ପାରାଦୀପ ,୧।୧୧: ଅଲିଭ୍ ରିଡଲେଙ୍କ ସୁରକ୍ଷା ପାଇଁ ସମୁଦ୍ରରୁ ମାଛ ଧରିବା ନେଇ ଆଜିଠାରୁ ୭ ମାସ ଲାଗି କଟକଣା ଜାରି କରାଯାଇଛି। ମତ୍ସଜୀବୀମାନଙ୍କୁ ଉପକୂଳଠାରୁ ସମୁଦ୍ର ଭିତରକୁ ୨୦ କିଲୋମିଟର ପର୍ଯ୍ୟନ୍ତ ଆଗାମୀ ମେ’ ୩୧ ଯାଏଁ ମାଛ ନଧରିବା ପାଇଁ ମତ୍ସଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ମେ ୩୧ ପର୍ଯ୍ୟନ୍ତ ଋଷିକୂଲ୍ୟା, ଧାମରା ଓ ଦେବୀ ୩ ନଦୀ ମୁହାଣରୁ ମାଛ ମାରିବାକୁ ବାରଣ କରାଯାଇଛି।ବିରଳ ଅଲିଭ ରିଡଲେ କଇଁଛଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ସେମାନଙ୍କ ସୁରକ୍ଷିତ ଆଗମନ ଓ ଗଣ ଅଣ୍ଡାଦାନ ପାଇଁ ଓଡ଼ିଶା ଉପକୂଳରେ ସାମୁଦ୍ରିକ ମାଛଧରା ଉପରେ ବନବିଭାଗ ଓ ସାମୁଦ୍ରିକ ମତ୍ସ୍ୟ ବିଭାଗ ପକ୍ଷରୁ କଟକଣା ଜାରି କରାଯାଇଛି। ଏହା ବୁଧବାରଠାରୁ କାର୍ଯ୍ୟକାରୀ ହେବ। ଏହାଦ୍ବାରା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ୨୫ ହଜାର ମତ୍ସ୍ୟଜୀବୀଙ୍କ ସମେତ ପୁରୀ ଜିଲାର ୩ଲକ୍ଷ ପାରମ୍ପରିକ ଓ ଅଣପାରମ୍ପରିକ ମତ୍ସ୍ୟଜୀବୀ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜୀବିକା ହରାଇବା ଆଶଙ୍କା ସୃଷ୍ଟି ହୋଇଛି। କଇଁଛ ସୁରକ୍ଷା ପାଇଁ ନଭେମ୍ବର ପହିଲାଠାରୁ ଜୁନ୍ ପହିଲା ୬ମାସ ଧରି ସମୁଦ୍ର କୂଳରୁ ୨୦ କି.ମି. ସାମୁଦ୍ରିକ ଜଳସୀମାକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଏହି ଅଞ୍ଚଳରେ ଯନ୍ତ୍ର ଚାଳିତ ମାଛଧରା ଟ୍ରଲର ଓ ଡଙ୍ଗା ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ଏଣେ ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ନଦୀ ମୁହାଣରେ ଶିବିର ଖୋଲଯିବ। ଏହି ଶିବିରଗୁଡ଼ିକରେ ବନ ବିଭାଗର କର୍ମଚାରୀଙ୍କୁ ମୁତୟନ କରାଯିବ। ଏମାନେ ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ଦାୟିତ୍ୱ ନେବେ। ପ୍ରାୟ ୭ ମାସ ଯାଏଁ ମତ୍ସଜୀବୀମାନେ ସମୁଦ୍ରରୁ ମାଛ ନଧରିବା ପରେ ସେମାନଙ୍କ ଆର୍ଥିକ ଅବସ୍ଥା ଦୁର୍ବଳ ହୋଇଯିବ। ତେଣୁ ପ୍ରଶାସନ ତରଫରୁ ସଂପୃକ୍ତ ମତ୍ସଜୀବୀ ପରିବାରକୁ ଆର୍ଥିକ ସହଯୋଗ ଦିଆଯିବ ବୋଲି ଜଣାଯାଇଛି। ସୂଚନାଯୋଗ୍ୟ, ପ୍ରତିବର୍ଷ ଏଭଳି କଟକଣା ଲଗାଯାଇଥାଏ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |