ରାଜ୍ୟରେ ଗଠନ ହେବ ଆଉ ୩ଟି ନୂଆ ନିର୍ଦ୍ଦେଶାଳୟ : କ୍ୟାବିନେଟ୍

ଭୁବନେଶ୍ୱର,୧୯।୨୦: ରାଜ୍ୟ କ୍ୟାବିନେଟ ବୈଠକରେ ୧୬ ପ୍ରସ୍ତାବ ଉପରେ ବାଜିଲା ମୋହର । ୭ ବିଭାଗର ୧୬ଟି ପ୍ରମୁଖ ପ୍ରସ୍ତାବ ଉପରେ ମୋହର ବାଜିଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ବସିଥିଲା। ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିବା ବେଳେ ସେଥିମଧ୍ୟରୁ ୧୬ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଥିବା ସୂଚନା ପ୍ରକାଶ ପାଇଛି।ରାଜ୍ୟରେ ଆଉ ୩ଟି ସ୍ୱତନ୍ତ୍ର ନୂଆ ନିର୍ଦ୍ଦେଶାଳୟ ଗଠନ ହେବ । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ସ୍ୱତନ୍ତ୍ର ପ୍ରତ୍ନତତ୍ତ୍ୱ ନିର୍ଦ୍ଦେଶାଳୟ, ଗ୍ରନ୍ଥାଗାର ନିର୍ଦ୍ଦେଶାଳୟ ଓ ସ୍ୱତନ୍ତ୍ର ସଂଗ୍ରହାଳୟ ନିର୍ଦ୍ଦେଶାଳୟ ଗଠନ କରାଯିବ । ଏହି ୩ଟି ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ ଗଠନ ନିଷ୍ପତ୍ତି ସମେତ ମୋଟ ୧୬ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଆଜି ମଞ୍ଜୁରୀ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ସଚିବ ପ୍ରଦୀପ ଜେନା କହିଛନ୍ତି ଯେ, ବିଭିନ୍ନ ରାଜ୍ୟ ଯଥା- ପଶ୍ଚିମବଙ୍ଗ,ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଓ ମଧ୍ୟପ୍ରଦେଶରେ ସଂଗ୍ରହାଳୟଗୁଡ଼ିକର ପରିଚାଳନା ନିମନ୍ତେ ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ ରହିଛି । ତେଣୁ ଅନୁରୂପ ଢଙ୍ଗରେ ଓଡ଼ିଶାରେ ବିଭିନ୍ନ ସମୟରେ ଆବିଷ୍କୃତ ସମୃଦ୍ଧ ଐତିହାସିକ, ସାଂସ୍କୃତିକ, କଳା କୀର୍ତ୍ତିରାଜିଗୁଡ଼ିକର ସଂରକ୍ଷଣ ଓ ଗବେଷଣା,ପ୍ରଚାର ନିମିତ୍ତ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ ଗଠନର ଆବଶ୍ୟକତା ରହିଥିଲା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ କ୍ୟାବିନେଟ୍ ଆଜି ଏହି ସଂଗ୍ରହାଳୟ ନିର୍ଦ୍ଦେଶାଳୟ ନିମନ୍ତେ ଆବଶ୍ୟକ ଅମଲା ଓ ବୈଷୟିକ ପଦବୀ ସୃଷ୍ଟିକୁ ମଞ୍ଜୁରୀ ଦେଇଛନ୍ତି । ଏହା ବ୍ୟତୀତ ନୂଆ ଭାବେ ସଂଗ୍ରହାଳୟ ସେବା ବର୍ଗ ସୃଷ୍ଟି କରି ସେଥିରେ ଆବଶ୍ୟକୀୟ ସହକାରୀ ସଂଗ୍ରାହକ, ସଂଗ୍ରାହକ, ସହ ନିର୍ଦ୍ଦେଶକ, ଉପନିର୍ଦ୍ଦେଶକ, ଯୁଗ୍ମ ନିର୍ଦ୍ଦେଶକ ତଥା ଅଧିକ୍ଷକ, ରାଜ୍ୟ ସଂଗ୍ରହାଳୟ ନିର୍ଦ୍ଦେଶକ ପଦବୀ ସୃଷ୍ଟି କରିବାକୁ ମଞ୍ଜୁରୀ ଦିଆଗଲା ।ଓଡ଼ିଶାରେ ବହୁ ପୁରାତନ ମନ୍ଦିର ତଥା ବିଭିନ୍ନ ସମୟର ପ୍ରତ୍ନତତ୍ତ୍ୱ କୀର୍ତ୍ତିରାଜିର ରକ୍ଷଣାବେକ୍ଷଣ ଓ ପୁନରୁଦ୍ଧାର ନିମନ୍ତେ ଏକ ସ୍ୱତନ୍ତ୍ର ପ୍ରତ୍ନତତ୍ତ୍ୱ ନିର୍ଦ୍ଦେଶଳୟ ଗଠନର ଆବଶ୍ୟକତା ରହିଛି । ୨୦୨୦ ସେପ୍ଟେମ୍ବର ୨ତାରିଖରେ ଅନୁଷ୍ଠିତ ଐତିହ୍ୟ କ୍ୟାବିନେଟ୍ ବୈଠକରେ ଏହି ନିର୍ଦ୍ଦେଶାଳୟ ଗଠନ ପାଇଁ ନିଆଯାଇଥିବା ପ୍ରସ୍ତାବକୁ ଆଜି କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏହି ନିର୍ଦ୍ଦେଶାଳୟ ପାଇଁ ଆବଶ୍ୟକୀୟ ଅମଲା ଓ ବୈଷୟିକ ପଦବୀ ସୃଷ୍ଟିକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତିି ।ବିଭିନ୍ନ ରାଜ୍ୟରେ ସର୍ବସାଧାରଣ ଗ୍ରନ୍ଥାଗାରଗୁଡ଼ିକ(ପବ୍ଲିକ ଲାଇବ୍ରେରୀ)ର ପରିଚାଳନା ନିମନ୍ତେ ସ୍ୱତନ୍ତ୍ର ଗ୍ରନ୍ଥାଗାର ନିର୍ଦ୍ଦେଶାଳୟ ରହିଛି । ଅନୁରୂପ ଭାବେ ଓଡ଼ିଶାରେ ଏହି ନିର୍ଦ୍ଦେଶାଳୟ ଗଠନ ହେଲେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର, ବିଭିନ୍ନ ଜିଲ୍ଲାରେ ଥିବା ଜିଲ୍ଲା ଗ୍ରନ୍ଥାଗାର ଓ ବ୍ଲକସ୍ତରୀୟ ବିଭିନ୍ନ ଗ୍ରାମୀଣ ଗ୍ରନ୍ଥାଗାରଗୁଡ଼ିକର ସମନ୍ୱୟ ଓ ସୁପରିଚାଳନା ହୋଇପାରିବ । ଏହି ନିର୍ଦ୍ଦେଶାଳୟ ନିମନ୍ତେ ଆବଶ୍ୟକୀୟ ଅମଲା ପଦବୀ ସୃଷ୍ଟିକୁ ମଧ୍ୟ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!