ଲାଓସ୍‌ରେ ଓଡ଼ିଆ ଶ୍ରମିକମାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ପ୍ରଶାସନକୁ ନିର୍ଦ୍ଦେଶ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୪ା୧୦ : ଦକ୍ଷିଣ-ପୂର୍ବ ଏସିଆର ଲାଓସ୍‌ରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳ ୩୫ ଜଣ ଶ୍ରମିକ ଫସିରହିବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହସ୍ତକ୍ଷେପ କରିଛନ୍ତି। ଫସିରହିଥିବା ଶ୍ରମିକମାନଙ୍କୁ ସୁରକ୍ଷିତ ଭାବେ ଓଡ଼ିଶା ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଆଜି ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରମ କମିଶନର ଲାଓସ୍‌ରେ ଭାରତୀୟ ଦୂତାବାସ ସହ ଏହି ପ୍ରସଙ୍ଗରେ କଥା ହୋଇଛନ୍ତି। ଦୂତାବାସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ଯେ ସେମାନେ ଶ୍ରମିକଙ୍କ ସହ ଯୋଗାଯୋଗରେ ଅଛନ୍ତି ଏବଂ ସେମାନଙ୍କୁ ଖୁବଶୀଘ୍ର ନିରାପଦରେ ଭାରତକୁ ଆଣିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି।କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରୁ ୩୫ ଜଣ ଶ୍ରମିକ ରୋଜଗାର ଅନ୍ଵେଷଣରେ ଦକ୍ଷିଣ-ପୂର୍ବ ଏସିଆର ଲାଓସ୍ ଦେଶକୁ ଯାଇଥିଲେ। ସେଠାକାର ଆଟାପେୟୁ ପ୍ରୋଭିନ୍ସରେ ଥ‌ିବା ଏକ ପ୍ଲାଏଉଡ୍ କାରଖାନାରେ ସେମାନେ କାମ କରୁଥିଲେ । ତେବେ ଠିକାଦାର ଚୁକ୍ତି ଖିଲାପ କରି ସେମାନଙ୍କୁ ଅଧିକ ସମୟ ଖଟାଉଥ‌ିବା ବେଳେ ଖାଇବା ପିଇବାକୁ ଠିକ୍ ସମୟରେ ଦେଇନଥିଲେ । ଏପରିକି ଚୁକ୍ତି ମୁତାବକ ସେମାନଙ୍କୁ ପାରିଶ୍ରମିକ ମଧ୍ୟ ମିଳିନଥିଲା । ଶ୍ରମିକମାନେ ଏହାର ପ୍ରତିବାଦ କରିବାରୁ ଗତ ୨ ମାସ ହେବ ସେମାନଙ୍କୁ ଆଦୌ ପାରିଶ୍ରମିକ ମିଳିନାହିଁ । ଅପରପକ୍ଷରେ କାରଖାନାର ମାଲିକ ସେମାନଙ୍କଠାରୁ ପାସ୍‌ ପୋର୍ଟ ଛଡ଼ାଇ ନେବା ସହ ସେମାନଙ୍କୁ କାରଖାନାରେ ନଜରବନ୍ଦୀ କରି ରଖିଥିଲେ। ଏନେଇ ଫସିରହିଥିବା ଶ୍ରମିକମାନେ ଏକ ଭିଡିଓ ଜାରୀ କରି ସହାୟତା ପାଇଁ ନିବେଦନ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!