ଭୁବନେଶ୍ୱର,୧୮।୧୧: ନଭେମ୍ବର ୨୦ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରାଷ୍ଟ୍ରପତି ରାଇରଙ୍ଗପୁରର ବାଦାମପାହାଡ଼ ଠାରେ ଟାଟା- ବାଦାମପାହାଡ ଟ୍ରେନର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ଥିବାରୁ ଷ୍ଟେସନଟିକୁ ସୁନ୍ଦର ଭାବରେ ସଜେଇ ଦିଆଯାଇଛି। ରେଲୱେର ବରିଷ୍ଠ ଅଧିକାରୀ ମାନେ ଘନ ଘନ ପରିଦର୍ଶନ କରି ସମୀକ୍ଷା କରୁ। ଏହି ଗସ୍ତରେ ସେ ନିଜ ଜନ୍ମମାଟି ମୟୂରଭଞ୍ଜ ଯିବେ । ଏହି ଅବସରରେ ସେ ବାରିପଦାରେ ହେବାକୁ ଥିବା ସର୍ବଭାରତୀୟ ସାନ୍ତାଳୀ ଲେଖକ ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ନିଜ ସହର ରାଇରଙ୍ଗପୁର ଦେଇ ଚଳାଚଳ କରିବାକୁ ଥିବା ୩ଟି ଟ୍ରେନ୍କୁ ମଧ୍ୟ ରାଷ୍ଟ୍ରପତି ଉଦ୍ଘାଟନ କରିବେ । ରାଷ୍ଟ୍ରପତି ଆସିବେ ବୋଲି କେଉଁଠି କୋଠାରେ ରଙ୍ଗ କାମ ଚାଲିଛି ତ ଆଉ କେଉଁଠି ବିଦ୍ୟୁତ୍ ବିଭାଗ ପକ୍ଷରୁ ଚାଲିଛି ମରାମତି କାମ । ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ଥିବା ସହିଦ ସ୍ମୃତି ଭବନକୁ ନୂଆ କରି ସଜାଯାଉଛି । ୨୦ ତାରିଖରେ ଏଠାରେ ହେବାକୁ ଥିବା ୨୬ ତମ ସର୍ବ ଭାରତୀୟ ସାନ୍ତାଳୀ ଲେଖକ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।ସମ୍ମିଳନୀରେ ଓଡ଼ିଶା ବ୍ୟତୀତ ଝାଡଖଣ୍ଡ, ବିହାର, ପଶ୍ଚିମବଙ୍ଗ, ଆସାମ ଓ କେରଳ ସହ ପଡୋଶୀ ବାଂଲାଦେଶ ଓ ନେପାଳରୁ ସାନ୍ତାଳୀ ଲେଖକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେପଟେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ନିଜେ ସହିଦ ସ୍ମୃତି ଭବନକୁ ଯାଇ ପ୍ରସ୍ତୁତିର ତଦାରଖ କରିଛନ୍ତି । ପ୍ରଶାସନିକ ସ୍ତରରେ ମଧ୍ୟ ଗସ୍ତର ସମୀକ୍ଷା କରାଯାଇଛି । ୨୦ ତାରିଖରେ ରାଷ୍ଟ୍ରପତି ବାରିପଦାରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମର ଯୋଗ ଦେବା ପରେ ରାଇରଙ୍ଗପୁର ଆସିବା କାର୍ଯ୍ୟକ୍ରମ ରହିଛି ।୨୧ ତାରିଖ ସକାଳେ ରାଷ୍ଟ୍ରପତି ବାଦାମପାହାଡ଼ ରେଳ ଷ୍ଟେସନରୁ ରାଇରଙ୍ଗପୁର ଦେଇ ଚଳାଚଳ କରିବାକୁ ଥିବା ୩ଟି ନୂଆ ଟ୍ରେନ୍ର ଶୁଭାରମ୍ଭ କରିବେ ବୋଲି ଜଣାପଡ଼ିଛି । ଏପରିକି ସେ ଗୋଟିଏ ଟ୍ରେନରେ ରାଇରଙ୍ଗପୁର ପର୍ଯ୍ୟନ୍ତ ଯାତ୍ରା କରିବେ ବୋଲି ମଧ୍ୟ କୁହାଯାଉଛି ।ପରେ ରାଷ୍ଟ୍ରପତି ପାହାଡ଼ପୁରରେ ଏକ ଡେଭଲପମେଣ୍ଟ ଟ୍ରେନିଂ ସ୍କୁଲକୁ ଲୋକାର୍ପଣ କରିବା ସହ SLS ସ୍କୁଲରେ ସ୍ୱାମୀ ଏବଂ ଦୁଇ ପୁଅଙ୍କ ସମାଧି ପୀଠରେ ମାଲ୍ୟାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀ ମୁର୍ମୁଙ୍କର ଜନ୍ମମାଟିକୁ ଏହା ଦ୍ୱିତୀୟ ଗସ୍ତ । ତେବେ ଗତ ଥର ପରି ଚଳିତ ବର୍ଷ ଯେପରି କୌଣସି ବିଭ୍ରାଟ ନହୁଏ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯାଇଛି
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |