ଭୁବନେଶ୍ବର,୧୪ା୧୦: ଅଶ୍ୱିନ କୃଷ୍ଣ ପ୍ରତିପଦା ଠାରୁ ଆରମ୍ଭ ହୋଇଥିବା ପିତୃପକ୍ଷଙ୍କ ଆବାହନର ଅନ୍ତିମ ଦିବସ ହେଉଛି ପବିତ୍ର ମହାଳୟା। ଏହି ଦିନ ପିତୃପୁରୁଷଙ୍କୁ ପିଣ୍ଡଦାନଭଳି ପରମ୍ପରା ଉତ୍କଳୀୟ ସସ୍କୃତିରେ ଦେଖିବାକୁ ମିଳିଥାଏ। ମହାଳୟା ଅମାବାସ୍ୟାରେ ପିତୃକୁଳ ଓ ମାତୃକୁଳକୁ ଆଜି ପୁତ୍ରମାନେ ପିଣ୍ଡ ଦାନ କରିଛନ୍ତି। ଆଶ୍ୱିନ ମାସର ଅନ୍ଧାର ପକ୍ଷରେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦେବାର ପରମ୍ପରା ଅଛି। ଯଦି କିଏ ଦେଇପାରିନଥିବ, ତେବେ ଆଜି ହେଉଛି ଶ୍ରାଦ୍ଧ ଦେବାର ଶେଷ ଦିନ। ମହାଳୟାରେ ପିତୃ ପୁରୁଷ ଓ ମାମୁଁ ଘର ତିନି ପୁରୁଷଙ୍କୁ ପିଣ୍ଡଦାନ କରିବାର ପରମ୍ପରା ରହିଛି । ପିଣ୍ଡଦାନ କଲେ ପରଲୋକଗତ ଆତ୍ମାର ସଦଗତି ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହି ପରିପ୍ରେକ୍ଷୀରେ ସେପଟେ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ବାଇଶି ପାହାଚରେ ପିଣ୍ଡଦାନ କରିବା ପାଇଁ ବାରଣ ଥିବାରୁ ଫଳରେ ବାଇଶିପାହାଚରେ ପିଣ୍ଡଦାନ କରିନପାରି ଶ୍ରୀକ୍ଷେତ୍ରର ତୀର୍ଥ ପୁଷ୍କରିଣୀ, ମହୋଦଧି ସମେତ ଶ୍ରୀମନ୍ଦିରର ଉତ୍ତରଦ୍ୱାର ପଟେ ପିଣ୍ଡଦାନ ପାଇଁ ବେଶ ଭିଡ଼ ଦେଖିବାକୁ ମିଳିଛି। ଅନ୍ୟପଟେ ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କର ଆଜିଠାରୁ ଆରମ୍ଭ ହୋଇଛି ନବଦିନବ୍ୟାପି ଶାକ୍ତ ଗୁଣ୍ଡିଚା ବା ଗୁପ୍ତଗୁଣ୍ଡିଚା ଯାତ୍ରା। ଶାରଦୀୟ ଦୁର୍ଗାପୂଜା ଅବସରରେ ପ୍ରଭୁ ମାଧବ ଦେବୀ ଦୁର୍ଗାଙ୍କୁ ସଙ୍ଗରେ ନେଇ ଗୁପ୍ତରେ ଗୁଣ୍ଡିଚା ଯାତ୍ରା କରିଥାନ୍ତି।ସେପଟେ ମହାଳୟାରେ ଆଜି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ହୋଇଥାଏ । କେବଳ ବର୍ଷକରେ ଗୋଟିଏ ଥର ଆଜିର ଦିନରେ ସମଲେଶ୍ୱରୀ ଏହି ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଏହି ଦିନ ମାଆଙ୍କୁ ଶଙ୍ଖ, ଗୋପୀ ତିଳକରେ ମାଆଙ୍କୁ ଧଳା ପ୍ରଲେପ ଦିଆଯାଇଥାଏ । ଏଥି ସହିତ ଧଳା ରଙ୍ଗର ଫୁଲ ମାଆଙ୍କୁ ଅର୍ପଣ କରାଯାଏ। ସମଲେଶ୍ବରୀଙ୍କ ଏହି ବେଶକୁ ଗଙ୍ଗା ବେଶ ମଧ୍ୟ କୁହାଯାଇଥାଏ । ପବିତ୍ର ଗଙ୍ଗା ଦେଖିନଥିବା ବ୍ୟକ୍ତି ପିତୃପକ୍ଷରେ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ଦର୍ଶନ କଲେ ଗଙ୍ଗା ଦର୍ଶନର ପୁଣ୍ୟ ମିଳେ ବୋଲି ବିଶ୍ୱାସ ଅଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |