ଭୁବନେଶ୍ୱର,,୪।୧୧: ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆଜିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଛି । ଆବେଦନ ପ୍ରକ୍ରିୟା ନଭେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଶିକ୍ଷା ବିଭାଗ ସହ ଜଡିତ ବ୍ୟକ୍ତିବିଶେଷ ଓ ସଂଗଠନକୁ ଏହି ପୁରସ୍କାର ଦିଆଯିବ । ଏହା ଅଧୀନରେ ୧୪ଟି ବିଭାଗରେ ଅଣଷଠି ହଜାର ୧୦୯ଟି ପୁରସ୍କାର ଦିଆଯିବ । ଏଥିପାଇଁ ସଂପୃକ୍ତ ବ୍ୟକ୍ତିବିଶେଷ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରର ୱେବ୍ସାଇଟ୍ www.msp.odisha.gov.in ରେ ଅନ୍ଲାଇନ୍ ଜରିଆରେ ଆବେଦନ କରିପାରିବେ ।ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଅଧୀନରେ ମାଧ୍ୟମିକ ବିଦ୍ୟାଳୟ ଏବଂ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷକ ପୁରସ୍କାର, ପ୍ରାଥମିକ ବିଦ୍ୟାଳୟ ଏବଂ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷକ ପୁରସ୍କାର, ପୁରାତନ ଛାତ୍ରଛାତ୍ରୀ କମିଟି ପୁରସ୍କାର, ଗ୍ରାମପଞ୍ଚାୟତ ପୁରସ୍କାର, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ (ସିଆର୍ସିସି) ପୁରସ୍କାର, ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ପୁରସ୍କାର, ବ୍ଲକ୍ ଶିକ୍ଷା ଅଧିକାରୀ (ବିଇଓ) ପୁରସ୍କାର, ଜିଲ୍ଲା ପୁରସ୍କାର, ବ୍ଲକ୍ ପୁରସ୍କାର, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡିଆଇଇଟି) ପୁରସ୍କାର ପାଇଁ ଆବେଦନ ପକ୍ରିୟା ଆରମ୍ଭ ହୋଇଛି ।ମାଧ୍ୟମିକ ବିଦ୍ୟାଳୟସ୍ତରରେ ବିଦ୍ୟାଳୟ ଓ ପ୍ରଧାନଶିକ୍ଷକ ପୁରସ୍କାର ଏବଂ ପ୍ରାଥମିକ ବିଦ୍ୟାଳୟସ୍ତରରେ ବିଦ୍ୟାଳୟ ଓ ପ୍ରଧାନଶିକ୍ଷକ ପୁରସ୍କାର ପାଇଁ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଆବେଦନ କରିବେ । ସେହିପରି ଶିକ୍ଷକ ପୁରସ୍କାର ପାଇଁ ଶିକ୍ଷକମାନେ ଆବେଦନ କରିବେ । ଅନ୍ୟପକ୍ଷରେ ପୁରାତନ ଛାତ୍ରଛାତ୍ରୀ କମିଟି ପୁରସ୍କାର ପାଇଁ ପ୍ରଧାନଶିକ୍ଷକ ଆବେଦନ କରିବେ । ଗ୍ରାମପଞ୍ଚାୟତ ପୁରସ୍କାର ପାଇଁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ଆବେଦନ କରିପାରିବେ ।ସେହପିରି ଡିଇଓ, ବିଇଓ, ସିଆର୍ସିସି ପୁରସ୍କାର ପାଇଁ ସମ୍ପୃକ୍ତ ଅଧିକାରୀ ଆବେଦନ କରିବେ । ଜିଲ୍ଲା ପୁରସ୍କାର ପାଇଁ ଜିଲ୍ଲାପାଳ ଓ ବ୍ଲକ୍ ପୁରସ୍କାର ପାଇଁ ବିଡିଓ ଆବେଦନ କରିିବେ । ଡିଆଇଇଟି ପୁରସ୍କାର ପାଇଁ ସମ୍ପୃକ୍ତ ଡିଆଇଇଟିର ଅଧ୍ୟକ୍ଷ ୱେବସାଇଟ୍ରେ ଆବେଦନ କରିବେ । ଅଧିକ ବିବରଣୀ ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରର ୱେବସାଇଟ୍ରେ ସମସ୍ତ ସୂଚନା ଉପଲବ୍ଧ ରହିଛି । ପ୍ରଥମ ପର୍ଯ୍ୟାୟରେ ଚଳିତ ବର୍ଷ ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମେଧାବୀ, ମେଧାବୃତ୍ତି ଓ ନେତୃତ୍ୱ ପୁରସ୍କାର ଦେବା ପାଇଁ ପ୍ରକ୍ରିୟା ଜାରି ରହିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |