ପୁରୀ, ୪ା୧୧:ଆଜି ବଡିଭୋରରୁ ପୁରୀ ଯାଇ ସାଢେ ୪ଟାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଓ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଏହା ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ତ୍ଵରାନ୍ଵିତ କରି ଆସନ୍ତା ଡିସେମ୍ବର ୧୫ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ନିର୍ଦ୍ଦେଶ ଦେଇଛନ୍ତି । ପୁନରୁଦ୍ଧାର ସମୟରେ ମଠଗୁଡ଼ିକର ଇତିହାସ ଓ ପରମ୍ପରାକୁ ଗୁରୁତ୍ଵ ଦେଇ ସମସ୍ତ ଭାଗୀଦାରମାନଙ୍କ ସହଯୋଗରେ କାମ କରିବାକୁ ଶ୍ରୀ ପାଣ୍ଡିଆନ୍ ପରାମର୍ଶ ଦେଇଛନ୍ତି । ଏହା ସହ ଜଗନ୍ନାଥ ବଲ୍ଳଭ ପାର୍କିଂ କାମ ସହ ଯାତ୍ରୀମାନଙ୍କ ପାଇଁ ସେଠାରେ କରାଯାଉଥିବା ବିଭିନ୍ନ ସୁବିଧାର ବିକାଶ, ପ୍ରମୋଦ ଉଦ୍ୟାନ ଓ ସେତୁକାମର ଅଗ୍ରଗତିର ମଧ୍ୟ ସମୀକ୍ଷା କରିଥିଲେ ପାଣ୍ଡିଆନ । ଏହି ପରିଦର୍ଶନ ସମୟରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଲ ସିଂହ, ଓବିସିସି ଏମଡି ଏବଂ ବିଭିନ୍ନ କାର୍ୟ୍ୟନିର୍ବାହୀ ଏଜେନ୍ସୀର ଅଧିକାରୀ ମାନେ ଉପସ୍ଥିତ ଥିଲେ । ଗଜପତି ମହାରାଜା ସୂଚନା ଦେଇ କହିଥିଲେ ଯେ, ମହାପ୍ରଭୁଙ୍କ କୃପାରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହେବାକୁ ଯାଉଛି। ଜାନୁୟାରୀ ୧୭ରେ ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଓ ଲୋକାର୍ପଣ କରାଯିବ। ଏଥିଲାଗି ୧୨ତାରିଖରୁ ହୋମଯଜ୍ଞ, ପୂଜାର୍ଚ୍ଚନା ଆରମ୍ଭ ହୋଇ ୫ଦିନ ଚାଲିବ। ଏ ସଂକ୍ରାନ୍ତରେ ପ୍ରସ୍ତାବ ଦିଆଯାଇଛି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ ଆଲୋଚନା କରାଯାଇ ପୂର୍ଣ୍ଣାଙ୍ଗ ନିଷ୍ପତ୍ତି ନିଆଯିବ। ପରିକ୍ରମା ପ୍ରକଳ୍ପ ଶୀଘ୍ର ଶେଷ ହେଲେ ଭକ୍ତ ଉପକୃତ ହେବେ ଓ ପୁରୀରୁ ସୁଖଦ ଅନୁଭୁତି ନେଇ ଫେରିବେ। ପୁରୀକୁ ଆସୁଥିବା ଭକ୍ତ ସିଧାସଳଖ ଶ୍ରୀସେତୁ ଦେଇ ଆସି ଶ୍ରୀଜଗନ୍ନାଥବଲ୍ଲଭ ପରିସରରେ ନିର୍ମାଣ ହେଉଥିବା ତୀର୍ଥଯାତ୍ରୀ କେନ୍ଦ୍ରରେ ପହଞ୍ଚତ୍ବେ। ସେଠାରେ କାର୍, ଦୁଇଚକିଆ ଯାନ ପାର୍କିଂ ପାଇଁ ବ୍ୟବସ୍ଥା ହେଉଛି। ଏପରିକି ଭକ୍ତମାନେ ଗାଡ଼ି ରଖି କିଛି ସମୟ ବସିବା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି। ସେହିପରି ମହାପ୍ରଭୁଙ୍କ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ଲାଗି ଅଡିଟୋରିୟମ୍ ନିର୍ମାଣ ଚାଲିଛି। ଉକ୍ତ ଅଡିଟୋରିୟମ କେବଳ ପୁରୀବାସୀଙ୍କ ପାଇଁ ନୁହେଁ, ରାଜ୍ୟବାସୀ ତଥା ବିଶ୍ୱବାସୀଙ୍କ ଧାର୍ମିକ, ସାଂସ୍କୃତିକ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ ରହିବ। ଭକ୍ତଙ୍କ ସୁବିଧା ପାଇଁ ଫୁଡ୍ କୋର୍ଟ ଏବଂ ମାର୍କେଟ କମ୍ପ୍ଲେକ୍ସ ମଧ୍ୟ ରହିବ। ଭକ୍ତମାନେ ଶ୍ରୀମନ୍ଦିରଠାରୁ ଅତି କମ୍ ଦୂରରେ ସେମାନଙ୍କ ଗାଡ଼ି ରଖି ଶ୍ରୀମନ୍ଦିରକୁ ଯାଇପାରିବେ। ସେହିପରି ଶ୍ରୀମନ୍ଦିରକୁ ଯିବା ପାଇଁ ମିନିବସ୍ ସମେତ ବିଭିନ୍ନ ଗାଡ଼ି ବ୍ୟବସ୍ଥା କରାଯିବ। ଭକ୍ତଙ୍କ ନିମନ୍ତେ ଏପରି ଉତ୍ତମ ବ୍ୟବସ୍ଥା କରାଯାଉଛି। ଏସବୁ କାର୍ଯ୍ୟ ଡିସେମ୍ବରରେ ସମ୍ପୂର୍ଣ୍ଣ କରାଯିବ। ସେହିପରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି, ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ପୁରୀକୁ ଆସୁଥିବା ଭକ୍ତ ଏକ ନୂତନ ଅନୁଭୂତି ନେଇ ଫେରିବେ। ଆଧ୍ୟାତ୍ମିକ ଭାବନା ଜାଗ୍ରତ ହେବ। ରାଜ୍ୟ ସରକାରଙ୍କ ପରାମର୍ଶ କ୍ରମେ ଜାନୁୟାରୀ ୧୭ରେ ଲୋକାର୍ପଣ କରାଯିବ। ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲା ପ୍ରଶାସନର ସହଯୋଗରେ ଏହି ଭବ୍ୟ ଉତ୍ସବ ଆୟୋଜନ କରାଯିବ। ଏହି ପ୍ରକଳ୍ପ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଭକ୍ତଙ୍କୁ ଆକର୍ଷିତ କରିବ। ତେବେ ଶ୍ରୀମନ୍ଦିର ପରିକ୍ରମା କାର୍ଯ୍ୟ ପୂର୍ବରୁ ଶ୍ରୀସେତୁ କାର୍ଯ୍ୟ ସରିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |