ବାରିପଦା,୧୪ା୧୦: ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏସିଆ ମହାଦେଶର ଦ୍ୱିତୀୟ ବୃହତ ଜୈବମଣ୍ଡଳ ଭାବେ ପ୍ରସିଦ୍ଧ ଲାଭ କରିଥିବା ମୟୂରଭଞ୍ଜର ଶିମିଳିପାଳ ଅଭୟାରଣ୍ୟ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ବାରିପଦାର ପିଠାବଟା ଗେଟ ଏଵଂ ଯଶିପୁରର କାଳିଆଣି ଠାରେ ପର୍ଯ୍ୟଟକଙ୍କୁ ସ୍ୱାଗତ ଜଣାଯାଇଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପ ନିର୍ଦ୍ଦେଶକ ସମ୍ରାଟ ଗୌଡା ଉପସ୍ଥିତ ରହି ପର୍ଯ୍ୟଟକଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଛି। ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ଅନୁମତି ରହିଛି। ଯଶିପୁରକାଳିଆଣି ଗେଟ୍ ଦେଇ ୩୫ଟି ଗାଡ଼ି ଏବଂ ବାରିପଦା ଲୁଲୁଙ୍ଗ ପଟୁ ୨୫ଟି ଗାଡ଼ିକୁ ପ୍ରବେଶ ଅନୁମତି ମିଳିଛି । ଯଶିପୁରର ଜାମୁଆଣି ଗେଟ ଦେଇ ପର୍ଯ୍ୟଟକଙ୍କୁ ଶିମିଳିପାଳ ପ୍ରବେଶ କରିବା କୁ ଯୋଜନା ରଖିଛି ବନ ବିଭାଗ । ଚଳିତ ବର୍ଷ ଶିମିଳିପାଳ ଅଭୟାରଣ୍ୟକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ ଘୋଷଣା କରାଯାଇଛି। ଏହାଛଡା ଏଠାରେ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପକ୍ଷରୁ ପର୍ଯ୍ୟଟକ ମାନଙ୍କ ପାଇଁ ରନ୍ଧା ଖାଦ୍ୟ ଯୋଗାଣର ବ୍ୟବସ୍ଥା କରାଯାଇଛି। ତେବେ ଏଠାରେ ପର୍ଯ୍ୟଟକମାନେ ଖାଦ୍ୟର ମୂଲ୍ୟ ଦେଇ ଖାଇ ପାରିବେ । ଏଥିପାଇଁ ଅଭୟାରଣ୍ୟ କର୍ତ୍ତୃପକ୍ଷ ସମସ୍ତ ପ୍ରକାର ବନ୍ଦୋବସ୍ତ କରିଛନ୍ତି। ପ୍ରତି ବର୍ଷ ବର୍ଷାଋତୁ ଯୋଗୁଁ ଜୁନ ମାସ ୧୫ ତାରିଖରେ ଶିମିଳିପାଳ ବନ୍ଦ ହୋଇଥାଏ ଏବଂ ନଭେମ୍ବର ପହିଲାରେ ଖୋଲିଥାଏ। ଚଳିତ ବର୍ଷ ଅକ୍ଟୋବର ୧୪ରୁ ପର୍ଯ୍ୟଟକଙ୍କ ପାଇଁ ଏହା ଖୋଲିଛି। ଫଳରେ ଏଥର ଦୁର୍ଗାପୂଜା ଛୁଟିରେ ପର୍ଯ୍ୟଟକ ଭ୍ରମଣରେ ଆସିପାରିବେ । ଏହି ସମୟରେ ଜଳପ୍ରପାତ, ନଦୀ ଓ ଝରଣାରେ ପାଣି ଅଧିକ ରହୁଥିବାରୁ ସୌନ୍ଦର୍ଯ୍ୟ ଅବର୍ଣ୍ଣନୀୟ । ଉକ୍ତ ଜୈବମଣ୍ଡଳରେ ପ୍ରାଣୀ, ପକ୍ଷୀ ଓ ସରୀସୃପଙ୍କ ପାଇଁ ଆବଶ୍ୟକୀୟ ବାତାବରଣ, ସନ୍ତୁଳିତ ପରିବେଶ, ଭୌଗଳିକ ସ୍ଥିତିର ଭିନ୍ନତାରେ ପର୍ଯ୍ୟାପ୍ତ ସବୁଜିମା ବୃକ୍ଷରାଜି ରହିଛି। ଯେଉଁଥିପାଇଁ ଏହା ଭାରତର ବାଘ, ଏସୀୟହାତୀ ଓ ଗୟଳ ପରି ତିନି ପ୍ରଜାତି ପ୍ରାଣୀର ବୃହତ୍ତ ବାସସ୍ଥଳୀ ହୋଇପାରିଛି।ଏଥିସହିତ ଏହି ଜୈବମଣ୍ଡଳରେ ହଜାରେ ପ୍ରଜାତିର ସପୁଷ୍ପକ ଉଦ୍ଭଦ ସହିତ ୧୦୪ ପ୍ରଜାତିର ଅର୍କିଡ୍ ଓ ବରେହିପାଣି, ଯୋରନ୍ଦା, ଉସକି, ଦେବକୁଣ୍ଡ, ସୀତାକୁଣ୍ଡ ଆଦି ଜଳପ୍ରପାତ ପ୍ରକୃତିପ୍ରେମୀଙ୍କୁ ଆକୃଷ୍ଟ କରିଥାଏ। ପର୍ଯ୍ୟଟକଙ୍କୁ ନୂଆ ଅନୁଭୂତି ଦେବା ପାଇଁ ଶିମିଳିପାଳ କର୍ତ୍ତୃପକ୍ଷ ଚଳିତ ବର୍ଷ ଯଶିପୁର ଠାରେ ନୂତନ କରି ଖଇରୀ ବାଘୁଣୀ ନେଇ ଏକ ସଂଗ୍ରହାଳୟ ପ୍ରତିଷ୍ଠା କରାଯାଇଛି। ଏଥି ସହିତ ଦୁଃସାହାସିକ କ୍ରୀଡା, ଜଙ୍ଗଲ ସଫାରୀ ଓ ମାଉଣ୍ଟେନ୍ ସାଇକେଲିଂ ଭଳି କିଛି ନୂଆ ଧରଣର କ୍ରୀଡାର ମଧ୍ୟ ବ୍ୟବସ୍ଥା ରହିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |