ପୁଣେ,୧୯।୧୦: ବାଂଲାଦେଶ ବିପକ୍ଷରେ ମଧ୍ୟ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଚଳିତ ବିଶ୍ୱକପରେ ଲଗାତାର ଚତୁର୍ଥ ବିଜୟ ନିଜ ନାମରେ କରିଛି ରୋହିତ ସେନା । ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଏହି ମ୍ୟାଚରେ ଦମଦାର ଶତକ ସହ ଭାରତର ସବୁ କ୍ରୀଡ଼ାପ୍ରେମୀଙ୍କୁ ଦଶହରାର ଭେଟି ଦେଇଛନ୍ତି । ବାଂଲାଦେଶର ୨୫୭ ରନ୍ ଟାର୍ଗେଟକୁ ମାତ୍ର ୪୧ ଓଭରରେ ହାସଲ କରିବାରେ ସଫଳ ହୋଇଛି ମେନ୍ ଇନ୍ ବ୍ଲୁ ।ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମା ୪୦ ବଲରେ ୪୮ ରନ କରି ଆଉଟ ହେବା ପରେ ବିରାଟ ବ୍ୟାଟିଂ କରିବାକୁ ଆସିଥିଲେ। ସେ ହାସନଙ୍କ ପ୍ରଥମ ବଲ ସାମ୍ନା କରି ୨ ରନ ହାସଲ କରିଥିଲେ। କିନ୍ତୁ ଏହା ନୋ ବଲ ହୋଇଥିଲା। ଫଳରେ ଭାରତକୁ ୩ ରନ ମିଳିଥିଲା।ଫ୍ରି-ହିଟ୍ରେ ବିରାଟ ୪ ମାରି ଥିଲେ। ଏହା ମଧ୍ୟ ନୋ ବଲ ହୋଇଥିଲା। ଦଳକୁ ୫ ରନ ମିଳିଥିଲା। ପୁଣି ଫ୍ରି-ହିଟ୍ରେ ବିରାଟ ଛକା ମାରିଥିଲେ। ଏହାର ଅର୍ଥ ଗୋଟିଏ ବଲରୁ ଭାରତକୁ ମୋଟ ୧୪ ରନ ମିଳିଥିଲା। ବିରାଟ ବ୍ୟକ୍ତିଗତ ଭାବେ ୧୨ ରନ ହାସଲ କରିଥିଲେ। ଏହି ମ୍ୟାଚରେ ବାଂଲାଦେଶ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆରମ୍ଭରୁ ବାଂଲାଦେଶର ଦୁଇ ଓପନର ତାନଜିଦ ହାସନ ଓ ଲିଟନ ଦାସ ଲଢୁଆ ବ୍ୟାଟିଂ କରି ଦଳ ପାଇଁ ଏକ ଭଲ ମୂଳଦୂଆ ପକାଇଥିଲେ । ହାସନ ୫୧ ରନ ଓ ଲିଟନ ୬୬ ରନ କରିଥିଲେ । କିନ୍ତୁ ଦଳ ମଧ୍ୟକ୍ରମ ବିଫଳ ହୋଇଥିଲା । ଭାରତୀୟ ବୋଲରମାନେ ଭଲ ବୋଲିଂ କରି ପୁଣି ଥରେ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ତେବେ ନିମ୍ନ ମଧ୍ୟକ୍ରମ ମଧ୍ୟରୁ ମୁସ୍ତାଫିକୁର ରହିମ ଓ ମହମ୍ମଦୁଲ୍ଲା ଲଢୁଆ ବ୍ୟାଟିଂ ଫଳରେ ବାଂଲାଦେଶ ଏକ ଲଢୁଆ ସ୍କୋର ଛିଡ଼ା କରିବାରେ ସକ୍ଷମ ହୋଇଥିଲା । ରହିମ ୩୮ ରନ ଓ ମହମ୍ମଦୁଲ୍ଲୀ ୪୬ ରନ କରିଥିଲେ । ବାଂଲାଦେଶ ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ବିକେଟ ହରାଇ ୨୫୬ ରନ କରିଥିଲା । ଭାରତ ପକ୍ଷରୁ ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ଓ ରବୀନ୍ଦ୍ର ଜାଦେଜା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।ଆରମ୍ଭରୁ ଛକା ଓ ଚୌକା ମାରିଥିବା ବିରାଟ ବାଂଲାଦେଶ ବିପକ୍ଷରେ ନିଜର ଶତକ ମଧ୍ୟ ହାସଲ କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |