ଭୁବନେଶ୍ବର,୩୦।୧୦ : ଆନ୍ଧ୍ର ପ୍ରଦେଶର କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍ ମଧ୍ୟରେ ଭୟଙ୍କର ରେଳ ଦୁର୍ଘଟଣା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ପ୍ରଭାବିତ ପରିବାରଙ୍କ ପ୍ରତି ପ୍ରଧାନମନ୍ତ୍ରୀ ସମବେଦନା ଜଣାଇଛନ୍ତି ।ଆନ୍ଧ୍ର ପ୍ରଦେଶ ବିଜୟନଗରମ୍ରେ ହୋଇଥିବା ବଡ଼ ଧରଣର ରେଳ ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ପ୍ରମୁଖ ରାଜନେତା ଶୋକ ପ୍ରକାଶ କରିଛନ୍ତି । ଆନ୍ଧ୍ର-ଓଡ଼ିଶା ସୀମାବର୍ତ୍ତୀ କଣ୍ଟାକାପାଲୀ-ଆଲମଣ୍ଡା ଷ୍ଟେସନ ମଧ୍ୟରେ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍କୁ ବିଶାଖାପାଟଣା- ରାୟଗଡା ପାସେଞ୍ଜର ଟ୍ରେନ୍ ଧକ୍କା ଦେଇଛି । ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି ।ପ୍ରଧାନମନ୍ତ୍ରୀ ମୋଦି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏଥିସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଗତକାଲି ଟ୍ରେନ୍ ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ସହ କଥା ହୋଇ ସ୍ଥିତିର ସମୀକ୍ଷା କରିଥିଲେ ।ଦୁର୍ଘଟଣାରେ ମୃତାହତଙ୍କ ଲାଗି ପ୍ରଧାନମନ୍ତ୍ରୀ ସହାୟତା ଘୋଷଣା କରିଛନ୍ତି । ମୃତକଙ୍କ ପରିବାର ପିଛା ୨ ଲକ୍ଷ ଟଙ୍କା ଓ ପ୍ରତି ଆହତଙ୍କ ଚିକିତ୍ସା ଲାଗି ୫୦ ହଜାର ଟଙ୍କା ଦେବାକୁ ପିଏମ୍ଓ ପକ୍ଷରୁ ଘୋଷଣା କରାଯାଇଛି । ସେପଟେ ରେଳ ବିଭାଗ ପକ୍ଷରୁ ମୃତକଙ୍କ ପରିବାର ବର୍ଗକୁ ୧୦ ଲକ୍ଷ, ଗୁରୁତର ଆହତଙ୍କୁ ୨ ଲକ୍ଷ ୫୦ ହଜାର ଓ ସାମାନ୍ୟ ଆହତ ବ୍ୟକ୍ତିଙ୍କୁ ୫୦ ହଜାର ଲେଖାଏ ଦେବାକୁ ଘୋଷଣା ହୋଇଛି । ମର୍ମନ୍ତୁଦ ରେଳ ଦୁର୍ଘଟଣା ଓ ଯାତ୍ରୀଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏସ୍ଆରସି ଏବଂ ରାୟଗଡ଼ା ଓ କୋରାପୁଟ ଜିଲ୍ଲାପାଳଙ୍କୁ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ତୁରନ୍ତ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |