍ବର ୨୦ରୁ ନଭେମ୍ବର ୨୮ ମଧ୍ୟରେ ଗୋଆରେ ଏହା ଆୟୋଜିତ ହେବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |