ବିଶ୍ୱକପ କ୍ରିକେଟ – ଆଜି ନ୍ୟୁଜିଲାଣ୍ଡକୁ ଭେଟିବ ଆଫଗାନିସ୍ତାନ

ନୂଆଦିଲ୍ଲୀ,୧୮।୧୦:ଇସିସି ଦିନିକିଆ ବିଶ୍ବକପ ୧୩ତମ ସଂସ୍କରଣର ବୁଧବାର ଚେନ୍ନଇର ଏମ୍‌.ଏ ଚିଦାମ୍ବରମ ଷ୍ଟାଡ଼ିୟମରେ ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ୧୬ତମ ଲିଗ୍‌ ମ୍ୟାଚ ଖେଳାଯିବ। ଦୁଇ ଦଳ ଶେଷ ମ୍ୟାଚ ଜିିତିଥିବାରୁ ବିଜୟ ଧାରା ବଜାୟ ରଖିବା ଲକ୍ଷ୍ୟରେ ରହିଛନ୍ତି। ନ୍ୟୁଜିଲାଣ୍ଡ ୩ଟି ମ୍ୟାଚରୁ ୩ଟି ବିଜୟ ସହ ୬ ପଏଣ୍ଟ ପାଇଛି। ଦଳ ଇଂଲଣ୍ଡକୁ ୯ ୱିକେଟରେ, ନେଦରଲାଣ୍ଡସ୍‌କୁ ୯୯ରନରେ ଓ ବାଂଲାଦେଶକୁ ୮ ୱିକେଟରେ ପରାସ୍ତ କରିଛି। ବ୍ୟାଟିଂରେ ଡିଭନ୍‌ କନୱେ ଗୋଟିଏ ଶତକ ସହ ୨୨୯ରନ, ରଚିନ ରବୀନ୍ଦ୍ର ଗୋଟିଏ ଶତକ ସହ ୧୮୩ରନ, ଡ୍ୟାରେଲ ମିଚେଲ ୧୩୭ରନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଦଳ ନିକଟରେ ଟମ୍‌ ଲଥାମ, ଗ୍ଲେନ ଫିଲିପ୍ସ ପ୍ରମୁଖ ରହିଛନ୍ତି। ବାଂଲାଦେଶ ବିପକ୍ଷ ମ୍ୟାଚରେ ଖେଳିଥିବା ଅଧିନାୟନ କେନ୍‌ ୱିଲିୟମସନଙ୍କ ଆଙ୍ଗୁଠିରେ ବଲ୍‌ ବାଜିଥିବାରୁ ସେ ଆହତ ହୋଇଛନ୍ତି। ସେ ଅତି କମ୍‌ରେ ୩ଟି ମ୍ୟାଚ ଖେଳିବେ ନାହିଁ। ତାଙ୍କ ସ୍ଥାନରେ ପ୍ରଥମ ଦୁଇ ମ୍ୟାଚରେ ନେତୃତ୍ବ ନେଇଥିବା ଟମ୍‌ ଲଥାମଙ୍କ ଅଧିନାୟକତ୍ବରେ ଦଳ ଖେଳିବ।ବୁଧବାର ‌ସ୍ପିନରଙ୍କୁ ସୁହାଉଥିବା ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଅଫଗାନିସ୍ତାନର ମୁକାବିଲା ହେବ ଗତଥରର ଉପବିଜେତା ନ୍ୟୁଜିଲାଣ୍ଡ ସହ। ଅପରାହ୍ଣ ୨ଟାରେ ଏହି ମ୍ୟାଚ୍‌ ଆରମ୍ଭ ହେବ। ଇଂଲଣ୍ଡକୁ ହରାଇବା ପରେ ଅନ୍ୟ ବଡ଼ ଦଳଗୁଡ଼ିକ ପ୍ରତି ଏକପ୍ରକାରର ଚେତାବନୀ ଦେଇଛି ଆଫଗାନିସ୍ତାନ। ତେଣୁ ନ୍ୟୁଜିଲାଣ୍ଡ ଏଥିପ୍ରତି ସତର୍କ ହୋଇ ଖେଳିବାକୁ ଯିବ।ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ତାହାର ପ୍ରାରମ୍ଭିକ ବ୍ୟାଟର୍‌ଙ୍କ ଉପରେ ଅଧିକ ନିର୍ଭର କରିବ। ରାଚିନ୍ ରବୀନ୍ଦ୍ର, ଡେଭନ କନୱେ, ୱିଲ ୟଙ୍ଗ, ଡାରେଲ ମିଚେଲଙ୍କଠୁ ବଡ଼ ସ୍କୋର ଆସିପାରିଲେ ପ୍ରତିପକ୍ଷ ଉପରେ ବୋଲରମାନେ ଚାପ ପ୍ରୟୋଗ କରିବାରେ ସଫଳ ହୋଇପାରିବେ। ସ୍ପିନ୍‌ ସହାୟକ ପିଚ୍‌ରେ ରସିଦ ଖାନ, ମୁଜୀବ ଉର ରେହମାନ ଓ ମହମ୍ମଦ ନବି ଏମାନଙ୍କୁ ଯଦିଓ ଅସୁବିଧାରେ ପକାଇବାକୁ ଚେଷ୍ଟା କରିପାରନ୍ତି, କିନ୍ତୁ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡର ଦଳୀୟ ବୈଠକରେ ଏହି ଦୁଇ ସ୍ପିନରଙ୍କ ଉପରେ ଅଧିକ ଗବେଷଣା କରାଯାଇଛି। ଇଂଲଣ୍ଡ ମେରୁଦଣ୍ଡ ଭାଙ୍ଗିବାରେ ଏମାନଙ୍କର ହିଁ ହାତ ରହିଥିଲା। ଆଫଗାନିସ୍ତାନ ପାଇଁ ପ୍ରାରମ୍ଭିକ ବ୍ୟାଟର ରହମନୁଲ୍ଲା ଗୁରବାଜ ଏବେ ଶ୍ରେଷ୍ଠ ଲୟରେ ଅଛନ୍ତି। ଦୁଇଟି ମ୍ୟାଚ୍‌ରେ ୨ ଅର୍ଦ୍ଧଶତକ ଜମାଇ ସାରିଲେଣି। ତେଣୁ ଟ୍ରେଣ୍ଟ ବୋଲ୍ଟ ଓ ମ୍ୟାଟ୍‌ ହେନରିଙ୍କ ଦ୍ରୁତ ବଲ୍‌କୁ ଆଫଗାନ୍‌ ବ୍ୟାଟର୍‌ ଭୟ କରିବେନି। ତଥାପି ରାଚିନ ଓ ମିଚେଲ ସାଣ୍ଟନରଙ୍କୁ ସାମ୍ନା କରିବା ବେଳେ ସତର୍କତା ଅବଲମ୍ବନ କରିବାକୁ ହେବ। ପୂର୍ବରୁ ଦିନିକିଆରେ ଏହି ଦୁଇ ଦଳ ଦୁଇଥର ମୁହାଁମୁହିଁ ହୋଇଥିଲା ବେଳେ ନ୍ୟୁଜିଲାଣ୍ଡ ଉଭୟ ମ୍ୟାଚ୍‌ରେ ବିଜୟୀ ହୋଇଛି। ତେଣୁ ବୁଧବାର ଆଫଗାନିସ୍ତାନ ଏହି ଧାରାକୁ ଅଟକାଉଛି ନା ନ୍ୟୁଜିଲାଣ୍ଡ ହ୍ୟାଟ୍ରିକ୍‌ ଅର୍ଜନ କରିବ ତାହାକୁ ଅପେକ୍ଷା କରିବାକୁ ହେବ।

ସମ୍ଭାବ୍ୟ ନ୍ୟୁଜିଲାଣ୍ଡ ଏକାଦଶ: ଡେଭନ କନୱେ, ରାଚିନ ରବୀନ୍ଦ୍ର, ମିଚେଲ ସାଣ୍ଟନର, ଡାରେଲ ମିଚେଲ, ଏମ୍‌ଏସ୍‌ ଚାପମ୍ୟାନ, ଟମ ଲଥାମ, ଗ୍ଲେନ ଫିଲିପ୍ସ, ଲୋକି ଫର୍ଗ୍ୟୁସନ, ମ୍ୟାଟ ହେନରି, ଟ୍ରେଣ୍ଟ ବୋଲ୍ଟ, ଈଶ ସୋଢ଼ୀ।
ସମ୍ଭାବ୍ୟ ଆଫଗାନିସ୍ତାନ ଏକାଦଶ: ରହମନୁଲ୍ଲା ଗୁରବାଜ, ଇବ୍ରାହିମ ଜଦ୍ରାନ, ରହମତ ଶାହ, ହସମାତୁଲ୍ଲା ସାହିଦି, ଅଜମାତୁଲ୍ଲା ଓମରଜାଇ, ମହମ୍ମଦ ନବି, ନଜିବୁଲ୍ଲା ଜଦ୍ରାନ, ମୁଜୀବ ଉର ରେହମାନ, ରସିଦ ଖାନ, ଫଜଲହକ ଫାରୁକୀ, ନବୀନ ଉଲ ହକ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!