ପୁରୀ,୧୭ା୧୧: ହାଇକୋର୍ଟଙ୍କ ଆଦେଶ ପରେ ଏଏସ୍ଆଇ(ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ) ଶ୍ରୀମନ୍ଦିର ନାଟମଣ୍ଡପ ମରାମତିରେ ତତ୍ପରତା ଦେଖାଇଛି। ନାଟମଣ୍ଡପର ଆବଶ୍ୟକ ମରାମତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ଆଜି ଏଏସ୍ଆଇକୁ ଏନ୍ଓସି ପ୍ରଦାନ କରିଛି। ସକାଳ ୬ଟାରୁ ରାତି ୧୦ଟା ଭିତରେ ମରାମତି କାମ କରିବାକୁ ଅନୁମତି ପ୍ରଦାନ କରାଯାଇଛି। ଆସନ୍ତାକାଲିଠାରୁ ଭାରା ବନ୍ଧା ସହ ଅନ୍ୟାନ୍ୟ ପ୍ରାଥମିକ କାମ ଆରମ୍ଭ ହେବ। କାର୍ତ୍ତିକ ନୀତିକାନ୍ତି ଚାଲିଥିବାରୁ ଭିଡ଼ ଦେଖି ଏବେ କାମ ହେବ। କାର୍ତ୍ତିକ ମାସ ଓ ପଞ୍ଚୁକ ଶେଷ ପରେ ପୂର୍ଣ୍ଣମାତ୍ରାରେ କାମ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ କହିଛନ୍ତି।ନାଟ ମଣ୍ଡପର ଗରୁଡ଼ ସ୍ତମ୍ଭ ଉପରେ ଥିବା ବିମ୍ରେ ଫାଟ ସୃଷ୍ଟି ହୋଇଛି। ପ୍ରଥମେ ତା’ର ମରାମତି କାର୍ଯ୍ୟ କରାଯିବ। ଏହାପରେ ଛାତ ତଳ ପଟୁ ଚୂନ ପଲସ୍ତରା ଛଡ଼ାଯାଇ ଅନ୍ୟ ଫାଟ ନେଇ ଅନୁଧ୍ୟାନ କରାଯିବ। ଶୁକ୍ରବାର ସକାଳୁ ନାଟ ମଣ୍ଡପରେ ଏଏସ୍ଆଇ ପକ୍ଷରୁ ଭାରା ବନ୍ଧାଯିବା ସହ ଏକ ଅସ୍ଥାୟୀ ପ୍ଲାଟଫର୍ମ ନିର୍ମାଣ କରାଯିବ। ସକାଳୁ ରାତି ମଧ୍ୟରେ ଯେତେବେଳେ ମହାପ୍ରଭୁଙ୍କ ବିଶେଷ ନୀତିକାନ୍ତି ନଥିବ ମନ୍ଦିର କମାଣ୍ଡର ଏବଂ ସୁପରଭାଇଜରଙ୍କ ପରାମର୍ଶକ୍ରମେ ମରାମତି କାର୍ଯ୍ୟ କରାଯିବ। ଆଗାମୀ ୨୪ ତାରିଖ ଦିନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯିବ ବୋଲି ଶ୍ରୀ ଦାସ କହିଛନ୍ତି । ଗୁରୁବାର ଅନୁଷ୍ଠିତ ବୈଠକରେ ଏଥିପାଇଁ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି। ନାଟ ମଣ୍ଡପ ମରାମତି ସମୟରେ ଭକ୍ତଙ୍କ ପାଇଁ ବିକଳ୍ପ ଯାତାୟାତ ବ୍ୟବସ୍ଥା ସମେତ ଆବଶ୍ୟକ ସୁରକ୍ଷା ଗ୍ରହଣ କରାଯିବ।ସେହିପରି ଶ୍ରୀଜୀଉଙ୍କ ଗଜଦନ୍ତ ରତ୍ନପଲଙ୍କ ଦୁର୍ବଳ ହୋଇପଡ଼ିଥିବାରୁ ଶୁକ୍ରବାରଠାରୁ ନୂଆ ରତ୍ନପଲଙ୍କ ନିର୍ମାଣ ଆରମ୍ଭ କରାଯିବ। ବର୍ମା ଶାଗୁଆନ କାଠରେ ପଲଙ୍କ ନିର୍ମାଣ କରାଯିବା ସହ ସେଥିରେ ହାତୀଦାନ୍ତ ଏବଂ ରୁପା ଛାଉଣି କରାଯିବ। ଜଣେ ଭକ୍ତ ଏଥିପାଇଁ ରୁପା ଯୋଗାଇ ଦେଇଛନ୍ତି। ମନ୍ଦିର ପ୍ରଶାସନ ପାଖରେ କିଛି ବର୍ମା ଶାଗୁଆନ କାଠ ମହଜୁଦ ରହିଛି। ଆବଶ୍ୟକ ହେଲେ ଆଉ କିଛି କାଠ କିଣାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ପୂର୍ବାପେକ୍ଷା ହାଲୁକା ରତ୍ନପଲଙ୍କ ନିର୍ମାଣ ପାଇଁ ସ୍ଥିର କରାଯାଇଛି। ଆଗାମୀ ଓଡ଼ିଆ ନୂଆବର୍ଷ ପଣା ସଂକ୍ରାନ୍ତିଠାରୁ ମହାପ୍ରଭୁ ନୂଆ ପଲଙ୍କରେ ଶୟନ କରିବେ। ଏହାଛଡ଼ା ନୂତନ ପ୍ରଭା ନିର୍ମାଣ ପାଇଁ ସ୍ଥିର କରାଯାଇଛି। ଅପରପକ୍ଷେ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଉତ୍ତରଦ୍ୱାର ଦେଇ ଦର୍ଶନ ବ୍ୟବସ୍ଥା କରାଯିବ। ଏଥିପାଇଁ ଆଗୁଆ ପଞ୍ଜୀକରଣ ବ୍ୟବସ୍ଥା ନିମନ୍ତେ ବୈଠକରେ ଆଲୋଚନା କରାଯାଇଛି।ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ଅଧୀକ୍ଷଣ ପ୍ରତ୍ନତତ୍ତ୍ୱବିତ୍ ଡି.ବି ଗଡ଼ନାୟକ, ଉପ ଅଧୀକ୍ଷକ (ପ୍ରତ୍ନତତ୍ତ୍ୱ) ଚିତ୍ତରଞ୍ଜନ ମିଶ୍ର, ଶ୍ରୀମନ୍ଦିର ପ୍ରଶାସକ (ନୀତି) ଜିତେନ୍ଦ୍ର କୁମାର ସାହୁ, ସ୍ୱତନ୍ତ୍ର ପଦାଧିକାରୀ (ଉନ୍ନୟନ) ଅଜୟ କୁମାର ଜେନା, ପରିଚାଳନା କମିଟି ସଭ୍ୟ ଡ. ଦୁର୍ଗାପ୍ରସାଦ ଦାସ ମହାପାତ୍ର, ମାଧବ ଚନ୍ଦ୍ର ମହାପାତ୍ର, ମାଧବ ଚନ୍ଦ୍ର ପୂଜାପଣ୍ଡା, ଜଗନ୍ନାଥ କର, ଅନନ୍ତ ତିଆଡ଼ି, ଅଧୀକ୍ଷଣ ଯନ୍ତ୍ରୀ ନରେଶ ଚନ୍ଦ୍ର ରାଉତଙ୍କ ସମେତ ବିଭିନ୍ନ ସେବକ ନିଯୋଗ କର୍ମକର୍ତ୍ତା ବୈଠକରେ ଉପସ୍ଥିତ ଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |